ମାଲକାନଗିରି, ୨୧/୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଗୁରୁବାର ଦୁଇଟି ସ୍ଥାନରେ ବଡ଼ ଧରଣର ଗୁଳି ବିନିମୟରେ ୩୦ମାଓବାଦୀ ନିହତ ହୋଇଥିଲେ। ଏହି ଘଟଣାରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବୀଜାପୁର ଗୁଳି ବିନିମୟରେ ନିହତ ହୋଇଥିବା ୨୬ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେଉଁଥିରେ ୧୪ଜଣ ମହିଳା ମାଓବାଦୀଙ୍କ ମୃତଦେହ ରହିଛି।
ଏନକାଉଣ୍ଟରରେ ନିହତ ୧୮ଜଣ ମାଓବାଦୀଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ୧୮ ଜଣ ମାଓବାଦୀଙ୍କ ମଧ୍ୟରେ ଡିଭିସିଏମ, ଏସିଏମ, ପିଏଲଜିଏ ସଦସ୍ୟ ଭଳି ଅନେକ କ୍ୟାଡର ଓ ଇନାମି ମାଓବାଦୀ ରହିଛନ୍ତି । ସେହିପରି ଘଟଣାସ୍ଥଳରୁ ବିପୁଳ ପରିମାଣର ଏକେ ୪୭, ଏସଏଲଆର, ଇନ୍ସାସ, ରାଇଫଲ୍, ୩୦୩ ରାଇଫଲ୍, ରକେଟ୍ ଲଞ୍ଚର୍, ବୀଜିଏଲ ଲଞ୍ଚର୍ ଅସ୍ତ୍ରଶସ୍ତ୍ର ସହିତ ବିସ୍ଫୋରକ, ଔଷଧ, ମାଓ ୟୁନିଫର୍ମ, ସାହିତ୍ୟ ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି।
ସେହିପରି ଗତକାଲି ଶହିଦ ହୋଇଥିବା ଡିଆରଜି କନଷ୍ଟେବଳ ରାଜୁରାମ ଓୟାମଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ତାଙ୍କର ସେସ କୃତ୍ୟ କରାଯାଇଛି । ଏନକାଉଣ୍ଟରରେ ନିହତ ୧୮ ଜଣ ମାଓବାଦୀଙ୍କ ପ୍ରାଥମିକ ଚିହ୍ନଟ କରାଯାଇଥିବାବେଳେ ଏମାନଙ୍କ ନାମରେ ପ୍ରାୟ ୯୩ ଲକ୍ଷର ଇନାମ ରହିଥିବା ଜଣା ପଡିଛି ।