ଏକଦା ଗୋଟିଏ ବିରାଟ ପରିବାରରେ ବାସ କରୁଥିବା ବ୍ୟକ୍ତି କ୍ରମେ ଗୋଟିଏ ନିଉକ୍ଲିୟର ପରିବାରରେ ରହିବାକୁ ଲାଗିଲା । ବୋଧେ ନିଜ ସ୍ତ୍ରୀ ଓ ପିଲାଙ୍କ ସହିତ ରହି କେବଳ ନିଜପାଇଁ ସ୍ୱାଧୀନ ଭାବରେ ଚିନ୍ତା କରି ସ୍ୱାର୍ଥପର ହେବାକୁ ପସନ୍ଦ କଲା, ଯାହାର ପ୍ରଭାବ ପରୋକ୍ଷରେ ଆଜିର ସମାଜ ଉପରେ ପଡ଼ିଛି ।
ମିଳିତ ପରିବାରରୁ ଆସିଥିବା ଜଣେ ପ୍ରତିଷ୍ଠିତ ତଥା ପରିଣତ ବୟସର ବ୍ୟବସାୟୀ ବନ୍ଧୁଙ୍କ ସାଙ୍ଗେ ଥରେ ଭାବ ବିନିମୟ ସମୟରେ ତାଙ୍କ ମନର ଦରଦ ବାଣ୍ଟୁଥିଲେ । କହିଲେ "ବହୁତ ଚେଷ୍ଟା ସତ୍ତେ୍ୱ ଆମ ପରିବାରକୁ ଏକାଠି ରଖିବାରେ ଅସମର୍ଥ ହେଲି, ବାପାଙ୍କୁ ଦେଇଥିବା କଥା ରଖିବାରେ ବିଫଳ ହେଲି । ଜୀବନସାରା ନିଜ ପିଲା ଓ ଭାଇମାନଙ୍କ ପିଲାଙ୍କ ମଧ୍ୟରେ କିଛି ବି ଅନ୍ତର ରଖିନଥିଲି, ସମସ୍ତଙ୍କ ପାଇଁ ସମାନ ପ୍ରକାର ପୋଷାକ, ସମାନ ପ୍ରକାର ଖେଳନା, ସମାନ ପ୍ରକାର ଚକୋଲେଟ ନେଇଥାଏ । ଭାଇମାନଙ୍କ ସ୍ତ୍ରୀଙ୍କ ପାଇଁ ପ୍ରତି ବ୍ୟାବସାୟିକ ଭ୍ରମଣରୁ ଫେରିଲା ବେଳେ କିଛି ନା କିଛି ଉପହାର ନେଇ ଆସିଥାଏ । ସମସ୍ତେ ଖାଇସାରିବା ପରେ ମୁଁ ଓ ମୋ ସ୍ତ୍ରୀ ଖାଇଥାଉ, ମୋ ବୁଝିବାରେ କେଉଁଥିରେ କେବେ ପକ୍ଷପାତିତା କରିନାହିଁ, ସବୁ ପ୍ରକାର ଚେଷ୍ଟା ସତ୍ତେ୍ୱ ଏକାଠି ରହିପାରିଲେନାହିଁ କାହିଁକି? କେଉଁଠି ଭୁଲ୍ ରହିଗଲା? କାରଣ ଖୋଜୁଛି ଆଜିଯାଏଁ’ । ବନ୍ଧୁ ଜଣକ ଏସବୁ କହିଲାବେଳେ ଭାବବିହ୍ୱଳ ହୋଇପଡୁଥିଲେ । ଓଡ଼ିଆ ଘରର ଯୌଥ ବା ଯୁଗ୍ମ ପରିବାରରେ ବଡ଼ମାନଙ୍କର ଦାୟିତ୍ୱବୋଧ, ଛୋଟମାନଙ୍କ ଅଳିଅଝଟ, ଗହଳ ଚହଳରେ ଘର ଦୁଲୁକୁଥିବା ବେଳେ ବାପା ମାଆଙ୍କ ଆଖିରେ ଆଖିଏ ଆନନ୍ଦ, ଭାଇମାନଙ୍କ ଟଣାଓଟରା ସହ ହସ ଖେଳ ଓ ଭାଇବୋହୂମାନଙ୍କ ରାଗରୁଷା ସବୁ ଦେଖିଥିବା ମଣିଷଟିଏ କ’ଣ ଏକଲା ଜୀବନ ବିତେଇବା ସହଜ ହୋଇପାରେ? ଏମିତି ଅନେକ ପ୍ରଶ୍ନ ତାଙ୍କୁ ବିବ୍ରତ କରୁଥିଲା । ବିରାଟ ଗୋଟିଏ ଯୌଥ ପରିବାରରୁ ଆସିଥିବା ଏହି ବନ୍ଧୁ ଜଣକ ଆଜି ଏକଲା!
