ପୁରୀ,୮/୧୨ : ସରକାର କୃଷି ଓ କୃଷକର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ। ସେଥିପାଇଁ ପ୍ରଥମ କ୍ୟାବିନେଟରେ କୃଷକ ମାନଙ୍କୁ ୮୦୦ ଟଙ୍କାର ସବସିଡ ପାଇଁ ମୋହର ମାରିଥିଲେ । ଆଜି ବଡ ଖୁସି ଓ ଗୌରବର କଥା ଯେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଚାଷୀମାନଙ୍କୁ ସେହି ୮୦୦ଟଙ୍କା ସବସିଡ ପ୍ରଦାନର ଶୁଭାରମ୍ଭ ହେଉଛି । ଚଳିତ ବର୍ଷ ଚାଷୀ କ୍ୟୁଣ୍ଟାଲ ପିଛା ଧାନର ମୂଲ୍ଯ ୨୩୦୦ ଟଙ୍କା ଓ ସବସିଡ ୮୦୦ ଏହି ଭଳି ୩୧୦୦ ଟଙ୍କା ପାଇବେ ବୋଲି ମତ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପରିଡ଼ା ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପରେ ବରଗଡ ଜିଲ୍ଲା ସୋହେଲାରୁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସ୍ତରୀୟ ଉଦଘାଟନ ସିଧା ପ୍ରସାରଣ କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ଆକାଉଣ୍ଟକୁ ସବସିଡ ଅର୍ଥ ପ୍ରଦାନ କରିଥିଲେ । ନିଜ ଅଭିଭାଷଣରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆମ ସରକାର ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଶ୍ୱାସ କରେ ବୋଲି କହିଥିଲେ । ସୁଭଦ୍ରା ଯୋଜନାରେ ୮୦ ଲକ୍ଷରୁ ଊର୍ଦ୍ଧ୍ବ ମା’ଙ୍କୁ ସାମିଲ କରାଯାଇଛି ।
ଚଳିତ ଖରିଫ ଋତୁରେ ପୁରୀ ଜିଲ୍ଲାରେ ୪୯୨୭୬ଚାଷୀ ଅନଲାଇ ରେ ସୋସାଇଟି ମାଧ୍ୟମରେ ପଞ୍ଜିକରଣ କରିଥିବା ବେଳେ ଯାଞ୍ଚ ପରେ ୪୯୨୪୦ ଯୋଗ୍ୟ ବିବେଚିତ ହୋଇଛନ୍ତି । ଚଳିତ ବର୍ଷ ୧୮୪ଗୋଟି ସୋସାଇଟି ଓ ୩ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହରେ ନିୟୋଜିତ ଅଛନ୍ତି । ୨୧ ଗୋଟି ମିଲର ଜିଲ୍ଲାର ଧାନ ସଂଗ୍ରହ ରେ ସହଯୋଗ କରିବେ।କୌଣସି କଟନି ଛଟନି ହେବ ନାହିଁ କିମ୍ବା ଧାନ ସଂଗ୍ରହ ରେ ଯେପରି ସମସ୍ୟା ରହିବ ନାହିଁ ସେଥିପାଇଁ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ମଣ୍ଡି ଜଗିବାର ଦାୟିତ୍ୱ ଦିଆଯାଇଛି।ଧାନର ପ୍ରାପ୍ୟ ୩୧୦୦ ଟଙ୍କା ଡିବିଟି ମାଧ୍ୟମରେ ଚାଷୀ ଙ୍କ ଆକାଉଣ୍ଟ କୁ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ପଠାଯିବ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଥିଲେ।ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ ସରକାର କୃଷକ ମାନଙ୍କ ପାଇଁ ସମସ୍ତ ସହଯୋଗ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଏହି ଇନପୁଟ ସହାୟତା କୃଷକ ଙ୍କୁ ସେମାନଙ୍କ ଚାଷ ପାଇଁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ମନୋବଳକୁ ବୃଦ୍ଧି କରିବ ବୋଲି କହିଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ବରିଷ୍ଠ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, କୃଷକ ମାନେ ଯୋଗ ଦେଇଥିଲେ।
ସୂଚନା ଯୋଗ୍ୟ ଯେ ଆସନ୍ତା ଜାନୁୟାରୀ ୩ ତାରିଖରୁ ବ୍ରହ୍ମଗିରି, ପିପିଲି ଓ କୃଷ୍ଣ ପ୍ରସାଦ ବ୍ଲକ ଅଞ୍ଚଳର ଧାନ ସଂଗ୍ରହ କରାଯିବ।ଜାନୁଆରୀ ୭ ତାରିଖରୁ ଅନ୍ୟାନ୍ୟ ସମସ୍ତ ବ୍ଲକ ଅଞ୍ଚଳରୁ ଧାନ ସଂଗ୍ରହ କରାଯିବ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୧୬୮୬୦୩ କ୍ୟୁଣ୍ଟାଲ ଧାନ ସଂଗ୍ରହ କରାଯିବ।ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଲକ୍ଷ୍ୟ ବୃଦ୍ଧି କରାଯିବ।ଅଭାବୀ ଧାନ ବିକ୍ରି ଓ ବେନିୟମ କିଣା ବିକାକୁ ପ୍ରତିହତ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ସମବାୟ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ସୂଚନା ଦେଇଛନ୍ତି।