ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କ । ଆତ୍ମଘାତୀ ବିସ୍ଫୋରଣ ପରେ ଆଜି ଆଖିବୁଜା ଗୁଳିମାଡ଼ । ଯାତ୍ରୀବାହୀ ଗାଡ଼ି ଉପରେ ଆଖିବୁଜା ଗୁଳିମାଡ଼ କରିଛି ଦୁର୍ବୃତ୍ତ । ଏଥିରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣରୁ ଅଧିକ ଗୁରୁତର ହୋଇଛନ୍ତି । ଏନେଇ ଖୈବର ଫଖତନୁଖ୍ବାର ମୁଖ୍ୟ ସଚିବ ନଦୀମ ଅସଲାମ ଚୌଧୁରୀ ସୂଚନା ଦେଇଛନ୍ତି । ଆଦିବାସୀ ଅଧିଷ୍ୟୁତ କୁରାମ ଜିଲ୍ଲାରେ ହୋଇଥିବା ନରସଂହାରରେ ବଳି ପଡ଼ିଛନ୍ତି ମହିଳା ଓ ଶିଶୁ । ସେପଟେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ନଦୀମ ଅସଲାମ କହିଛନ୍ତି ।
ଆଫଗାନିସ୍ତାନ ସୀମାରେ ଥିବା କୁରାମ ଗାଁରେ ଶିଆ ଏବଂ ସୁନି ମୁସଲିମଙ୍କ ମଧ୍ୟରେ ଜମି ବିବାଦ ଲାଗି ରହିଛି । ଦୀର୍ଘ ବର୍ଷ ଧରି ଏହି ବିବାଦ ଲାଗି ରହିଥିବା ବେଳେ ଏଭଳି ହତ୍ୟାକାଣ୍ଡ ଏକ ସାଧାରଣ କଥାରେ ପରିଣତ ହୋଇଛି । ତେବେ ଆଜିର ଏହି ଗଣହତ୍ୟା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।
ସେପଟେ ମିଳିଥିବା ସୂଚନା ଅନୁସାରେ, ଆଜି ଜଣେ ବନ୍ଧୁକଧାରୀ ଦୁଇଟି ଯାତ୍ରୀବାହୀ ଗାଡ଼ି ଉପରେ ଆକ୍ରମଣ କରିଛି । ଗୋଟିଏ ଗାଡ଼ି ପେଶାଓ୍ବାରରୁ ପରାଚିହ୍ନାର ଏବଂ ଅନ୍ୟଟି ପରାଚିହ୍ନାରରୁ ପେଶାଓ୍ବାର ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ବନ୍ଧୁକଧାରୀ ଏହି ଦୁଇଟି ଗାଡ଼ି ଉପରେ ଆଖିବୁଜା ଗୁଳି ମାଡ଼ କରିଥିଲା । ଭୟଙ୍କର ନରସଂହାରକୁ ଦୁଢ଼ ଭାଷାରେ ନିନ୍ଦା କରିଛନ୍ତି ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରି ।