ଭୁବନେଶ୍ବର, ୫।୫ : ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର। ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତୀ ବିଗ୍ରହଙ୍କର ଶାସ୍ତ୍ରୀୟ ଅନୁସାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ‘ଜଗନ୍ନାଥ ଧାମ’ , ‘ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର’, ‘ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳ ଧାମ’ ଭାବରେ ନାମିତ କରାଯାଇ ପାରିବ ନାହିଁ। ତେଣୁ ଦୀଘାରେ କରାଯାଇଥିବା ଜଗନ୍ନାଥ ମନ୍ଦିରକୁ କିମ୍ବା ସ୍ଥାନକୁ ଶ୍ରୀ ଜଗନ୍ନାଥ ଧାମରେ ନାମିତ କରାଯାଇ ପାରିବ ନାହିଁ। ମୁକ୍ତିମଣ୍ଡପ ପଣ୍ଡିତ ସଭା ମତ ଅନୁସାରେ ଏହା ଉଲ୍ଲେଖ କରୁଛି। ଦୀଘାକୁ ‘ଜଗନ୍ନାଥ ଧାମ’ରେ ନାମିତ କରିବାକୁ ନେଇ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏହି ମତ ରଖିଛନ୍ତି।
ମୁକ୍ତିମଣ୍ଡପ ପଣ୍ଡିତ ସଭାର ମତ ଅନୁସାରେ ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ କରି ପୂଜା କରିବା ଉଚିତ ନୁହେଁ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ଶ୍ରୀବିଗ୍ରହମାନଙ୍କୁ ସମର୍ପଣ କରାଯାଉଥିବା ନୈବେଦ୍ୟକୁ ଶ୍ରୀ ମହାପ୍ରସାଦ କୁହାଯିବା ଶାସ୍ତ୍ର ସମ୍ମତ ନୁହେଁ ବୋଲି ଗଜପତି ମହାରାଜ କହିଛନ୍ତି।
ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଦୀଘା ଶ୍ରୀ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କିମ୍ବା ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର ଭାବେ ନାମତ କରିବାରୁ ନିବୃତ୍ତ ରହିବାକୁ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା, ଟ୍ରଷ୍ଟି ଏବଂ ପୁଷ୍ଠପୋଷକମାନଙ୍କୁ ଗଜପତି ମହାରାଜ ଜଣାଇଛନ୍ତି।
ସୂଚନା ଥାଉକି, ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ଉପକୂଳବର୍ତ୍ତୀ ସହର ‘ଦୀଘା’ ଠାରେ ଜଗନ୍ନାଥ ମନ୍ଦିରକୁ ଧାମ କରାଯାଇଥିବା ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ଜଗନ୍ନାଥ ଧାମ ଘୋଷଣା କରିଥିବା ବେଳେ ସନାତନ ଧର୍ମ ଉପରେ ବିଶ୍ବାସ କରୁଥିବା ବ୍ୟକ୍ତି ବିଶେଷ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଛି।
ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ପଶ୍ଚିମବଙ୍ଗ ଜଗନ୍ନାଥ ଧାମ କରିପାରିବ ନାହିଁ। ଏଥି ପାଇଁ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ। ସେଠାରେ ଜଗନ୍ନାଥ ଧାମ କରିବାର କୌଣସି କାରଣ ନାହିଁ। ସେମାନେ ଜଗନ୍ନାଥ ଧାମ ବୋଲି କହିବାର କିଛି ଅଧିକାର ନାହିଁ। ପଶ୍ଚିମବଙ୍ଗ ରାଜନୈତିକ ଦୃଷ୍ଟିକୋଣରୁ କ’ଣ ଘଟୁଛି ତାହା ଭିନ୍ନ କଥା ହୋଇପାରେ। କିନ୍ତୁ ଆମ ସଂସ୍କୃତି, ଆମ ମନ୍ଦିର, ସୁରକ୍ଷା, ବ୍ୟବସ୍ଥା ସୁରକ୍ଷିତ ଅଛି ଓ ରହିବ। ସରକାରଙ୍କର ଯାହା ଦାୟିତ୍ଵ ସେ କଥା ତୁଲାଇବୁ।