ମନମୋହନ ସିଂହ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ୨୦୦୪ ମେ’ରେ ଦାୟିତ୍ୱ ଗ୍ରହଣ କରିଥିଲେ । ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ ଭଲ ପ୍ରଦର୍ଶନ କରିବା ପରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଅଧିକାଂଶ କଂଗ୍ରେସ ନେତା ଦାବି କରିଥିଲେ । ହେଲେ ରାହୁଲ ଗାନ୍ଧୀଙ୍କ ପରାମର୍ଶ ପରେ ସେ ଓହରି ଯାଇଥିଲେ ଏବଂ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ । ଚର୍ଚ୍ଚାରେ ନଥିବା ବେଳେ ହଠାତ୍ ମନମୋହନ ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଅପ୍ରତ୍ୟାଶିତ ପ୍ରଧାନମନ୍ତ୍ରୀ କୁହାଯାଏ । ଏପରିକି କେହି କେହି ତାଙ୍କୁ କାଠକଣ୍ଢେଇ ଓ ଭାରତର ସବୁଠାରୁ ଦୁର୍ବଳ ପ୍ରଧାନମନ୍ତ୍ରୀ ମଧ୍ୟ କହିଥାନ୍ତି । କିନ୍ତୁ ୨୦୨୩ ଅଗଷ୍ଟରେ ସେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ।
୨୦୦୪ ଲୋକସଭା ନିର୍ବାଚନ ପରେ କଂଗ୍ରେସ ୟୁପିଏ ମେଣ୍ଟ ଗଠନ କଲା ଏବଂ ବିଭିନ୍ନ ଦଳକୁ ନେଇ ସରକାର ଗଢ଼ିଲା । ସୋନିଆ ଗାନ୍ଧୀ ୧୯୯୮ରେ ରାଜନୀତିକୁ ଆସିଲେ ଏବଂ ୨୦୦୪ ବେଳକୁ ଦଳର କମାଣ୍ଡ ଧରିଥିଲେ । ଲୋକସଭା ନିର୍ବାଚନରେ ବିଜେପି ୧୮୨ରୁ ୧୩୮କୁ ଖସି ଆସିଥିଲା । ଅନ୍ୟପକ୍ଷରେ କଂଗ୍ରେସ ୧୧୪ରୁ ବଢ଼ି ୧୪୫ରେ ପହଞ୍ଚିଥିଲା । ହେଲେ କଂଗ୍ରେସରେ କିଏ ପ୍ରଧାନମନ୍ତ୍ରୀ ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ୟୁପିଏ ସରକାରରେ ବିଦେଶ ମନ୍ତ୍ରୀ ଥିବା ନଟବର ସିଂହ ତାଙ୍କ ପୁସ୍ତକ ‘ୱାନ ଲାଇଫ୍ ଇଜ୍ ନଟ ଏନଫ’ରେ ଲେଖିଥିଲେ ଯେ ସେହି ସମୟରେ ଗାନ୍ଧୀ ପରିବାର ଚିନ୍ତାରେ ପଡିଥିଲେ । ରାହୁଲ ତାଙ୍କ ମା ସୋନିଆଙ୍କୁ କହିଥିଲେ କି ସେ ପ୍ରଧାନମନ୍ତ୍ରୀ ନ ହୁଅନ୍ତୁ । ରାହୁଲ ତାଙ୍କ ମା’ଙ୍କୁ ରୋକିବାକୁ ଯଥାସମ୍ଭବ ପ୍ରୟାସ କରିଥିଲେ । ଯାହାକୁ ନେଇ ମା-ପୁଅଙ୍କ ମଧ୍ୟରେ ବିବାଦ ବଢ଼ିଥିଲା । ରାହୁଲଙ୍କ ଡର ଥିଲା କି ମା ପ୍ରଧାନମନ୍ତ୍ରୀ ହେବା ପରେ ହୁଏତ ବାପା (ରାଜୀବ ଗାନ୍ଧୀ) ଓ ଜେଜେମା (ଇନ୍ଦିରା ଗାନ୍ଧୀ)ଙ୍କ ଭଳି ହତ୍ୟାର ଶିକାର ହୋଇପାରନ୍ତି । ରାହୁଲ ବହୁତ ରାଗି ଯାଇଥିଲେ । ସେହି ସମୟରେ ପ୍ରିୟଙ୍କା ଗାନ୍ଧୀ, ନଟବର ସିଂହ ଓ ମନମୋହନ ସିଂହ ସୋନିଆଙ୍କ ଘରେ ଉପସ୍ଥିତ ଥିଲେ । ସେତେବେଳେ ରାହୁଲ ତାଙ୍କ ମା’ଙ୍କୁ ୨୪ ଘଣ୍ଟା ସମୟ ଦେଇଥିଲେ । କହିଥିଲେ ଏହା ଭିତରେ ଯାହା ନିଷ୍ପତ୍ତି ନେବା କଥା ନିଅନ୍ତୁ । ସେତେବେଳେ ସୋନିଆଙ୍କ ଆଖିରେ ଲୁହ ଆସିଥିଲା । ସେ ରାହୁଲଙ୍କ କଥାକୁ କିଭଳି ଅଣଦେଖା କରିପାରିବେ? ୨୦୦୪ ମେ ୧୮ରେ ସୋନିଆ ସକାଳୁ ଶୀଘ୍ର ଉଠି ସାଥୀରେ ରାହୁଲ ଓ ପ୍ରିୟଙ୍କାଙ୍କୁ ଧରି ରାଜୀବଙ୍କ ସମାଧି ନିକଟକୁ ଯାଇଥିଲେ । ସେଠାରେ ବହୁସମୟ ବସି ରହିଥିଲେ । ସନ୍ଧ୍ୟା ୭ଟାରେ ସଂସଦର କେନ୍ଦ୍ରୀୟ ହଲ୍ରେ କଂଗ୍ରେସ ସାଂସଦଙ୍କ ବୈଠକ ବସିଲା । ସେତେବେଳେ ସୋନିଆ କହିଥିଲେ କି ସେ ପ୍ରଧାନମନ୍ତ୍ରୀ ହେବାର ଉଦ୍ଦେଶ୍ୟ ନଥିଲା । ଯେତେବେଳେ ଏଭଳି ପରିସ୍ଥିତି ଆସିବ ସେତେବେଳେ ମୁଁ ଆନ୍ତରାତ୍ମାର କଥା ଶୁଣିବି । ତେଣୁ ମୋର ଅନ୍ତରାତ୍ମା କହୁଛି କି ମୁଁ ପ୍ରଧାନମନ୍ତ୍ରୀ ପଦ ସ୍ୱୀକାର ନକରେ । ଅନେକ ସାଂସଦ ସୋନିଆଙ୍କୁ ପ୍ରଧାନମନ୍ତ୍ରୀ ହେବା ଲାଗି ଅନୁରୋଧ କରିଥିଲେ । ମାତ୍ର ସେ ମନା କରିଦେଇଥିଲେ । ତେଣୁ କଂଗ୍ରେସ ସଂସଦୀୟ ଦଳ ବୈଠକରେ ମନମୋହନଙ୍କ ନାମରେ ମୋହର ଲାଗିଥିଲା । ପୂର୍ବ ପ୍ରଧାନମନ୍ତ୍ରୀ ଅବଦୁଲ କଲାମ ନିଜ ପୁସ୍ତକ ‘ଟର୍ଣ୍ଣିଂ ପଏଣ୍ଟସ୍: ଏ ଜର୍ଣ୍ଣି ଥ୍ରୁ ଚାଲେଞ୍ଜେଜ୍’ରେ ଲେଖିଛନ୍ତି ୟୁପିଏ ଜିତିବା ପରେ ରାଷ୍ଟ୍ରପତି ଭବନ ପକ୍ଷରୁ ସୋନିଆଙ୍କ ନାମରେ ପ୍ରଧାନମନ୍ତ୍ରୀ ହେବାର ଚିଠି ପ୍ରସ୍ତୁତ ହୋଇସାରିଥିଲା । କିନ୍ତୁ ରାଷ୍ଟ୍ରପତି ଭବନରେ ସୋନିଆ ପହଞ୍ଚି ଯେତେବେଳେ ମନମୋହନଙ୍କ ନାମ ପ୍ରଧାନମନ୍ତ୍ରୀ ଭାବେ ପ୍ରସ୍ତାବ କଲେ ସେତେବେଳେ ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଦ୍ୱିତୀୟଥର ଚିଠି କରିବାକୁ ପଡିଥିଲା । ୨୦୦୪ ମେ ୨୨ରୁ ମନମୋହନ ପ୍ରଥମ ପାଳି ଶାସନ ଆରମ୍ଭ କରିଥିଲେ । ୨୦୦୯ ମେ ୨୧ ତାରିଖ ପର୍ଯ୍ୟନ୍ତ ତାଙ୍କର ପ୍ରଥମ ପାଳି ରହିଥିଲା ।
ବିବାଦରେ ଦ୍ୱିତୀୟ ପାଳି
୨୦୦୯ ଲୋକସଭା ନିର୍ବାଚନରେ ୟୁପିଏ ୨୬୨ ଆସନ ଜିତିଥିଲା । ପୁଣି ପ୍ରଧାନମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏହି ଚର୍ଚ୍ଚା ଭିତରେ ରାହୁଲଙ୍କ ନାମ ସାମ୍ନାକୁ ଆସିଥିଲା । ବରିଷ୍ଠ ସାମ୍ବାଦିକ ବୀର ସାଂଘଭି ତାଙ୍କ ପୁସ୍ତକରେ ଲେଖିଥିଲେ ଯେ ମନମୋହନ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁନଥିଲେ । କାରଣ ତାଙ୍କର ବିଶ୍ୱାସ ଥିଲା କି ମଝିରେ ଅନ୍ୟ କେହି ହୁଏତ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ତେଣୁ ତାଙ୍କୁ ଅଧାରୁ ହଟିବାକୁ ପଡିପାରେ । ତେଣୁ ସେ ସୋନିଆଙ୍କ ନିକଟରେ ସର୍ତ୍ତ ରଖିଥିଲେ କି ଯଦି ପ୍ରଧାନମନ୍ତ୍ରୀ ଭାବେ ତାଙ୍କୁ ପୁରା ୫ ବର୍ଷ କାର୍ଯ୍ୟ କରିବାର ସୁଯୋଗ ମିଳିବ ତେବେ ଦ୍ୱିତୀୟଥର ପାଇଁ ପଦ ସମ୍ଭାଳିବେ । ସେତେବେଳେ ରାହୁଲ ମଧ୍ୟ ତାଙ୍କୁ ଭରସା ଦେଇଥିଲେ କି ସେ ପ୍ରଧାନମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ । ଏହା ପରେ ମନମୋହନ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ (୨୦୦୯ ମେ ୨୨ରୁ ୨୦୧୪ ମେ ୧୭) ବେଶ୍ ବିବାଦରେ ରହିଥିଲା । ମନମୋହନଙ୍କ ଦ୍ୱିତୀୟ ପାଳିରେ ୨-ଜି ସ୍ପେକ୍ଟ୍ରମ ଘୋଟାଲା ସାମ୍ନାକୁ ଆସିଥିଲା । ସେତେବେଳେ ସିଏଜି ଏକ ରିପୋର୍ଟରେ ୨-ଜି ସ୍ପେକ୍ଟ୍ରମ ଆବଣ୍ଟନରେ ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ଘୋଟାଲା ହୋଇଥିବା ଦର୍ଶାଇଥିଲେ । ସ୍ୱାଧୀନ ଭାରତର ଏହା ସବୁଠାରୁ ବଡ ଦୁର୍ନୀତି ଥିଲା । ତତ୍କାଳୀନ ଟେଲିକମ୍ ମନ୍ତ୍ରୀ ଏ. ରାଜାଙ୍କୁ ମନ୍ତ୍ରୀ ପଦ ଛାଡିବା ସହ ଜେଲ ଯିବାକୁ ପଡିଥିଲା । ସେହିଭଳି କୋଇଲା ବ୍ଲକ ଆବଣ୍ଟନକୁ ନେଇ ୧ ଲକ୍ଷ ୮୭ ହଜାର କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗ ଆସିଥିଲା । ୨୦୧୦ରେ ଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତା ହୋଇଥିଲା । ଏହି ପ୍ରକଳ୍ପ ଆୟୋଜନରେ ବ୍ୟାପକ ଆର୍ଥିକ ଅନିୟମିତତା ସହ ବିଭିନ୍ନ ପ୍ରକଳ୍ପରେ ହେରଫେର ଓ କୁପରିଚାଳନା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ମନି ଲଣ୍ଡିରିଂ ଏବଂ ଏକ ମିଡିଆ ସଂସ୍ଥା ଆଇଏନ୍ଏଏକ୍ସରେ ବିଦେଶୀ ନିବେଶ ମଞ୍ଜୁରିରେ ଆର୍ଥିକ ଅନିୟମିତତାର ଅଭିଯୋଗ ହୋଇଥିଲା । ଏଥିସହ ମୁମ୍ବାଇରେ ଆଦର୍ଶ ହାଉସିଂ ସୋସାଇଟିରେ ଘୋଟାଲା ଏବଂ ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣାରେ ଲାଞ୍ଚ କାରବାର ଅଭିଯୋଗ ମଧ୍ୟ ଆସିଥିଲା ।
ହ୍ଵିଲ୍ ଚେୟାରରେ ଆସିଥିଲେ ସଂସଦ
୨୦୨୩ ଅଗଷ୍ଟ ୭ରେ ଡ. ମନମୋହନ ସିଂହ ଶେଷଥର ପାଇଁ ସଂସଦ ଆସିଥିଲେ । ଏହି ସମୟରେ ଦିଲ୍ଲୀ ସେବା ବିଲ୍କୁ ନେଇ ରାଜ୍ୟସଭାରେ ବିତର୍କ ଚାଲିଥିଲା । ବିଲ୍କୁ ନେଇ ସମର୍ଥନ ହାସଲ ଲାଗି ରାଜ୍ୟସଭାରେ ଭୋଟିଂ ହୋଇଥିଲା । ମନମୋହନଙ୍କୁ ସଂସଦରେ ହ୍ୱିଲ୍ ଚେୟାରରେ ଦେଖିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ମୋଦି କହିଥିଲେ, ତାଙ୍କୁ ଜଣା ଥିଲା ଯେ ବିଜୟ ସରକାରଙ୍କର ହେବ । ତଥାପି ସେ ହ୍ୱିଲ୍ ଚେୟାରରେ ସଂସଦକୁ ଆସି ଭୋଟ ଦେଇଛନ୍ତି । ସେ ନିଜ ଦାୟିତ୍ୱକୁ ନେଇ କେତେ ସଚେତନ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ତେଣୁ ଆଜି ବିଶେଷ ଭାବେ ତାଙ୍କର ଦୀର୍ଘାୟୁ ପାଇଁ ପ୍ରାର୍ଥନା କରୁଛି । ସେ ନିରନ୍ତର ଭାବେ ଆମର ମାର୍ଗଦର୍ଶନ କରନ୍ତୁ, ମୁଁ ଏହା ଚାହୁଁଛି ।