ନୂଆଦିଲ୍ଲୀ, ୨୫/୦୭ : ମେଘାଳୟରେ କାୟା ବିସ୍ତାର କରିଛି ଏଡ୍ସ୍। ଅସୁରକ୍ଷିତ ଯୌନ ସମ୍ପର୍କରୁ ମାଡ଼ୁଛି ମାରାତ୍ମକ ରୋଗ। ଚିନ୍ତା ପ୍ରକଟ କଲେ ସ୍ଵାସ୍ଥ୍ୟମନ୍ତ୍ରୀ ଏମ୍ପରିନ ଲିଙ୍ଗଦୋହ। ବାହାଘର ପୂର୍ବରୁ ଏଚଆଇଭି ଟେଷ୍ଟ ହେବ ବାଧ୍ୟତାମୂଳକ। ବିନା ଟେଷ୍ଟରେ ନୋ ମ୍ୟାରେଜ୍। ଏଥିପାଇଁ ଖୁବ୍ ଶୀଘ୍ର ଆସିବ ଆଇନ। ପ୍ରସ୍ତୁତି ଚଳାଇଛନ୍ତି ମେଘାଳୟ ସରକାର। ଏହି ନିୟମ ଲାଗୁ ହେଲେ, ଆଗେ ଏଚଆଇଭି ଟେଷ୍ଟ ତାପରେ ବାହାଘର।
ଏଚଆଇଭି ମାମଲାରେ ଦେଶର ଷଷ୍ଠ ସ୍ଥାନରେ ରହିଛି ମେଘାଳୟ। ତେଣୁ ଏଡ୍ସ୍ ନେଇ ଖୁବଶୀଘ୍ର ନୂଆ ଆଇନ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏବେ ବିବାହ ପୂର୍ବରୁ ଏଚଆଇଭି ଟେଷ୍ଟ ବାଧ୍ୟତାମୂଳକ ହେବ। ଏନେଇ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇଛି। ଏହି ବୈଠକରେ ଏଡ୍ସ୍ ଉପରେ ନୂଆ ନୀତି ଆଣିବାକୁ ଆଲୋଚନା ହୋଇଛି। ସ୍ଵାସ୍ଥ୍ୟ ବିଭାଗକୁ ଏ ସମ୍ପର୍କରେ କ୍ୟାବିନେଟ୍ ନୋଟ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲ୍ଲାରେ ୩ ହଜାର ୪୩୨ ଏଡ୍ସ୍ ମାମଲା ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ୧୫ ଶହ ୮୧ ରୋଗୀଙ୍କ ଚିକିତ୍ସା ଚାଲିଛି। ଅସୁରକ୍ଷିତ ଯୌନ ସମ୍ପର୍କ ଏହାର ମୁଖ୍ୟ କାରଣ ପାଲଟିଛି। ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ମେଘାଳୟରେ ଏଡ୍ସ୍ ମାଡ଼ିବାରେ ଲାଗିଛି। ଯାହାକି ଚିନ୍ତାର ବିଷୟ। ତେଣୁ ମେଘାଳୟରେ ଏଚଆଇଭି ଟେଷ୍ଟ ବାଧ୍ୟତାମୂଳକ ହେବ। ଏହା ପୁରା ସମାଜ ପାଇଁ ଲାଭଦାୟକ ହେବ। ଟେଷ୍ଟ ପରେ ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରତି ବ୍ୟକ୍ତିଙ୍କ ଚିକିତ୍ସା କରାଯିବ। ଏଡସ୍ ଏକ ଘାତକ ରୋଗ ନୁହେଁ। ଯଦି ଗୋଆରେ ଏଚଆଇଭି ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ତାହେଲେ ମେଘାଳୟରେ କାହିଁକି ହୋଇପାରିବ ନାହିଁ ?