ନୂଆଦିଲ୍ଲୀ: ଲେବାନନର ରକେଟ ମାଡରେ ଗୁରୁବାର ଦିନ ଉତ୍ତର ଇସ୍ରାଏଲରେ ଆତଙ୍କ ଖେଳିଯାଇଛି । ଶକ୍ତିଶାଳୀ ରକେଟ୍ ଆକ୍ରମଣରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୪ ଜଣ ବିଦେଶୀ କର୍ମଚାରୀ ଏବଂ ତିନି ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ୍ ସେନା ଆଶଙ୍କା କରୁଛି ଯେ ହିଜବୁଲ ହୁଏତ ଏହି ରକେଟ୍ ଆକ୍ରମଣ କରିଥାଇପାରେ। ଇସ୍ରାଏଲ୍ ଡାକ୍ତର ମାନେ ଏହି ସୂଚନା ଦେଇଛନ୍ତି। କୁହାଯାଉଛି ଯେ, ଲେବାନନ୍ ଉପରେ ଆକ୍ରମଣ ପରଠାରୁ ଏହା ଇସ୍ରାଏଲରେ ସବୁଠାରୁ ଘାତକ ସୀମା ଆକ୍ରମଣ ।
ସୂଚନାଥାଉକି ଯେ ଇସ୍ରାଏଲ୍ ସେନା ଲେବାନନରେ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି ଏବଂ ଏହା ହିଜବୁଲ ଆତଙ୍କବାଦୀଙ୍କୁ ଟାର୍ଗେଟ କରୁଛି ବୋଲି କହିଛି। ଗୁରୁବାର ଦିନ ବେରୁଟରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ଲେବାନାନର ସ୍ୱାସ୍ଥ୍ୟ ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଆମେରିକୀୟ କୂଟନୀତିଜ୍ଞମାନେ ଏହି ଅଞ୍ଚଳରେ ଉପସ୍ଥିତ ଅଛନ୍ତି ଏବଂ ଲେବାନନ୍ ଏବଂ ଗାଜାରେ ଅସ୍ତ୍ରବିରତି ପାଇଁ ଦାବି କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଇସ୍ରାଏଲ୍ ସୈନ୍ୟବାହିନୀ ଉତ୍ତର ଗାଜାର ଏକ ଡାକ୍ତରଖାନା ଉପରେ ଆକ୍ରମଣ କରି ଜାତିସଂଘ ଏଜେନ୍ସି ଦ୍ୱାରା ଡାକ୍ତରଖାନାକୁ ପଠାଯାଇଥିବା ଅତ୍ୟାବଶ୍ୟକ ସାମଗ୍ରୀ ନଷ୍ଟ କରି ଦେଇଛନ୍ତି।