ନୂଆଦିଲ୍ଲୀ,୧୫।୭: ଆଧାର କାର୍ଡ ଆଜି ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପାଲଟିଛି। ଏବେ ଆଧାର ବିନା କୌଣସି ଗୁରୁତ୍ୱପୂର୍ଣ୍ଣ କାମ ହୋଇପାରିବ ନାହିଁ। ଆଧାର କେବଳ ନାଗରିକତାର ପରିଚୟ ନୁହେଁ ବରଂ ସରକାରୀ କାମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଏହା ଏକ ବାଧ୍ୟତାମୂଳକ ଜିନିଷ। ଭାରତରେ, ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ବୟସ ଗୋଷ୍ଠୀ ପାଇଁ ଆଧାର ଉପଲବ୍ଧ। ଏବେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପିଲାମାନଙ୍କ ଆଧାର କାର୍ଡ ସମ୍ପର୍କିତ ନୂତନ ଅପଡେଟ୍ ବିଷୟରେ ସୂଚନା ଦେଇଛି। ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ସାତ ବର୍ଷ ବୟସ ପୂରଣ କରିଥିବା ପିଲାମାନଙ୍କ ପାଇଁ ଆଧାରରେ ବାୟୋମେଟ୍ରିକ୍ସ ସୂଚନା ଅପଡେଟ୍ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। ।
ମନ୍ତ୍ରଣାଳୟ କହିଛି ୭ ବର୍ଷ ବୟସ ପୂରଣ କରିଥିବା ସମସ୍ତ ପିଲାଙ୍କ ପାଇଁ ବାୟୋମେଟ୍ରିକ୍ ଅପଡେଟ୍ ବାଧ୍ୟତାମୂଳକ କରିବାକୁ UIDAI ନିର୍ଦ୍ଦେଶ ଦେଇଛି। ଏହା ଏକ ବାଧ୍ୟତାମୂଳକ ପ୍ରକ୍ରିୟା ଯାହାକି ପୂର୍ବରୁ ଆଧାର ନିୟମର ଏକ ଅଂଶ। ୫ରୁ ୭ ବର୍ଷ ପିଲାର ବାୟୋମେଟ୍ରିକ୍ ଅପଡେଟ୍ ମାଗଣା ରହିଛି। ତେବେ ୭ ବର୍ଷ ପରେ ଏହା କଲେ ୧୦୦ ଟଙ୍କାର ଦେବାକୁ ପଡିବ। ଠିକ୍ ସମୟରେ ଅପଡେଟ୍ ନକଲେ ପିଲାଟିର ଆଧାର ନିଷ୍କ୍ରିୟ ହୋଇପାରେ। ତେଣୁ ବାପା-ମା’ ଖୁବ୍ ଶୀଘ୍ର ଏହାକୁ ଅପଡେଟ୍ କରିବାକୁ ଅପିଲ କରାଯାଇଛି।
ମନ୍ତ୍ରଣାଳୟ ଅନୁଯାୟୀ, ପିତାମାତା କିମ୍ବା ଅଭିଭାବକମାନେ ଯେକୌଣସି ଆଧାର ସେବା କେନ୍ଦ୍ର କିମ୍ବା ଅଧିକୃତ ଆଧାର କେନ୍ଦ୍ରକୁ ଯାଇ ସହଜରେ ସେମାନଙ୍କ ପିଲାଙ୍କ ସୂଚନା ଅପଡେଟ୍ କରିପାରିବେ।ଏଭଳି ପିଲା ଯେଉଁମାନଙ୍କୁ ୭ ବର୍ଷ ହୋଇସାରିଛି କିନ୍ତୁ ଆଧାରରେ ସେମାନଙ୍କର ବାୟୋମେଟ୍ରିକ୍ସ ଅପଡେଟ୍ ଅପଡେଟ କରାଯାଇନି। ଏବେ ସେହି ପିଲାଙ୍କ ପାଇଁ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ଅପଡେଟ୍ (MBU) ପୂରଣ କରିବା ନେଇ ଗୁରୁତ୍ୱାରୋପ କରିଛି UIDAI । ପିତାମାତା କିମ୍ବା ଅଭିଭାବକମାନେ ଯେକୌଣସି ଆଧାର ସେବା କେନ୍ଦ୍ର କିମ୍ବା ଆଧାର କେନ୍ଦ୍ରରେ ସେମାନଙ୍କ ପିଲାଙ୍କ ବିବରଣୀ ଅପଡେଟ୍ କରିପାରିବେ।