ନୂଆଦିଲ୍ଲୀ,୦୧/୦୩: ଏବେ ଦେଶର ନିଯୁକ୍ତି ବଜାର ସଙ୍କଟ ସ୍ଥିତି ଦେଇ ଗତି କରୁଛି । ଶିଳ୍ପ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ଅଟୋମେଶନର ବ୍ୟବହାର ଦ୍ରୁତ ଭାବେ ବଢ଼ୁଛି । ଅନ୍ୟପଟେ ନୂଆ ଗ୍ରାଜୁଏଟ୍ମାନେ ନିଯୁକ୍ତି ପାଇବାରେ ବଡ଼ ସମସ୍ୟା ଉପୁଜୁଛି ।
ମର୍ସର ଆଣ୍ଡ୍ ମେଟଲ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ସ୍କିଲ୍ ଇଣ୍ଡେକ୍ସ ୨୦୨୫ ମୁତାବକ, ଦେଶର ମାତ୍ର ୪୨.୬% ଗ୍ରାଜୁଏଟ ନିଯୁକ୍ତି ଲାଗି ଯୋଗ୍ୟତା ହାସଲ କରିଛନ୍ତି । ଏହା ୨୦୨୩ରେ ୪୪.୩% ରହିଥିବା ବେଳେ ଏଥିରେ ହ୍ରାସ ଚିନ୍ତା ବଢ଼ାଇଛି । ଏବେ ଶିଳ୍ପସଂସ୍ଥାଗୁଡ଼ିକ ଯେଉଁ ଭଳି ସ୍କିଲ ଆବଶ୍ୟକ କରୁଛନ୍ତି ନୂଆ ଗ୍ରାଜୁଏଟଙ୍କ ନିକଟରେ ତା’ର ଅଭାବ ରହୁଛି । ଏବେ ଏଆଇ, ଡାଟା ଆନାଲିଟିକ୍ସ ଭଳି କ୍ଷେତ୍ରରେ ନିଯୁକ୍ତି ଚାହିଦା ରହିଛି । ମାତ୍ର ଯୁବବର୍ଗଙ୍କ ମଧ୍ୟରେ ଏହି ଦକ୍ଷତା ଅଭାବ ରହୁଛି ।
ଅନ୍ୟପଟେ ଯୋଗାଯୋଗ, ପ୍ରୋବ୍ଲେମ୍ ସଲ୍ଭିଂ ଏବଂ ସୃଜନଶୀଳତା ଭଳି ଅଣଯାନ୍ତ୍ରିକ କୌଶଳ ମଧ୍ୟ କମ୍ ରହୁଛି । ଫଳରେ ଚାକିରି ପାଇବାରେ ନୂଆ ଗ୍ରାଜୁଏଟ୍ଙ୍କୁ ବଡ଼ ସମସ୍ୟା ଉପୁଜୁଛି । ଦେଶର ବିଭିନ୍ନ ବର୍ଗର ସହରଗୁଡ଼ିକୁ ଦେଖିଲେ ଟିୟର-୧ ସହରର ଗ୍ରାଜୁଏଟଙ୍କ କ୍ଷେତ୍ରରେ ନିଯୁକ୍ତି ହାର ୪୮.୪% ରହିଛି । ଯାହା ଟିୟର-୨ ସହରରେ ୪୬.୧ ଏବଂ ଟିୟର-୩ ସହରରେ ୪୩.୪% । ରାଜ୍ୟଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀରେ ଏହି ହାର ୫୩.୪% ଥିବା ବେଳେ ହିମାଚଳ ପ୍ରଦେଶ ଏବଂ ପଞ୍ଜାବରେ ଏହା ୫୧.୧% ଲେଖାଏଁ ରହିଛି । ଏହି ରାଜ୍ୟଗୁଡ଼ିକରେ ମାନଯୁକ୍ତ ଶିକ୍ଷା, ଶିଳ୍ପ ସହଭାଗିତା ଏବଂ ଉନ୍ନତ ଆର୍ôଥକ ସ୍ଥିତି ଯୋଗୁ ଯୁବବର୍ଗ ନିଯୁକ୍ତି ପାଇବାରେ ସହାୟକ ହେଉଛି ।
ରିପୋର୍ଟ ମୁତାବକ, ଏଆଇ ଏବଂ ମେସିନ୍ ଲର୍ଣ୍ଣିଂ ଭଳି କ୍ଷେତ୍ରଗୁଡ଼ିକରେ ୨୦୨୩ ତୁଳନାରେ ନିଯୁକ୍ତି ପାଉଥିବା ଗ୍ରାଜୁଏଟଙ୍କ ନିଯୁକ୍ତି ଆଖିଦୃଶିଆ ବଢ଼ିଛି । ଏସବୁ କ୍ଷେତ୍ରରେ ୪୬% ଗ୍ରାଜୁଏଟଙ୍କ ନିଯୁକ୍ତି ହେଉଛି । ଡିଜିଟାଲ କ୍ଷେତ୍ରରେ ନିଯୁକ୍ତି ଚାହିଦା ବଢ଼ିଥିବା ବେଳେ ଲିଙ୍ଗଗତ ବୈଷମ୍ୟତା କମାଇଛି ।