ଅହମ୍ମଦାବାଦ, ୨୨।୧: ଅହମ୍ମଦାବାଦର ଇଣ୍ଟରନ୍ୟାସନାଲ ଫ୍ଲାୱାର ସୋରେ ସବୁଠି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏକ ବୃହତ୍ ଆକାର ଫୁଲତୋଡ଼ା । ଫୁଲତୋଡ଼ାଟି ଦେଖିବାକୁ ଯେତେ ସୁନ୍ଦର ଏହାର ଆକାର ମଧ୍ୟ ସେତେ ବଡ଼ । ଅହମ୍ମଦାବାଦର ସାବରମତୀ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଏକ ଫ୍ଲାୱାର ସୋର ଆୟୋଜନ କରାଯାଇଛି । ଗତବର୍ଷ ମଧ୍ୟ ଫ୍ଲାୱାର ସୋର ଆୟୋଜନ କରାଯାଇଥିଲା । ଯେଉଁଥିରେ ସବୁଠୁ ଲମ୍ୱା ଫୁଲର ପାଚେରୀ ପାଇଁ ଏହା ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା । ଏଥର ଏହି ଫୁଲତୋଡ଼ାଟି ଗିନିଜ୍ ବିଶ୍ୱ ରେକର୍ଡରେ ସାମିଲ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୩ରେ ଫ୍ଲାୱାର ସୋର ଶୁଭାରମ୍ଭ କରିଥିଲେ । ୨୦୨୪ ଫେବୃଆରୀ ୧୮ରେ ପ୍ରଥମ କରି ଏଠାରେ ଫୁଲତୋଡ଼ା ନିର୍ମାଣ ଆରମ୍ଭ ହୋଇଥିଲା । ଅହମ୍ମଦାବାଦରେ ଆୟୋଜିତ ହେଉଥିବା ଏହି ଫ୍ଲାୱାର ସୋ ବର୍ତ୍ତମାନ କେବଳ ଭାରତର ନୁହଁ, ଏସିଆର ସବୁଠାରୁ ବଡ଼ ଫ୍ଲାୱାର ସୋ ଭାବେ ବିବେଚିତ ହୋଇଛି । ଚଳିତ ବର୍ଷ ଏହି ଫ୍ଲାୱାର ସୋରେ ଭିଆଇପି ଟିକେଟ ମଧ୍ୟ ରହିଛି । ଯାହାର ଦାମ୍ ୫୦୦ ଟଙ୍କା ।
ଚଳିତ ବର୍ଷ ତିଆରି କରାଯାଇଥିବା ଏହି ଅଦ୍ଭୁତ ଫୁଲତୋଡ଼ାର ଉଚ୍ଚତା ପାଖାପାଖି ୩୪ ଫୁଟ୍ ରହିଥିବା ବେଳେ ଏହାର ବ୍ୟାସ ୧୦.୮୪ ମି । ଅହମ୍ମଦାବାଦ ମୁନିସିପାଲଟି ଉପମୁଖ୍ୟ ମେୟର ଗିନିଜ୍ ବୁକ୍ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଫ୍ଲାୱାର ସୋରେ ପ୍ରାୟ ୧୦ ଲକ୍ଷ ଭିନ୍ନ ପ୍ରଜାତିର ଫୁଲ ରଖାଯାଇଥିଲା । ୩ ଜାନୁଆରୀରୁ ଆରମ୍ଭ ହୋଇ ୨୨ ଜାନୁଆରୀ ଯାଏ ଏହି ସୋ ଚାଲିଥିଲା । ପ୍ରତିଦିନ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ବେଳେ ଶନିବାର ଓ ରବିବାର ଏହି ଛୁଟି ଦିନମାନଙ୍କରେ ଲୋକଙ୍କ ସଂଖ୍ୟା ବଢ଼ିଯାଏ । ଏହି ଫ୍ଲାୱାର ସୋର ଆୟୋଜନରେ ପାଖାପାଖି ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସକାଳ ୮ଟାରୁ ୯ଟା ଓ ରାତି ୯ରୁ ୧୧ ପର୍ଯ୍ୟନ୍ତ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଥିଲା ।
କହିରଖୁ କି, ଦୈନିକ ଟିକେଟର ଦାମ୍ ୭୦ ଟଙ୍କା ଥିବାବେଳେ ସପ୍ତାହ ଶେଷରେ ଏଣ୍ଟ୍ରି ଫି ୧୦୦ ଟଙ୍କା । ତେବେ ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ନିଶୁଳ୍କ ପ୍ରବେଶ ରହିଛି । ଏହି ଫ୍ଲାୱାର ସୋର ଉଭୟ ଅଫଲାଇନ୍ ଓ ଅନଲାଇନ୍ ଟିକେଟ ଉପଲବ୍ଧ । ଯେଉଁମାନେ ଭିଡ଼ ଭିତରେ ଟିକେଟ କାଟିବାକୁ ଚାହୁଁନାହାନ୍ତି, ସେମାନେ ଯଥେଷ୍ଟ ସମୟ ପୂର୍ବରୁ ଅନଲାଇନ୍ ଟିକେଟ କାଟିବା ପାଇଁ https://riverfrontparktickets.com/fs ରେ ଅଧିକାରିକ ୱେବସାଇଟ୍ରେ ଖୁବ୍ ସୁବିଧାରେ ଟିକେଟ କାଟିପାରିବେ ।