ଭୁବନେଶ୍ୱର,୦୭/୦୭: ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି । ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ । କଲେଜ, ବିଶ୍ୱବିଦ୍ୟାଳୟରେ ପାଠପଢ଼ାକୁ ଗୁଣାତ୍ମକ କରାଯିବ । କେବଳ ଗୁଣାତ୍ମକ ନୁହେଁ ମାନବ ସମ୍ବଳ ବୃଦ୍ଧି କରାଯିବ । ଏଥିପାଇଁ ଯୋଜନା ଆଙ୍କିଛନ୍ତି ରାଜ୍ୟ ସରକାର । ପାଠପଢ଼ା ଗୁଣାତ୍ମକ, ସୁନିଶ୍ଚିତ କରିବା ଲାଗି ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ବଢ଼ାଯିବ । ଶିକ୍ଷକ-ଛାତ୍ର ଅନୁପାତ ସବୁ ସମୟରେ ଯେପରି ଠିକ୍ ରହିବ ତାକୁ ଦୃଷ୍ଟି ଦିଆଯିବ । ଏଥିଲାଗି ଅତିରିକ୍ତ ଭାବେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନେ ଯେପରି ପିଏଚ୍ଡି କରିବେ ତାକୁ ବାଧ୍ୟତାମୂଳକ କରାଯିବ । ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ରେ ଏପରି ଯୋଜନା କରାଯାଇଛି ।
ଜାତୀୟ ଶିକ୍ଷାନୀତି ୨୦୨୦ ଶିକ୍ଷକ- ଛାତ୍ର ଅନୁପାତକୁ ଗୁରୁତ୍ୱ ଦେଉଛି । ଯାହାକୁ ଆଧାର କରି ସରକାର ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ୱ ଦେଉଛନ୍ତି । ୨୦୩୬ ସୁଦ୍ଧା ରାଜ୍ୟରେ ଅତିରିକ୍ତ ୧୬ ହଜାର ଅଧ୍ୟାପକ ନିଯୁକ୍ତି ଦିଆଯିବ । କେବଳ ନିଯୁକ୍ତି ଦିଆଯିବନି ଗୁଣାତ୍ମକ ପାଠପଢ଼ା ପାଇଁ ଶିକ୍ଷାଦାନ ଢାଞ୍ଚାରେ ପରିବର୍ତ୍ତନ କରାଯିବ । ଅଧ୍ୟାପକଙ୍କ ତାଲିମ ଓ ପ୍ରଶିକ୍ଷଣଙ୍କୁ ସୁଦୃଢ଼ କରାଯିବ । ୨୦୨୯ ସୁଦ୍ଧା ରାଜ୍ୟରେ ଓଡ଼ିଶା ଉଚ୍ଚଶିକ୍ଷା ଶିକ୍ଷକ ତାଲିମ ପ୍ରତିଷ୍ଠାନ (ଓଏଚ୍ଟିଟିଆଇ) ପ୍ରତିଷ୍ଠା କରାଯିବ । ଏଥିରେ ରାଜ୍ୟର କଳା, ସଂସ୍କୃତି ରହିବ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ଅଧ୍ୟାପକମାନେ ଆସି ତାଲିମ ପ୍ରଦାନ କରିବେ ।
ନିୟମିତ ଭାବେ ଦକ୍ଷତା ବିକାଶ, ମାର୍ଗଦର୍ଶନ ଆଦି କାର୍ଯ୍ୟକ୍ରମ ହେବ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ପିଏଚ୍ଡି କରିବା ବାଧ୍ୟତାମୂଳକ ହେବ । ଏଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ । କେବଳ ଏତିକି ନୁହେଁ ଅଧ୍ୟାପକଙ୍କ ଶୈକ୍ଷିକ ବିବରଣୀ ରଖାଯିବ । ଏଥିସହ ଅଧ୍ୟାପକ ନିଯୁକ୍ତି ପାଇଁ କଷ୍ଟମ୍ ପ୍ରୋଗ୍ରାମକୁ ବିକଶିତ କରାଯିବ । ଏଥିରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଆବଶ୍ୟକ ହେଲେ ବାହାର ରାଜ୍ୟର ଅଭିଜ୍ଞ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ । ଏଥିପାଇଁ ସେମାନେ ନେଉଥିବା ପାରିଶ୍ରମିକରେ କୌଣସି କଟକଣା ରଖାଯିବ ନାହିଁ ।
ପ୍ରଫେସର ଅଫ୍ ପ୍ରାକ୍ଟିସ୍ କରାଯିବ । ଯେଉଁଥିରେ ଶିଳ୍ପ କ୍ଷେତ୍ରରେ ଶିକ୍ଷାଦାନ କରିବାର ସକ୍ଷମତା, ଏପରିକି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା ବିଶେଷଜ୍ଞମାନଙ୍କୁ ପାଠପଢ଼ାରେ ନିୟୋଜିତ କରାଯିବ । ଉଚ୍ଚଶିକ୍ଷା ପାଇଁ ‘ନେତୃତ୍ୱ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରାଯିବ । ଏଥିରେ ଶିକ୍ଷାଦାନରେ ଅତି ଉତ୍ତମ ଓ ଦକ୍ଷତା ଥିବା ଅଧ୍ୟାପକଙ୍କୁ ଚିହ୍ନଟ କରାଯିବ । ସେମାନଙ୍କୁ ନେଇ ଅନ୍ୟ ଅଧ୍ୟାପକଙ୍କୁ ତାଲିମ ପ୍ରଦାନ କରାଯିବ ।
କେବଳ ଏତିକି ନୁହେଁ, ଅଧ୍ୟାପକଙ୍କ ଶିକ୍ଷାଦାନର ମାନକୁ ଜାଣିବା ପାଇଁ ଶିକ୍ଷାର୍ଥୀ, ସହପାଠୀଙ୍କୁ ନେଇ ସମୀକ୍ଷା କରାଯିବ । ଗୁଣାତ୍ମକ ଗବେଷଣା ବୃଦ୍ଧି କରିବା ଲାଗି ପ୍ରୋତ୍ସାହନ ଦିଆଯିବ । ଗୋଷ୍ଠୀ ସହଭାଗିତା ରହିବ । ଏଥିସହ ଏକ ଭର୍ଚୁଆଲ ତାଲିମ କାର୍ଯ୍ୟକ୍ରମ ପାଇଁ ସେଟ୍ଅପ୍ କରାଯିବ । ଏହାକୁ ପିପିପି ମୋଡ୍ରେ କରାଯିବ ।