ମୁମ୍ୱାଇ, ୧୫।୨: ରଣବୀର ଆହ୍ଲାବାଦିଆଙ୍କ ପିଛା ଛାଡ଼ୁନି ବିବାଦ । ‘Indias Got Latent’ ଶୋରେ ତାଙ୍କ ଅଶ୍ଳୀଳ କମେଣ୍ଟ ପାଇଁ ଖୋଲାଖୋଲି ଧମକ ଦେଲେ WWE ରେସଲର । କହିଲେ, ମୁମ୍ୱାଇର କୌଣସି ପାର୍ଟି କିମ୍ୱା ଶୋରେ ନଜର ଆସିଲେ ଦୁନିଆର କୌଣସି ଶକ୍ତି ତାକୁ ମୋଠୁ ବଞ୍ଚାଇ ପାରିବନି । କମେଡିଆନ ସମୟ ରେନାଙ୍କ ଶୋ Indias Got Latentରେ ଅଶ୍ଳୀଳ କମେଣ୍ଟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରଣବୀର ଆହ୍ଲାବାଦିଆ । ରଣବୀର ନିଜ ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା ବି କରିସାରିଥିଲେ ସୁଦ୍ଧା ଏବେ ବି ଟାର୍ଗେଟ୍ରେ ଅଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ରଣବୀର ଆହ୍ଲାବାଦିଆଙ୍କୁ WWE ରେସଲର ସାଙ୍ଗା ଓରଫ ସୌରଭ ଗୁର୍ଜର ଧମକ ଦେଇଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଭିଡିଓ ମାଧ୍ୟମରେ କହିଛନ୍ତି ଯେ, ରଣବୀର ଆହ୍ଲାବାଦିଆ ମୋ ହାବୁଡ଼ରେ ପଡ଼ିଲେ ତାଙ୍କ ସିକ୍ୟୁରିଟି ହୁଅନ୍ତୁ କି ଦୁନିଆର କୌଣସି ଶକ୍ତି ବି ବଞ୍ଚାଇବାକୁ ଅସମର୍ଥ ହେବେ ।
ପୂର୍ବତନ WWE ରେସଲରଙ୍କ କହିବାନୁଯାୟୀ, ଏଭଳି ଅଶ୍ଳୀଳ କମେଣ୍ଟ ପାଇଁ ରଣବୀର ଆହ୍ଲାବାଦିଆଙ୍କୁ କ୍ଷମା କରାଯାଇପାରିବନାହିଁ । ରଣବୀର ଆହ୍ଲାବାଦିଆ କ୍ଷମାର ପାତ୍ର ନୁହଁନ୍ତି । ସେ କହିଛନ୍ତି, ଯଦି ଆମେ ଆଜି ରଣବୀରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ତା’ହେଲେ ଆଗକୁ ଏମିତି ଅନେକ ଲୋକ ଫାଲତୁ କମେଣ୍ଟ୍ କରିବାକୁ ଆଗେଇ ଆସିବେ । ତେଣୁ ରଣବୀରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ଓ ମହାରାଷ୍ଟ୍ର ସରକାରଙ୍କୁ ସୌରଭ ହାତଯୋଡ଼ି ନିବେଦନ କରିଛନ୍ତି । ସେ କହିଛନ୍ତି, ଆଗାମୀ ପିଢ଼ି ଯାଏ ଆମ ଧର୍ମକୁ ବଞ୍ଚାଇବାକୁ ହେଲେ ଏଭଳି ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଦରକାର । ଯାହା ଫଳରେ ଏଭଳି ଟିପ୍ପଣୀ ଦେବା ଆଗରୁ ଲୋକ ୧୦ ଥର ଭାବିବେ ।
କହିରଖୁ କି, ସମୟ ରୈନାଙ୍କ ଶୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ମାତା,ପିତାଙ୍କୁ ନେଇ କହିଥିବା ଆପତ୍ତିଜନକ ଟିପ୍ପଣୀ ପରେ ବିବାଦ ଲଗାତାର ବଢ଼ିବାରେ ଲାଗିଛି । ଯାହା ପରେ ରଣବୀରଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଏଫଆଇଆର୍ ରିପୋର୍ଟ କରାଯାଉଛି । କଳାକାରଙ୍କଠାରୁ ଆରମ୍ଭ କରି ରାଜନେତା, ଧର୍ମଗୁରୁ ପର୍ଯ୍ୟନ୍ତ ସମସ୍ତେ ଆହ୍ଲାବାଦିଆଙ୍କ ଟିପ୍ପଣୀକୁ ନେଇ ନିନ୍ଦା କରୁଛନ୍ତି ।