ନୂଆଦିଲ୍ଲୀ: ୟୁଏଇକୁ ପରାସ୍ତ କରିବା ପରେ ଏସିସି ଅଣ୍ଡର-୧୯ ଏସିଆ କପ୍ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ୟୁଏଇକୁ ୧୦ ୱିକେଟ୍ରେ ପରାସ୍ତ କରି ଭାରତ ସେମିରେ ପ୍ରବେଶ କରିଛି । ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନଠାରୁ ପ୍ରଥମ ମ୍ୟାଚ୍ ହାରିଥିବା ଭାରତ, ନିଜର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକରେ ଜାପାନ ଏବଂ ୟୁଏଇକୁ ପରାସ୍ତ କରିଛି । ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ୟୁଏଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୟୁଏଇ ଟିମ୍ ୪୪ ଓଭରରେ ୧୩୭ ରନ୍ରେ ଅଲଆଉଟ୍ ହୋଇଥିଲା । ଭାରତ ପାଇଁ ଯୁଦ୍ଧଜିତ୍ ଗୁହା ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ଚେତନ ଶର୍ମା ଏବଂ ହାର୍ଦ୍ଦିକ ରାଜ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ।
୧୩୮ ରନ୍ ପିଛା କରିଥିବା ଭାରତ ୧୬.୧ ଓଭରରେ ୧୪୩ ରନ୍ କରି ମ୍ୟାଚ୍ ନିଜ ନାଁରେ କରିଛି । ଭାରତ ପାଇଁ ମାତ୍ରେ ୬୭ ରନ୍ ଏବଂ ଚର୍ଚ୍ଚିତ ଯୁବ ବ୍ୟାଟର ସୂର୍ଯ୍ୟବଂଶୀ ୭୬ ରନ୍ କରିଛନ୍ତି । ଦୁଇ ଓପନର ଭାରତ ପାଇଁ ଚମତ୍କାର ବ୍ୟାଟିଂ କରି ଟିମକୁ ସହଜ ବିଜୟ ଦେଇଛନ୍ତି । ଗ୍ରୁପ୍ ଏ’ରୁ ଭାରତ ଏବଂ ପାକିସ୍ତାନ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ସେମିଫାଇନାଲରେ ଭାରତ ବନାମ ଶ୍ରୀଲଙ୍କା ମୁକାବିଲା ହେବ । ଦ୍ୱିତୀୟ ସେମିଫାଇନାଲରେ ବାଂଲାଦେଶ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ଡିସେମ୍ୱର ୬ରେ ଉଭୟ ସେମିଫାଇନାଲ ଖେଳାଯିବ ।
ଶ୍ରୀଲଙ୍କା ଏବଂ ପାକିସ୍ତାନ ଟିମ୍ ଏବେ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଅଛନ୍ତି । ଶ୍ରୀଲଙ୍କା ଗ୍ରୁପ୍ ବି’ରେ ବାଂଲାଦେଶ, ନେପାଳ ଏବଂ ଆଫଗାନିସ୍ତାନକୁ ହରାଇଛି । ଗ୍ରୁପ୍ ବି’ରୁ ଶ୍ରୀଲଙ୍କା ଏବଂ ବାଂଲାଦେଶ ସେନିଫାଇନାଲ ପାଇଁ କ୍ୱିଲାଫାଏ କରିଛନ୍ତି । ଟିମ୍ଗୁଡ଼ିକର ପ୍ରଦର୍ଶନ ଦେଖିବାକୁ ଗଲେ ଭାରତ ଏବଂ ପାକିସ୍ତାନ ଫାଇନାଲ୍ ପାଇଁ ପ୍ରବଳ ଦାବିଦାର । ଡିସେମ୍ୱର ୮ରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଫାଇନାଲ୍ ମୁକାବିଲା ଖେଳାଯିବ ।