ଭୁବନେଶ୍ୱର ୧୪/୦୨: ଆଖିରେ ଅସୁମାରୀ ସ୍ୱପ୍ନ । ମନରେ ଅନେକ କଥା । ହୃଦୟର ଝରକା ଖୋଲି ମନର ମଣିଷ ପାଖରେ ସବୁକିଛି ବଖାଣି ଦେବାକୁ ଲୋଡ଼ା ଖାଲି ଏକ ସୁନ୍ଦର ମୁହୂର୍ତ୍ତ । ଆଉ ସେହି ରୋମାଞ୍ଚକର ମୁହୂର୍ତ୍ତକୁ ନେଇ ଆସିଛି ଫେବ୍ରୁଆରୀ ୧୪ ‘ଭାଲେଣ୍ଟାଇନ୍ ଡେ’ ବା ‘ପ୍ରେମ ଦିବସ’ । ଏହି ଅବସରରେ ଡେଣା ଝାଡ଼ି ବିସ୍ତୀର୍ଣ୍ଣ ନୀଳ ଆକାଶରେ ସ୍ୱାଧୀନ ଭାବେ ଉଡ଼ିବୁଲିବେ ଦୁଇ ପ୍ରେମ ପକ୍ଷୀ ପ୍ରେମିକ ଓ ପ୍ରେମିକା । ସେମାନଙ୍କ ମଧ୍ୟରେ ଅନ୍ତରାୟ ସୃଷ୍ଟି କରିବାକୁ କେହି ନଥିବେ । ନା ଥିବ ଆକଟ ନା ଥିବ କୌଣସି ଭୟ । ତେଣୁ ମନଖୋଲି ପରସ୍ପର ମିଶିବାକୁ ମନଲାଖି ଜାଗାଟିଏ ଖୋଜିସାରିଛନ୍ତି ପ୍ରେମୀ ଯୁଗଳ । ସମ୍ପ୍ରତି ପ୍ରେମର ପରିଭାଷା ବଦଳିଥିବା ବେଳେ ଭାବ ଆଦାନ ପ୍ରଦାନର ମାଧ୍ୟମ ବହୁତ ସହଜ ହୋଇଯାଇଛି । ତଥାପି ପ୍ରେମୀ ଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ଡେ ସ୍ୱତନ୍ତ୍ର ହୋଇରହିଛି ।
ଇତିହାସ ହେଉ କି କିମ୍ବଦନ୍ତୀ। ସବୁଥିରେ ସ୍ୱତନ୍ତ୍ର ସ୍ଥାନ ପାଇଛି ପ୍ରେମ। କେଦାର-ଗୌରୀ ହୁଅନ୍ତୁ କି ହୀର-ରାଞ୍ଝା, ଲୈଲା-ମଜନୁ। ଏସବୁର ଉଦାହରଣ ପ୍ରେମୀଯୁଗଳଙ୍କ ପାଇଁ ପ୍ରେରଣା। ପ୍ରେମ ହେଉଛି ବିରାମ ଶୂନ୍ୟ କବିତା। ଯାହା କେବେ ସରେନି ବରଂ ପୂରଣ କରିଚାଲେ ହୃଦୟର ଗୋଟିଏ ପରେ ଗୋଟେ ଫର୍ଦ୍ଦ। ଆଧୁନିକତାର ସ୍ପର୍ଶରେ ଭାଲେଣ୍ଟାଇନ୍ସ ଡେ’କୁ ନୂଆ ପରିଚୟ ଦେଇଛନ୍ତି ଆଜିର ଯୁବପିଢି।
ଭାଲେଣ୍ଟାଇନ୍ସ ଡେ’ କୌଣସି ଦିବସର ନାଁ ନୁହେଁ, ବରଂ ରୋମ୍ର ଜଣେ ସନ୍ଥଙ୍କ ନାମ। ଖ୍ରୀଷ୍ଟାବ୍ଦ ୨୭୦ ପାଖାପାଖି ସମୟରେ ରୋମ୍ରେ କ୍ଲାଉଡିୟସ୍ ଦ୍ୱିତୀୟ ନାମକ ରାଜା ଶାସନ କରୁଥାନ୍ତି। ଆଉ ସେ ନିଜକୁ ବେଶ୍ ଶକ୍ତିଶାଳୀ କରିବାକୁ ଇଚ୍ଛା ରଖିଥିଲେ। ଏଥିପାଇଁ ସେ ତାଙ୍କ ଦେଶର ସନ୍ୟ ବାହିନୀରେ ଥିବା ପ୍ରତିଟି ପୁରୁଷଙ୍କ ବିବାହ ଉପରେ ରୋକ୍ ଲଗାଇ ଦେଇଥିଲେ। ପ୍ରେମ ଓ ବିବାହ କାରଣରୁ ଯୋଦ୍ଧାମାନେ ତାଙ୍କ ଲକ୍ଷ ପୂରଣ କରିପାରନ୍ତି ନାହିଁ ବୋଲି ଭାବୁଥିଲେ। ଏଥିପାଇଁ ରୋମାନ୍ ସୈନ୍ୟମାନେ ପ୍ରେମ କିମ୍ବା ବିବାହ କରିପାରିବେ ନାହିଁ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ।
ସେହି ରାଜ୍ୟରେ ଭାଲେଣ୍ଟାଇନ୍ ନାମକ ସନ୍ଥ ରହୁଥିଲେ। ସେ ରାଜାଙ୍କ ନିର୍ଦ୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ। ଏପରିକି ସେ ଲୁଚି ଲୁଚି ଅନେକ ବାହାଘର ମଧ୍ୟ କରାଇଥିଲେ। ଏହା ଜାଣିପଡିବା ପରେ ରାଜାଙ୍କ କ୍ରୋଧର ଶିକାର ହୋଇଥିଲେ ସନ୍ଥ ଭାଲେନଟାଇନ୍।ତାଙ୍କୁ ବନ୍ଦୀ କରାଯାଇଥିଲା। ଖ୍ରୀଷ୍ଟାବ୍ଦ ୨୬୯ରେ ଫେବୃଆରୀ ୧୪ ତାରିଖରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେବେଠୁ ତାଙ୍କୁ ସ୍ମରଣ ପାଇଁ ଆରମ୍ଭ ହେଲା ଭାଲେଣ୍ଟାଇନ୍ସ ଡେ’।