କେନ୍ଦୁଝର ସଦର,୧/୧୧ କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ JSW-ପୋସ୍କୋ ଏକ ମେଗା ଷ୍ଟିଲ ପ୍ଲାଣ୍ଟ କରିବ ବୋଲି ସୂଚନା ଦେଇଛନ୍ତି । ଉତ୍କର୍ଷ ଓଡିଶା ମେକ ଇନ ଇଣ୍ଡିଆ କନକ୍ଲେଭ ୨୦୨୫ ପାଇଁ ରୋଡ ସୋ ଦିଲ୍ଲୀ ଏବଂ ମୁମ୍ବାଇରେ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସେମାନେ ପରସ୍ପର ମଧ୍ୟରେ ଏମଓୟୁ ସ୍ୱାକ୍ଷର କରିଛନ୍ତି। ମିଳିତ ଭାବରେ କେନ୍ଦୁଝରରେ ଏହି କାରଖାନା ହେବ ବୋଲି ଏମଓୟୁରେ ଉଲ୍ଲେଖ ରହିଛି। ଉଭୟ କମ୍ପାନୀ ଏମଓୟୁ ସ୍ୱାକ୍ଷର କରିବା ପରେ କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଶା ସଂଚାର ହୋଇଛି। ବୁଝାମଣା ଅନୁସାରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ କାରଖାନା ପାଇଁ ମିଳିତ ଭାବେ କାମ କରିବେ ଉଭୟ କମ୍ପାନୀ । କେନ୍ଦୁଝର ଜିଲ୍ଲା ଆଜି ଦେଇଛି ବେଶି ପାଇଛି କମ । କେନ୍ଦୁଝରର ବିକାଶ ପାଇଁ ଷ୍ଟିଲ ପ୍ଲାଣ୍ଟ ଆବଶ୍ୟକ ରହିଛି । ବିକାଶ କେନ୍ଦୁଝରରୁ ଆରମ୍ଭ ହେବ। ସୁନାର କେନ୍ଦୁଝର ହେବା ପରେ ସୁନାର ଓଡିଶା ହେବ। କେନ୍ଦୁଝରକୁ ସୁଖ, ସମୃଦ୍ଧି କାମନା କରିବା ସହ ଲୋକମାନେ କିପରି ସ୍ୱାବଲମ୍ବୀ ହେବେ ସେନେଇ ମା’ ଙ୍କ ନିକଟରେ ଏହି ପ୍ରାର୍ଥନା କରିଥିଲେ। ନୂଆ ସରକାର ଆସିବା ପରେ କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ବି ଗଠନ ହୋଇଛି । ସ୍ଥାନ ନିରୁପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏହି ମେଗା ଷ୍ଟିଲ ପ୍ଲାଣ୍ଟ କେନ୍ଦୁଝର ଜିଲ୍ଲାର ତରମାକାନ୍ତ ଚା’ ବଗିଚା ସ୍ଥାନ,ପାଟଣା କିମ୍ବା ଅନ୍ୟ କୌଣସି ସ୍ଥାନରେ ହେବାର ସମ୍ଭାବନା ରହିଛି ।