ଜଏଣ୍ଟ ଫ୍ୟାମିଲିକୁ ଓଡ଼ିଆରେ ଆମେ କେହି ଯୌଥ ପରିବାର ବା ମିଳିତ ପରିବାର ବା ଯୁଗ୍ମ ପରିବାର କହିଥାଉ । ଏହା ହେଉଛି ଏକ ପରିବାର ଯେଉଁଠାରେ ଏକାଧିକ ପିଢ଼ିର ସମ୍ପର୍କୀୟମାନେ ଗୋଟିଏ ଘରେ ଏକାଠି ରହନ୍ତି, ଯଥା- ବାପା ମାଆ, ଜେଜେବାପା ଜେଜେମାଆ, ଦାଦା ଖୁଡ଼ୀ, ଭାଇ ଭାଇବୋହୂ, ପୁତୁରା ଝିଆରୀ, ନାତି ନାତୁଣୀ ଇତ୍ୟାଦି । କେବଳ ଭାରତରେ ହିଁ ଏମିତି ପରିବାର ବ୍ୟବସ୍ଥା ବହୁଦିନରୁ ଦେଖାଯାଉଥିଲା । ଆଜିକାଲି କିଛି ଉତ୍ତର ଭାରତ ରାଜ୍ୟ ବ୍ୟତୀତ ଅନ୍ୟ ଆଡ଼େ ଏହି ବ୍ୟବସ୍ଥା ନିଶ୍ଚିହ୍ନ ହୋଇ ଆସିଲାଣି ।
ମିଳିତ ପରିବାରରେ ବଢ଼ିଥିବା ପିଲାମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଲାଭ, ଯାହାକି ସେମାନେ ଅନୁଭବ କରିଥାନ୍ତି ସେଇଟା ହେଉଛି ଭାବପ୍ରବଣତା ଏବଂ ବନ୍ଧୁତ୍ୱ ଭାବ । ଗୋଟିଏ ମିଳିତ ପରିବାର ବ୍ୟବସ୍ଥାରେ ପିଲାମାନେ କେବଳ ସେମାନଙ୍କର ପିତାମାତା ନୁହଁନ୍ତି ଜେଜେବାପା, ଜେଜେମାଆ, ବଡ଼ବାପା ବଡ଼ ବୋଉ, ଦାଦା ଖୁଡ଼ୀ, ପୁତୁରା ଝିଆରୀ ଓ ସମ୍ପର୍କୀୟ ଭାଇମାନଙ୍କ ମଧ୍ୟରୁ ସପୋର୍ଟ ପାଇଥାନ୍ତି। ସମ୍ପର୍କର ଏହି ବିସ୍ତାର ନେଟୱାର୍କ ଗୋଟିଏ ସମ୍ପୃକ୍ତ ଭାବକୁ ବଢ଼ାଇଥାଏ, ପିଲାମାନଙ୍କୁ ଦୃଢ଼ ଭାବପ୍ରବଣତାର ଭିତ୍ତି ପ୍ରଦାନ କରିଥାଏ । ମିଳିତ ପରିବାରଗୁଡ଼ିକରେ ଏମିତି ଏକ ପରିବେଶ ସୃଷ୍ଟି ହୋଇଥାଏ ଯେଉଁଠାରେ କେହି ନା କେହି ସର୍ବଦା ପିଲାମାନଙ୍କ ମାର୍ଗଦର୍ଶନ, ଆରାମ ଏବଂ ଆନନ୍ଦ, ଦୁଃଖର ମୁହୂର୍ତ୍ତ ପାଇଁ ଅଂଶୀଦାର ହୋଇଥାନ୍ତି ।
