ହସିଲେ ମାନସିକ ଚାପ ବହୁ ପରିମାଣରେ କମିଯାଇଥାଏ । ଏହା ବ୍ୟକ୍ତିଙ୍କୁ ସକାରାତ୍ମକ ରହିବାରେ ସହାୟତା କରେ । ତାଙ୍କ ସହିତ ଜଡି଼ତ ଲୋକମାନଙ୍କୁ ମଧ୍ୟ ଖୁସି ପ୍ରଦାନ କରିଥାଏ । ଏହାକୁ ଦୃଷ୍ଟିରେ ରଖି ୟୁରୋପର ଏକ କଫି ଦୋକାନ ‘ଗୁଡ୍ ନ୍ୟୁଜ୍’ ଏକ ନିଆରା ବ୍ୟବସ୍ଥା କରିଛି । ସେ ଅନୁସାରେ, ଗ୍ରାହକମାନେ କାଫେରେ ପ୍ରବେଶ କରିବା ପୂର୍ବରୁ ମନଖୋଲା ହସିଲେ ଯାଇ ସେଠାକାର ଦ୍ୱାର ଖୋଲିବ । କାଫେର ଏହି ବ୍ୟବସ୍ଥାକୁ ଅନେକ ଲୋକ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆରେ ଏ ସଂପର୍କରେ ଏକ ଭିଡିଓ ପୋଷ୍ଟ ହୋଇଥିବାବେଳେ ତାହା ଭାଇରାଲ୍ ହେଉଛି । ତାକୁ ୨୪ ନିୟୁତ ଲୋକେ ଲାଇକ୍ କରିଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଗ୍ରାହକମାନେ କାଫେର ଦ୍ୱାର ପାଖରେ ପହଞ୍ଚିବା ପରେ ସ୍ୱୟଂଚାଳିତ କବାଟ ନ ଖୋଲିବାରୁ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏହାପରେ ନିକଟରେ ମରାଯାଇଥିବା ଏକ ପୋଷ୍ଟର ଦେଖିବାରୁ ସେମାନଙ୍କ ମୁହଁରେ ହସର ରେଖା ସୃଷ୍ଟି ହେଉଛି । ସେହି ପୋଷ୍ଟରରେ ମାଗଣାରେ କପେ କଫି ପିଇବା ଲାଗି ମନଖୋଲା ହସନ୍ତୁ ବୋଲି ଲେଖାଯାଇଛି । ସେଥିସହିତ କିଛି ସ୍ମାଇଲି ଇମୋଜି ବି ରହିଛି । ଗ୍ରାହକମାନେ ତାକୁ ପଢ଼ି ଖୁସିରେ ହସିଦେବା ପରେ କାଫେର ଦ୍ୱାର ଖୋଲିଯାଉଛି । ଭିଡିଓଟିକୁ ଦେଖିବା ଜଣେ ୟୁଜର ‘ଗୁଡ୍ ନ୍ୟୁଜ୍’ର ମହତ ଉଦ୍ୟମକୁ ପ୍ରଶଂସା କରିବା ସହିତ ସାରା ବିଶ୍ୱରେ ଏଭଳି ବ୍ୟବସ୍ଥା ଲାଗୁ ହେବା କଥା ବୋଲି ଲେଖିଛନ୍ତି ।