ଭୁବନେଶ୍ଵର,୪।୮: ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥକୁ କୃଷି ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୋମବାର ଉଦଘାଟନ କରିଛନ୍ତି l କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ଓ ଅନ୍ତର୍ଜାତୀୟ ପ୍ରବାସ ସଂଗଠନର ମିଳିତ ସହଯୋଗ ଓ ଜାତିସଂଘ ପ୍ରବାସୀ ମଲ୍ଟି-ପାର୍ଟନର ଟ୍ରଷ୍ଟ ଫଣ୍ଡର ସମର୍ଥନରେ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଆରମ୍ଭ କରାଯାଇଛି l ଗଞ୍ଜାମ ଓ କେନ୍ଦ୍ରାପଡ଼ାର ୫ଟି ପ୍ରବାସ ପ୍ରବଣ ବ୍ଲକରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏହା କାର୍ଯ୍ୟ କରିବ l
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା ଦାଦନ ଶ୍ରମିକଙ୍କ ସହାୟତା ନିମନ୍ତେ ଗଠିତ ଟାସ୍କଫୋର୍ସର ଅଧ୍ୟକ୍ଷ ଶ୍ରୀ ସିଂହଦେଓ କହିଥିଲେ, ବର୍ତ୍ତମାନ ଓଡ଼ିଶା ସରକାରଙ୍କ ତରଫରୁ ମହିଳା, ଯୁବବର୍ଗ, ଫେରନ୍ତା ପ୍ରବାସୀଙ୍କ ପାଇଁ ବିଭିନ୍ନ ଜୀବିକା ବିକାଶ କାର୍ଯ୍ୟକ୍ରମ ଓ ଦକ୍ଷତା ବିକାଶ, ନିଯୁକ୍ତି ସଂଯୋଜନ ପଦକ୍ଷେପମାନ ଗ୍ରହଣ କରାଯାଉଛି l ନିଜ ଅଞ୍ଚଳରେ ରୋଜଗାର ଯୋଗାଇ ସେମାନଙ୍କୁ ସ୍ଵାବଲମ୍ବୀ କରିବାକୁ ପ୍ରୟାସ ଆରମ୍ଭ ହୋଇଛି l ଏହି ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ଗାଁ ଗାଁରେ ଲୋକଙ୍କୁ ସଚେତନ କରିବ l ଏଥିପାଇଁ ସରକାରଙ୍କ ଦ୍ଵାରା ନିଶୁଳ୍କ ପ୍ରବାସୀ ହେଲ୍ପଲାଇନ – ୧୮୦୦-୩୪୫-୭୮୮୫ ଜାରି କରା ଯାଇଛି l ଯେ କୌଣସି ଜରୁରୀ ପରିସ୍ଥିତି କିମ୍ବା ସୂଚନା ପାଇବା ପାଇଁ ଏହି ନମ୍ବରକୁ ଡାଏଲ୍ କରିପାରିବେ l
ଏହି ଭ୍ରାମ୍ୟମାଣ କେନ୍ଦ୍ର ପ୍ରବାସୀଙ୍କୁ ସହଯୋଗ କରିବା ସହ ପ୍ରବାସ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଏକ ଢାଞ୍ଚାଗତ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କୃଷି ବିଭାଗ ପ୍ରମୁଖ ସଚିବ ଡ଼ ଅରବିନ୍ଦ କୁମାର ପାଢୀ କହିଛନ୍ତି l ଉଦଘାଟନୀ କାର୍ଯ୍ୟକ୍ରମରେ, ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ପ୍ରବାସୀ ସୁରକ୍ଷା ଅଧିକାରୀ ସୁନିଲ ଶାହ,କୃଷି ବିଭାଗ ଅତିତିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର, ଡ଼ ସଂଗ୍ରାମ କେଶରୀ ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ, ନଗେନ୍ଦ୍ର ମଲ୍ଲିକ, ସହକାରୀ ନିର୍ଦ୍ଦେଶକ, ୟୁନାଇଟେଡ଼ ନେସନ୍ସ ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନର ଅମିତ ଚୌଧୁରୀ, ଅଙ୍କିତା ସୁରଭି, ନବନୀତା, ଋତୁମ୍ଭରା ପ୍ରିୟଦର୍ଶିନୀ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଏଫଏଓ, ୱାସନ, ଏସଏମଆରସି ର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l