ଅଧିକନ୍ତୁ, ଯୁଗ୍ମ ପରିବାର ବ୍ୟବସ୍ଥା ଜ୍ଞାନର ଏକ ପ୍ରାକୃତିକ ଭଣ୍ଡାର, ଯେମିତିକି ଜେଜେବାପାମାନେ ସେମାନଙ୍କର ଜୀବନର ଅଭିଜ୍ଞତା ସହିତ, ପରମ୍ପରା, ମୂଲ୍ୟବୋଧ ଏବଂ ସାଂସ୍କୃତିକ ଦୃଷ୍ଟିକୋଣକୁ ଅତିକ୍ରମ କରି ଜ୍ଞାନର ଅମୂଲ୍ୟ ଭଣ୍ଡାରରେ ପରିଣତ ହୋଇଥାନ୍ତି³ ଯାହା ପରିବାରର ଅନ୍ୟ ସଦସ୍ୟଙ୍କୁ ବାଣ୍ଟି ଥାଆନ୍ତି । ଗୋଟିଏ ବରଗଛ ପରି ବ୍ୟାପିଥିବା ଓ ଭିନ୍ନ ଭିନ୍ନ ସ୍ଥାନରେ ବସବାସ କରୁଥିବା ସେହି ବିସ୍ତାରିତ ପରିବାର ସଦସ୍ୟଙ୍କ ସହିତ ନିରନ୍ତର କଥାବାର୍ତ୍ତା ଓ ଭାବ ଆଦାନ ପ୍ରଦାନ ଦ୍ୱାରା ପିଲାମାନେ ସହଭାଗୀତାର ସ୍ୱାଦ ସହଜରେ ଅନୁଭବ କରିବା ସହିତ ସେମାନଙ୍କ ବ୍ୟାପକ ବୁଝାମଣାର ବିକାଶରେ ସାହାଯ୍ୟ କରିଥାଏ । ଏହି ଏକ୍ସପୋଜର ପିଲାମାନଙ୍କ ବୌଦ୍ଧିକ ଏବଂ ଭାବପ୍ରବଣ ବୁଦ୍ଧି ସମୃଦ୍ଧ କରିବାରେ, ଖୋଲା ମନୋଭାବ ଏବଂ ଅନୁକୂଳତା ବୃଦ୍ଧିରେ ଯଥେଷ୍ଟ ସାହାଯ୍ୟ କରିଥାଏ ।
ମିଳିତ ପରିବାରରେ ଦାୟିତ୍ୱ ବଣ୍ଟନ ଓ ଦାୟିତ୍ୱ ତୁଲାଇବାର ସମ ଭାଗୀଦାରୀ ଦୈନନ୍ଦିନ ଜୀବନର ଏକ ମୂଳଦୁଆ ହୋଇଯାଏ । ଘରର କାର୍ଯ୍ୟ, ଆର୍ଥିକ ସମସ୍ୟା ଏବଂ ନିଷ୍ପତ୍ତି ନେବାରେ ପରିବାର ସଦସ୍ୟଙ୍କ ଦ୍ୱାରା ଦିଆଯାଇଥିବା ପ୍ରୟାସର ମୂକସାକ୍ଷୀ ହୋଇଥାଆନ୍ତି ପିଲାମାନେ, ଯାହାକି ପରବର୍ତ୍ତୀ ସମୟରେ ନିଜ ଜୀବନରେ ପ୍ରୟୋଗ କରିଥାନ୍ତି । ଏହି ଏକ୍ସପୋଜର କେବଳ ବ୍ୟାବହାରିକ ଜୀବନ କୌଶଳ ପ୍ରଦାନ କରେନାହିଁ ବରଂ ପିଲାମାନଙ୍କ ମଧ୍ୟରେ କାର୍ଯ୍ୟ କରିବାର ନୈତିକତା ଓ ଦାୟିତ୍ୱବୋଧ ଭଳି ଏକ ଶକ୍ତିଶାଳୀ ଭାବନା ମଧ୍ୟ ସୃଷ୍ଟି କରିଥାଏ । ଏକ ମିଳିତ ପରିବାର ବ୍ୟବସ୍ଥା ମଧ୍ୟରେ ପିଲାମାନଙ୍କୁ ଶ୍ରମ ବିଭାଜନ , ସହଯୋଗ, ଦଳଗତ କାର୍ଯ୍ୟ ଏବଂ ପାରସ୍ପରିକ ନିର୍ଭରଶୀଳତାର ମହତ୍ତ୍ୱ ବିଷୟରେ ଅନେକ ଶିକ୍ଷା ଦେଇଥାଏ, ଯାହା ସୁସ୍ଥ ସମ୍ପର୍କକୁ ବ୍ୟାଖ୍ୟା କରେ ।
ମିଳିତ ପରିବାର ହିଁ ସଙ୍କଟ ସମୟରେ ଏକ ପ୍ରାକୃତିକ ସହାୟତା ବ୍ୟବସ୍ଥା ଭାବରେ କାର୍ଯ୍ୟ କରିଥାଏ । ଏହି ନିରାପତ୍ତାର ଗ୍ୟାରେଣ୍ଟି ପିଲାମାନଙ୍କ ମଧ୍ୟରେ ସ୍ଥିରତା ଏବଂ ଭାବପ୍ରବଣତାକୁ ସୁଦୃଢ଼ କରିଥାଏ, ସେମାନଙ୍କୁ ସୁରକ୍ଷା ଭାବନା ଯୋଗାଇଥାଏ ଯାହା ସେମାନଙ୍କର ବ୍ୟକ୍ତିଗତ ଅଭିବୃଦ୍ଧି ପାଇଁ ଏକ ଭିତ୍ତିଭୂମି ହୋଇଯାଏ । ଯାହା ପରବର୍ତ୍ତୀ ସମୟରେ ସମାଜରେ ଉପୁଜୁଥିବା ସମସ୍ୟା ସମାଧାନରେ ଏମାନେ ସହାୟକ ହୁଅନ୍ତି । ଫଳସ୍ୱରୂପ ସମାଜ ଉପରେ ଏହି ଯୌଥ ପରିବାରର ସକାରାତ୍ମକ ପ୍ରଭାବ ପଡୁଥିଲା ।
ସମୟ ଥିଲା ଲୋକେ ଗର୍ବରେ କହୁଥିଲେ- କିଏ ଆଠ ଭାଇ ତ କିଏ ଦଶ ଭାଇ! ଯେତେ ବଡ଼ ପରିବାର ସେତେ ମଜଭୁତ, ସେତେ ସ୍ୱଚ୍ଛଳ । ବଡ଼ ପରିବାର ଲୋକଙ୍କ ସହିତ ଝଗଡ଼ାଝାଟି କରିବାକୁ ଅନ୍ୟମାନେ ସାହସ କରୁନଥିଲେ, ଯେତେ ବଡ଼ ପରିବାର ସେତେ ଶକ୍ତିଶାଳୀ ପରିବାର ଭାବରେ ଗଣା ହୋଇଥାନ୍ତି । କଥାରେ ଅଛି: "କ୍ଷୀର ଖାଇବାକୁ ମନ କଲେ ଘରେ ଥିବ ଗାଈ/ ଠେଙ୍ଗା ଧରି ବାହାରିଲେ ସାଙ୍ଗେ ଥିବ ଭାଇ'!
