ନୂଆଦିଲ୍ଲୀ, ୧୬।୩: ଆଜିର ସମୟରେ ଅନେକ ଲୋକ ଅବସାଦ ଓ ଚିନ୍ତା ଦେଇ ଗତି କରୁଛନ୍ତି । ଏଥିଯୋଗୁଁ କେହି କେହି ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଥାନ୍ତି । ତେବେ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଶରୀରରେ ଏକ ବିଶେଷ ପ୍ରକାର ଭିଟାମିନ୍ର ଅଭାବ ହେଲେ ଏହା ଅବସାଦ ସ୍ତରକୁ ବଢ଼ାଇ ଦିଏ । ଫଳରେ ଏହା ଯୋଗୁଁ ଜଣେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ । ମିଚିଗାନ ଷ୍ଟେଟ୍ ବିଶ୍ବବିଦ୍ୟାଳୟର କଲେଜ ଅଫ୍ ହ୍ୟୁମାନ ମେଡିସିନ୍ ଏବଂ ସ୍ବିଡେନର ଲୁଣ୍ଡ ୟୁନିର୍ଭସିଟିର ଗବେଷକମାନେ କରିଥିବା ଏକ ଗବେଷଣାରୁ ଏହି କଥା ପ୍ରକାଶ କରିଛନ୍ତି ।
ଉକ୍ତ ଗବେଷଣାରେ ୫୯ ସ୍ବିଡେନ ନାଗରିକଙ୍କୁ ସାମିଲ କରାଯାଇଥିଲା । ଯେଉଁମାନେ କି ନିକଟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ଉପରେ ଗବେଷଣା କରାଯିବା ସହ ସେମାନଙ୍କର ମାନସିକ ଏବଂ ଶାରୀରିକ ପରୀକ୍ଷା କରାଯାଇଥିଲା । ସମସ୍ତ ସ୍ବାସ୍ଥ୍ୟ ଭିତ୍ତିକ ତଥ୍ୟକୁ ତିନିଟି ଗ୍ରୁପ୍ ମଧ୍ୟରେ ତୁଳନା କରାଯାଇଥିଲା । ଏଥିରୁ ଗୋଟିଏ ଗ୍ରୁପ୍ ମାନସିକ ସ୍ତରରେ ସୁସ୍ଥ ଥିବା ବେଳେ ଅବସାଦକୁ ସାମ୍ନା କରୁଥିଲେ। ଅନ୍ୟ ଏକ ଗ୍ରୁପ୍ ଅବସାଦରେ ପୀଡ଼ିତ ଥିଲେ ହେଁ ଆତ୍ମହତ୍ୟା କରିବାକୁ ପ୍ରୟାସ କରି ନଥିଲେ । ସେହିପରି ତୃତୀୟ ଗ୍ରୁପ୍ ଆତ୍ମହତ୍ୟା କରିବା ଲୋକେ ଥିଲେ । ତେବେ ଯେଉଁମାନେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ, ସେମାନଙ୍କଠାରେ ଭିଟାମିନ୍- ଡିର ଅଭାବ ଥିଲା । ତେଣୁ ଏହି ଅଭାବ ଦୂର କରିବା ଲାଗି ଭିଟାମିନ୍- ଡି ସପ୍ଲିମେଣ୍ଟର ଆବଶ୍ୟକତା ଅଛି । ଏହାଦ୍ବାରା ଅବସାଦ ଏବଂ ଆତ୍ମହତ୍ୟା ପ୍ରବଣତାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଉକ୍ତ ଗବେଷଣାରେ କୁହାଯାଇଛି ।