ପ୍ରମୂଖ ଖବର

‘ଇନ୍‌ଷ୍ଟା କୁଇନ୍’ ଲେଡି କନ୍‌ଷ୍ଟେବଳ ଚାକିରିରୁ ବିଦା, ହରିୟାଣାରେ ଡ୍ରଗ୍ସ ଯୋଗାଣ ବେଳେ ଧରାପଡିଥିଲେ...

Published By : Prameya | April 4, 2025 9:55 AM

ଚଣ୍ଡିଗଡ଼,୦୪/୦୪: ସୋସିଆଲ ମିଡିଆରେ  ‘ଇନ୍‌ଷ୍ଟା କୁଇନ୍‌’ ନାଁରେ ଜଣା ପଞ୍ଜାବ ପୁଲିସର ବରିଷ୍ଠ  ଲେଡି କନ୍‌ଷ୍ଟେବଳ ଅମନଦୀପ କୌରଙ୍କୁ ବୁଧବାର ହେରୋଇନ୍‌ ସହ ଗିରଫ କରାଯାଇଥିଲା । ସେ ହରିୟାଣାରେ ଏହି ଡ୍ରଗ୍ସ ବିକ୍ରି କରୁଥିଲେ । ଗୁରୁବାର ତାଙ୍କୁ ଚାକିରିରୁ ବରଖାସ୍ତ  କରାଯାଇଛି । ନିଜ ଥାର୍‌ ଗାଡିରେ ହେରୋଇନ୍‌ ଯୋଗାଣ  କରିବାକୁ ଯାଉଥିବାବେଳେ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ  ଓ ବଠିଣ୍ଡା ପୁଲିସର ଟିମ୍‌ କୌରଙ୍କୁ ବାଦଲ ରୋଡ୍‌ରେ  ଅଟକାଇଥିଲା । ପୁଲିସ ତାଙ୍କ ଗାଡି ଅଟକାଇବାରୁ ପ୍ରଥମେ ସେ କର୍ମଚାରୀମାନଙ୍କୁ ଧମକ ଦେଇଥିଲେ । କିନ୍ତୁ ତାର କୌଣସି ପ୍ରଭାବ ନ ପଡିବାରୁ ଚମ୍ପଟ ମାରିବାକୁ ଉଦ୍ୟମ  କରିଥିଲେ । ପୁଲିସ ଟିମ୍‌ ତାଙ୍କର ପିଛା କରି ତାଙ୍କୁ ଗିରଫ  କରିଥିଲା । ଗାଡିର ଯାଞ୍ଚ କରାଯିବାରୁ ଗିଅର ବକ୍ସରୁ  ୧୭.୭୧ ଗ୍ରାମ ହେରୋଇନ୍‌ ମିଳିଥିଲା । ଲେଡି କନ୍‌ଷ୍ଟେବଳ  ମାନସାରେ ମୁତୟନ ଥିବାବେଳେ ବଠିଣ୍ଡା ପୁଲିସ ଲାଇନ୍‌  ସହ ମଧ୍ୟ ତାଙ୍କୁ ଆଟାଚ୍‌ କରାଯାଇଥିଲା ।  

ଆଇଜିପି ହେଡକ୍ୱାର୍ଟର ସୁଖଚୈନ୍‌ ସିଂହ କହିଛନ୍ତି,  ହେରୋଇନ୍‌ ସହ ଧରା ପଡିଥିବା ଲେଡି କନ୍‌ଷ୍ଟେବଳଙ୍କୁ  ତୁରନ୍ତ ଚାକିରିରୁ ବରଖାସ୍ତ କରାଯାଇଛି । ସରକାରୀ ନିୟମକୁ  ପାଳନ କରି ଧାରା ୩୧୧ ଅନୁସାରେ ତାଙ୍କ ବିରୋଧରେ ଏହି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କର ସମସ୍ତ ସମ୍ପତ୍ତିକୁ  ମଧ୍ୟ ଜବତ କରାଯିବ । ସେ ନିଜେ ନିଶା କରୁଥିବାବେଳେ  ତାଙ୍କର ଡୋପ୍‌ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । 

ବଠିଣ୍ଡା  ଡିଏସ୍‌ପି ସିଟି-୧ ହରବଂଶ ସିଂହ କହିଛନ୍ତି, କିଛି ପୁଲିସକର୍ମୀ  ନିଶାଦ୍ରବ୍ୟ ଚାଲାଣ କରୁଥିବା ନେଇ ଅଭିଯୋଗ ଆସୁଥିଲା । ସେଥିମଧ୍ୟରେ ଜଣେ କନ୍‌ଷ୍ଟେବଳ ସାମିଲ ଥିବାବେଳେ ସେ  ଥାର୍‌ ଗାଡି ଚଳାଉଥିବା ନେଇ ଖବର ମିଳିଥିଲା । ଏହାପରେ  ତାଙ୍କୁ ଧରିବାକୁ ମିଳିତ ଅପରେସନ୍‌ ହୋଇଥିଲା । ସୂଚନାଥାଉକି,  ଅମନଦୀପ ପୁଲିସ ବିଭାଗରେ ‘ମେରୀ ଜାନ୍‌’ ନାଁରେ ପ୍ରସିଦ୍ଧ  ଥିଲେ । ଚାକିରିରୁ ଛୁଟି ନେଇ ସେ ହେରୋଇନ କିଣି ତାର  ବ୍ୟବସାୟ କରୁଥିଲେ । ସେହିପରି ସୋସିଆଲ୍‌ ମିଡିଆରେ  ତାଙ୍କର ପ୍ରାୟ ୧୪ ହଜାର ଫଲୋଅର୍ସ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.