ପରିବାରର ଜଣେ ଅଧେ ସଦସ୍ୟଙ୍କୁ ପାଠ ପଢ଼ିବାପାଇଁ ସହର ପଠାଇ ଅନ୍ୟମାନେ ଜଣେ ମାତ୍ର ମୁରବି ଅଧୀନରେ ଚାଷକାମ ହେଉ ବା ଅନ୍ୟ କୌଳିକ ବୃତ୍ତିରେ ଲାଗିଥାନ୍ତି । କୌଳିକ ବୃତ୍ତିରୁ ଅର୍ଜନ କରୁଥିବା ଆୟ, ପ୍ରାୟ ପରିବାର ଖର୍ଚ୍ଚ ପାଇଁ ଯଥେଷ୍ଟ ହୋଇଥାଏ । ଘର ଚଳେଇବା ପାଇଁ ବହୁତ କିଛି ଆବଶ୍ୟକତା ନଥାଏ, ଭଲରେ ଖାଇବା, ପିନ୍ଧିବା, ପୂଜା ପର୍ବାଣୀ ଖର୍ଚ୍ଚ, ଯାନିଯାତ୍ରା ଓ ପିଲାଙ୍କ ପାଠ ପମେଇବା ଇତ୍ୟାଦି ଖର୍ଚ୍ଚ ସୁରୁଖୁରୁରେ ଚାଲିଯାଏ । ଗାଁରେ ପାଲା, ଦାସକାଠିଆ, ଯାତ୍ରା, ଡ୍ରାମା, ଭାଗବତ ଟୁଙ୍ଗୀ ମନୋରଞ୍ଜନ ପାଇଁ ଯଥେଷ୍ଟ ଥିଲା ।
ମୁରବିମାନଙ୍କର ତ୍ୟାଗ ଅତୁଳନୀୟ, ତେଣୁ ପରିବାରର ସମସ୍ତ ସଦସ୍ୟ ତାଙ୍କୁ ସମ୍ମାନ ଦେଇଥାନ୍ତି । ଘରେ ସବୁ ପିଲାଙ୍କ ପାଇଁ ସମାନ ପୋଷାକ, ସବୁ ସ୍ତ୍ରୀଲୋକଙ୍କ ପାଇଁ ସମାନ ଶାଢ଼ି ଏବଂ ସମସ୍ତଙ୍କ ପାଇଁ ସମାନ ଉପହାର ଆଣିବା ଥିଲା ମୁରବିମାନଙ୍କ ପ୍ରଥମ ଦାୟିତ୍ୱ । ପିଲାମାନଙ୍କ ଭିତରେ ତେଣୁ ଭେଦଭାବ କିଛି ଦେଖିବାକୁ ମିଳୁନଥିଲା, ବଡ଼ ପରିବାରର ପିଲାମାନେ ସାଧାରଣତଃ ଅନ୍ୟମାନଙ୍କ ପାଇଁ ଯଥେଷ୍ଟ ଯତ୍ନବାନ ଥାଆନ୍ତି । ଭଲ ଜିନିଷକୁ ସମାନ ଭାବରେ ବାଣ୍ଟି କରି ଉପଭୋଗ କରିବା ଲକ୍ଷଣ ପ୍ରାୟ ଯୌଥ ପରିବାରରୁ ଆସିଥିବା ପିଲାମାନଙ୍କ ଠାରେ ବିଶେଷ ଭାବରେ ପରିଲକ୍ଷିତ ହୋଇଥାଏ ।
ଦରକାର ବେଳେ ଜଣେ ଅନ୍ୟ ଜଣଙ୍କ ସାହାଯ୍ୟରେ ଆଗଭର ହୋଇଥାନ୍ତି ଏମାନେ, ଯାହାର ପ୍ରଭାବ ସେହି ସମୟର ସମାଜ ଉପରେ ପଡ଼ିଥାଏ । ଘରର ମୁରବିଙ୍କ ପ୍ରଭାବ ତାଙ୍କ ବଡ଼ପୁଅଙ୍କ ଉପରେ ବିଶେଷ ଭାବରେ ପରିଲିଖିତ ହୋଇଥାଏ । ସାଧାରଣତଃ ଘରର ବଡ଼ପୁଅ ପରିବାରର ସମସ୍ତ ସାନମାନଙ୍କ ଦାୟିତ୍ୱ ନିଜ ମୁଣ୍ଡ ଉପରେ ନେଇଥାନ୍ତି ଓ ସେମାନଙ୍କୁ ଠିକ୍ ମଣିଷ କରି ଗଢ଼ିବାରେ ନିଜ ଜୀବନ ଉତ୍ସର୍ଗ କରିଥାନ୍ତି । ଘରର ବଡ଼ପୁଅ ଜଣେ ବାପର ଦାୟିତ୍ୱ ତୁଲାଇ ଥାଆନ୍ତି³ ଯଥା- ସାନଭାଇମାନଙ୍କୁ ପାଠ ପଢ଼େଇବା, ସେମାନଙ୍କୁ ବିଭାଘର କରେଇବା, ସେମାନଙ୍କ ପିଲା ଛୁଆଙ୍କ ଯତ୍ନ ନେବା ଇତ୍ୟାଦି ।
କିନ୍ତୁ "ମାଗୁଣିର ଶଗଡ଼' ଯୁଗର ସମାଜ, ଧୀରେ ଧୀରେ ଆଧୁନିକ ହେବାରେ ଲାଗିଲା, ପରିବାର ସଦସ୍ୟଙ୍କର ଆବଶ୍ୟକତା ବଢ଼ିବାରେ ଲାଗିଲା । ଟିଭି, ସିନେମା, ମୋଟର ଗାଡ଼ି, ମୋବାଇଲ ଫୋନ, କମ୍ପ୍ୟୁଟର ଆଦି ଜିନିଷ ଅତ୍ୟାବଶ୍ୟକ ଜିନିଷରେ ପରିଣତ ହୋଇଗଲା । ଚାଷବାସ ଓ ଅନ୍ୟ କୌଳିକ ବୃତ୍ତିରୁ ଆସୁଥିବା ଆୟ ଏସବୁ ଆବଶ୍ୟକତା ପୂରଣ କରିବାରେ ବିଫଳ ହେଲା । ଏସବୁ ଚାହିଦା ପୂରଣ କରିବାରେ ପରିବାର ସଦସ୍ୟଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଲା । ଦୈନନ୍ଦିନ ଜୀବନ ଯାପନରେ ଅଭାବ ଦେଖାଗଲା, ଅଭାବରୁ ସ୍ୱଭାବ ନଷ୍ଟ ପରି ପାରିବାରିକ ବନ୍ଧନ ହୁଗୁଳିବାକୁ ଲାଗିଲା ।
ଆଧୁନିକୀକରଣ, ଶିଳ୍ପାୟନ, ସହରୀକରଣ, ଜଗତୀକରଣ ସହିତ ସାମାଜିକ ମୂଲ୍ୟବୋଧର କ୍ଷୟ ଏବଂ ସାମାଜିକ ଅନୁଷ୍ଠାନଗୁଡ଼ିକ ଦୁର୍ବଳ ହେବାରେ ଲାଗିଲା । ମିଳିତ ପରିବାରର ସଦସ୍ୟମାନେ ସହରମୁଖା ହେଲେ । ଏକଦା ଗୋଟିଏ ବିରାଟ ପରିବାରରେ ବାସ କରୁଥିବା ବ୍ୟକ୍ତି କ୍ରମେ ଗୋଟିଏ ନିଉକ୍ଲିୟର ପରିବାରରେ ରହିବାକୁ ଲାଗିଲା । ବୋଧେ ନିଜ ସ୍ତ୍ରୀ ଓ ପିଲାଙ୍କ ସହିତ ରହି କେବଳ ନିଜପାଇଁ ସ୍ୱାଧୀନ ଭାବରେ ଚିନ୍ତା କରି ସ୍ୱାର୍ଥପର ହେବାକୁ ପସନ୍ଦ କଲା, ଯାହାର ପ୍ରଭାବ ପରୋକ୍ଷରେ ଆଜିର ସମାଜ ଉପରେ ପଡ଼ିଛି ।