ଭୁବନେଶ୍ୱର ୦୨।୦୮ : ମହାନଦୀ ଜଳ ବିବାଦ ମାମଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠିର ପ୍ରତିଉତ୍ତର ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ଆପୋସ ଆଲୋଚନାରେ ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଗତ ୨୫ ତାରିଖରେ ମୋହନ ମାଝୀ ଲେଖିଥିବା ଚିଠି ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସହମତି ଥିବା କହିଛନ୍ତି। ଏହା ବିଚାରାଧୀନ ଅଛି ବୋଲି ସ୍ପଷ୍ଟ କରିଛନ୍ତି।
ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ନେଇ ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ହେବ। ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକ ସ୍ତରୀୟ ଆଲୋଚନା ଆଗକୁ ବଢିଛି । ଏପିରିକି ସମାଧାନ ପାଇଁ ଉଭୟ ପକ୍ଷ ରାଜିଥିବା ଏଜି ପୀତାମ୍ବର ଆଚାର୍ଯ୍ୟ ଅବଗତ କରିଛନ୍ତି ବୋଲି ଜଣାପଡିଛି । ଏହା ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ ଲାଗି ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ଯୋଗ ଦେଇଥିଲେ । ଏହାସହ ବିଭିନ୍ନ ସାମାଜିକ ସଙ୍ଗଠନର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।