ବାଉଁଶୁଣୀ,୧୦/୦୭: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଜମଘାଟୀ ଗ୍ରାମରେ ଗୁରୁବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ବାଉଁଶୁଣୀ ପଞ୍ଚାୟତ ଜମଘାଟୀ ଗ୍ରାମର ଶିବ ପ୍ରସାଦ ମହାନନ୍ଦିଆ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ବାଉଁଶୁଣୀ ପଞ୍ଚାୟତ ଜମଘାଟୀ ଗ୍ରାମର ଶିବ ପ୍ରସାଦ ମହାନନ୍ଦିଆ ତାଙ୍କ ସ୍ତ୍ରୀଙ୍କ ସହ ଘରେ ରହୁଥିବା ବେଳେ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପଡ଼ି ଅସୁସ୍ଥ ଥିଲେ । ଘର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅର ପାରାପିଟ୍ ବାଡାରେ ବସିଥିବା ବେଳେ କୌଣସି କାରଣରୁ କୂଅ ଭିତରକୁ ଖସି ପଡିଥିଲେ । ଏକଥା ଜାଣିବା ପରେ ଆଖ ପାଖରେ ଥିବା ଲୋକେ ବାଉଁଶୁଣୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପରୀକ୍ଷା କରି ଶିବ ପ୍ରସାଦଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଉଁଶୁଣୀ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି । ପରିବାର ଲୋକେ ପହଞ୍ଚିବା ପରେ ମୃତଦେହକୁ ବୌଦ୍ଧରେ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।