ଉତ୍ତରପ୍ରଦେଶ ୨୬/୦୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ଦିବ୍ୟ, ଭବ୍ୟ ମହାକୁମ୍ଭ । ସନାତନ ଧର୍ମର ଆସ୍ଥାର ଏହି ମହାପର୍ବରେ ସାମିଲ ହୋଇ ଅମୃତକାଳର ସାକ୍ଷୀ ହେବାକୁ ଦେଶ ବିଦେଶରୁ ପ୍ରତିଦିନ ସେଠାକୁ ପହଞ୍ଚୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଇତିମଧ୍ୟରେ ଫେବ୍ରୃଆରୀ ୧ରେ ୭୩ଟି ଦେଶର କୂଟନୀତିଜ୍ଞ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବାକୁ ଯାଉଛନ୍ତି । ପରସ୍ପରର ଘୋର ବିରୋଧୀ ବୋଲି ମନେ କରାଯାଉଥିବା ରୁଷ୍ ଓ ୟୁକ୍ରେନ୍ର ରାଷ୍ଟ୍ରଦୂତ ମଧ୍ୟ ସେଦିନ ଏହି ଐତିହାସିକ ଆୟୋଜନରେ ଏକସଙ୍ଗରେ ସାମିଲ ହେବେ । ଏହି ବୈଶ୍ୱିକ ଆୟୋଜନ ଗଙ୍ଗା କୂଳରେ ଭିନ୍ନ ଭିନ୍ନ ସଂସ୍କୃତି ଓ ବିଚାରଧାରା ମଧ୍ୟରେ ଏକ ନିଆରା ସମନ୍ୱୟର ବାର୍ତ୍ତା ଦେବ । ମହାକୁମ୍ଭ ମେଳାଧିକାରୀ ବିଜୟ କିରଣ ଆନନ୍ଦ ଏହି ସୂଚନା ଦେଇଛନ୍ତି । ବିଦେଶ ମନ୍ତ୍ରାଳୟ ପକ୍ଷରୁ ୟୁପିର ମୁଖ୍ୟ ସଚିବଙ୍କୁ ଏ ସଂକ୍ରାନ୍ତରେ ପତ୍ର ମଧ୍ୟ ଲେଖାଯାଇଛି ।
ସେଥିରେ କୁହାଯାଇଛି ଯେ, ଫେବ୍ରୃଆରୀ ୧ରେ ୭୩ଟି ଦେଶର କୂଟନୀତିଜ୍ଞ ମହାକୁମ୍ଭର ମହାନତାକୁ ଦେଖିବାକୁ ଆସିବେ । ସେମାନେ ମହାକୁମ୍ଭ ନଗରରେ ବଡ଼େ ହନୁମାନ ମନ୍ଦିର ଓ ଅକ୍ଷୟବଟ ଦର୍ଶନ କରିବାକୁ ଚାହୁଁଛନ୍ତି । ବିଦେଶୀ କୂଟନୀତିଜ୍ଞମାନେ ଡଙ୍ଗା ମାଧ୍ୟମରେ ସଙ୍ଗମ ନୋଜ୍ ପହଞ୍ଚି ସ୍ନାନ କରିବେ । ସେଠାରୁ ଅକ୍ଷୟବଟ ଓ ବଡ଼େ ହନୁମାନ ମନ୍ଦିର ଦର୍ଶନ କରିବାକୁ ଯିବେ । ପରେ ଡିଜିଟାଲ୍ ମହାକୁମ୍ଭ ଏକ୍ସପେରିଏନ୍ସ ସେଣ୍ଟରରେ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ମହାକୁମ୍ଭର ଆଧ୍ୟାତ୍ମିକ ଗୁରୁତ୍ୱ ସଂପର୍କରେ ଜାଣିବେ ।
ପରବର୍ତ୍ତୀ ସମୟରେ ଏହି କୂଟନୀତିଜ୍ଞମାନେ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବା ସହିତ ଆଧ୍ୟାତ୍ମିକ ପର୍ଯ୍ୟଟନରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସେମାନେ ମେଳା କ୍ଷେତ୍ରରେ ଥିବା ରାଜ୍ୟର ପାଭିଲିଅନ୍, ସାଧୁ-ସନ୍ଥମାନଙ୍କର ବିଭିନ୍ନ ଆଖଡ଼ା, ଯମୁନା କଂପ୍ଲେକ୍ସ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥଳ ବୁଲିବେ । ଏହି ଗସ୍ତ ସେମାନଙ୍କୁ ଭାରତର ସଂସ୍କୃତି, ଆଧ୍ୟାତ୍ମିକତା ଓ ଧର୍ମନିରପେକ୍ଷ ପରମ୍ପରାକୁ ଜାଣିବାର ଏକ ଅବସର ପ୍ରଦାନ କରିବ । ଭାରତର ଯୋଗ, ଧ୍ୟାନ ଓ ଆଧ୍ୟାତ୍ମ ସହିତ ବୈଭବପୂର୍ଣ୍ଣ ଐତିହ୍ୟକୁ ବିଶ୍ୱ ଦରବାରରେ ପରିଚିତ କରିବାର ମଧ୍ୟ ଏହା ଏକ ମାଧ୍ୟମ ସାଜିବ ।
ମହାକୁମ୍ଭରେ ଯେଉଁ ଦେଶମାନଙ୍କର କୂଟନୀତିଜ୍ଞ ସାମିଲ ହେବେ ସେଥିମଧ୍ୟରେ ଜାପାନ, ଆମେରିକା, ରୁଷ, ୟୁକ୍ରେନ୍, ବାଂଲାଦେଶ, ଜର୍ମାନୀ, ଆରମେନିଆ, ସ୍ଲୋଭାକିଆ, ମେକ୍ସିକୋ, ଆଲଜେରିଆ, ଜୋର୍ଡାନ, ମାଲେସିଆ, ଭୁଟାନ, ନ୍ୟୁଜିଲାଣ୍ଡ, କାମ୍ବୋଡି଼ଆ, ଚିଲି, ସାଇପ୍ରସ, କ୍ୟୁବା, ନେପାଳ, ରୋମାନିଆ, କଲମ୍ବିଆ, ଇଟାଲୀ, ମ୍ୟାଁମାର, ନେଦରଲ୍ୟାଣ୍ଡସ, କାନାଡା, ସ୍ୱିଜରଲ୍ୟାଣ୍ଡ, ସ୍ୱିଡେନ୍, ଥାଇଲାଣ୍ଡ ପ୍ରଭୃତି ସାମିଲ । ଏହି କୂଟନୀତିଜ୍ଞଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି ।