ନୂଆଦିଲ୍ଲୀ,୧୫।୭: କର୍କଟ, ମଧୁମେହ କିମ୍ବା ଜୀବନଘାତକ ସଂକ୍ରମଣର ଚିକିତ୍ସା ଖର୍ଚ୍ଚ ବହନ କରିବା ସାଧାରଣ ଲୋକଙ୍କ ପାଇଁ ଖୁବ୍ କଷ୍ଟକର। କିନ୍ତୁ ଏବେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି, ଯାହା ରୋଗୀଙ୍କୁ ବଡ଼ ଆଶ୍ୱସ୍ତି ଦେବ। ସରକାର ୭୧ଟି ଔଷଧର ମୂଲ୍ୟ ସ୍ଥିର କରିବାକୁ ନିଷ୍ପତ୍ତି ନେଇଛନ୍ତି।
ମେଟାଷ୍ଟାଟିକ୍ ବ୍ରେଷ୍ଟ କ୍ୟାନସର, ଆଲର୍ଜି, ମଧୁମେହ ଏବଂ ଅନ୍ୟାନ୍ୟ ଗମ୍ଭୀର ରୋଗ ପାଇଁ ଔଷଧ ଏବେ ଆପଣଙ୍କୁ ଶସ୍ତା ମୂଲ୍ୟରେ ଉପଲବ୍ଧ ହେବାକୁ ଯାଉଛି। ନ୍ୟାସନାଲ୍ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (NPPA) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ GST କେବଳ ସେତେବେଳେ ଯୋଡା ଯାଇପାରିବ ଯେତେବେଳେ ଏହା ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଏହି ଔଷଧଗୁଡ଼ିକରେ ରିଲାଏନ୍ସ ଲାଇଫ୍ ସାଇନ୍ସେସର 'ଟ୍ରାଷ୍ଟୁଜୁମେବ୍' (Trastuzumab) ଅନ୍ତର୍ଭୁକ୍ତ, ଯାହା ମେଟାଷ୍ଟାଟିକ୍ ସ୍ତନ କର୍କଟ ଏବଂ ଗ୍ୟାଷ୍ଟ୍ରିକ୍ କର୍କଟ ଚିକିତ୍ସାରେ ବ୍ୟବହୃତ ହୁଏ। ଏହାର ମୂଲ୍ୟ ଏବେ ପ୍ରତି ଭାଏଲ୍ ୧୧,୯୬୬ ଟଙ୍କା ସ୍ଥିର କରାଯାଇଛି।
ଏହାଛଡା ପ୍ରାଣଘାତୀ ସଂକ୍ରମଣର ଚିକିତ୍ସାରେ ବ୍ୟବହାର ହେଉଥିବା ସୋପ୍ଟିୟାକ୍ସୋନ୍, ଡିସୋଡିୟମ୍ ଏଡେଟେଟ୍ ଓ ସଲବେକ୍ଟମ ପାଉଡରର ମୂଲ୍ୟ ୬୨୬ ଟଙ୍କା କରି ଦିଆଯାଇଛି। ସେଭଳି କମ୍ବିପ୍ୟାକ୍ର ମୂଲ୍ୟ ୫୧୫ ଟଙ୍କା କରାଯାଇଛି। NPPA ନିଜର ନୂଆ ନୋଟିଫିକେସନ୍ରେ ୨୫ ଆଣ୍ଟି-ଡାଇବେଟିକ୍ ଫର୍ମୁଲେସନ୍ର ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ କରିଛି, ଯେଉଁଥିରେ ସିଟାଜିଲିପିଟିନ୍(Sitagliptin) ପ୍ରମୁଖ ଉପାଦାନ ରୂପରେ ରହିଛି। ଏହାଛଡା ଏମପାଜିଫ୍ଳୋଜିନ୍ (Empagliflozin) ମିଶ୍ରଣ ଥିବା ବହୁ ଅନ୍ୟ ମଧୁମେହ ଔଷଧ ମଧ୍ୟ ଏହି ସୂଚୀରେ ରହିଛି।