ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ମା’ଙ୍କୁ ବିଦାୟ ଦେବାକୁ ଉଛୁଳିଲା ଜନପଥ: ସହିଦନଗରରେ ଏକାଠି ହେଲେ ୧୯ ମେଢ, ଡିଜେ ବିବାଦ ପାଇଁ ୬ ଆସିଲେନି

ଭୁବନେଶ୍ୱର ୧୫/୧୦: ମା’...  ଦୁର୍ଗତିନାଶିନୀ ଦେବୀ ଦୁର୍ଗା । ଭକ୍ତଙ୍କ ଗହଳିରୁ  ବିଦାୟ ନେଲେ । ଧୂପ, ଦୀପ, ଝୁଣା ସାଙ୍ଗକୁ  ପାରମ୍ପରିକ ବାଦ୍ୟ ବଜାଇ ମା’ଙ୍କୁ ବିଦାୟ  ଦିଆଯାଇଛି । ୯ ଦିନିଆ ଯାତ୍ରାରେ ଧରାପୃଷ୍ଠାକୁ  ଆସି ଭକ୍ତଙ୍କୁ ନିଜ ପଣତକାନିରେ ବାନ୍ଧି  ରଖିଥିଲେ । କେଉଁଠି ମା’ର ପ୍ରଚଣ୍ଡ ରୂପ ତ  ଆଉ କେଉଁଠି ମା’ଙ୍କ କରୁଣାମୟୀ ରୂପଁ ଦେଖି  ଦେଇ ଭକ୍ତ ହେଉଥିଲେ ବିଭୋର । ମା’ ଆସିବା  ପରେ ରାଜଧାନୀ ହୋଇ ଉଠିଥିଲା ଉତ୍ସବ  ମୁଖର ହେଲେ ମେଲାଣୀ ଥିଲା କଷ୍ଟଦାୟକ ।  

ସନ୍ଧ୍ୟା ହେଉ ହେଉ ରାଜରାସ୍ତା ହୋଇଉଠିଥିଲା  ଲୋକାରଣ୍ୟ । ରାଜରାସ୍ତାରେ ଘୋଡ଼ାନାଚ,  ବାଘନାଚ, ଷଣ୍ଢନାଚ ପରି ପାରମ୍ପରିକ ବାଦ୍ୟ ବଜାଇ  ମା’ଙ୍କୁ ବିଦାୟ ଦିଆଯାଉଥିଲା । ରାଜଧାନୀର ରାସ୍ତା  ହୋଇଉଠିଥିଲା ଦେବୀମୟ । ଉଚ୍ଛୁଳି ପଡ଼ୁଥିଲା  ରାଜରାସ୍ତା । ଝୁଣା ଓ ଧୂପରେ ମହକୁଥିଲା  ରାସ୍ତାଘାଟ । ଘଣ୍ଟଘଣ୍ଟା, ଶଙ୍ଖନାଦରେ ଥରୁଥିଲା  ମେଦିନୀ । ମା’ଙ୍କୁ ଶେଷ ଦର୍ଶନ କରିବା ଲାଗି  ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ ଭକ୍ତ । 

ରାଜଧାନୀରେ ନିର୍ଦ୍ଧିଷ୍ଟ ମଣ୍ଡପରେ ମା’  ପହଞ୍ଚିବା ପରେ ଭସାଣି ଉତ୍ସବ ଅନୁଷ୍ଠିତ  ହୋଇଥିଲା । ମନ୍ଦିର ସୁରକ୍ଷା ଭସାଣି ସମିତି  ତଥା ନୂଆପଲ୍ଲୀ ଦୁର୍ଗାପୂଜା ସମିତି, ଭୁବନେଶ୍ୱର  ଭସାଣି ସମିତି, ଏକାମ୍ରକ୍ଷେତ୍ର ଭସାଣି ସମିତି  ଓ ଉତ୍ତର ଭୁବନେଶ୍ୱର ଭସାଣି ସମିତି ୨ଟି  ସ୍ଥାନରେ ଭସାଣି ଉତ୍ସବ ଆୟୋଜିତ ହୋଇଥିଲା ।  ଏହା ବ୍ୟତୀତ ଅନେକ ପୂଜା ମଣ୍ଡପ ଏକା  ଏକା ଶୋଭାଯାତ୍ରା କରି ମା’ଙ୍କୁ ମେଲାଣି  ଦେଇଥିଲେ । ରସୁଲଗଡ଼ ଦୁର୍ଗାପୂଜା କମିଟି,  ବରମୁଣ୍ଡା ଦୁର୍ଗାପୂଜା କମିଟି ଅଲଗା ଭାବେ  ଭସାଣୀ କରି ମା’ଙ୍କୁ ବିଦାୟ ଦେଇଥାନ୍ତି ।  ସେହିପରି ମା’ଙ୍କ ଭସାଣୀ ଲାଗି କୁଆଖାଇ  ଓ ଦୟା ନଦୀ ପଠାରେ ମୂର୍ତ୍ତି ବିସର୍ଜନ ପାଇଁ  ୫ଟି ଅସ୍ଥାୟୀ ପୁଷ୍କରିଣୀ କରାଯାଇଥିଲା । ୧୦  ଫୁଟ ଗଭୀର ଏହି ପୋଖରୀରେ ଚଳିତବର୍ଷ  ବିସର୍ଜନ ପାଇଁ ସ୍ୱତନ୍ତ୍ର ହାଇଡ୍ରା ମେସିନ  ବ୍ୟବହାର କରାଯାଇଥିଲା । ଘଟଣାସ୍ଥଳରେ  ଅଗ୍ନିଶମ ବିଭାଗର କର୍ମଚାରୀମାନେ ବୋଟ  ଧରି ଉପସ୍ଥିତ ଥିଲେ ।

ସହିଦନଗରରେ ଏକାଠି ହେଲେ ୧୯ ମେଢ

ରାଜଧାନୀର ଅନ୍ୟତମ ପ୍ରମୁଖ ପୂଜା କମିଟି ସହିଦ ନଗର ଦୁର୍ଗାପୂଜା  କମିଟି ପକ୍ଷରୁ ମା’ଜଗତଜନନୀଙ୍କୁ ବିଦାୟ ଦିଆଯାଇଛି ।  ଚଳିତବର୍ଷ ସହିଦ ନଗର ସହ ଏକାଠି ହୋଇଛନ୍ତି  ରାଜଧାନୀର ୧୯ ପ୍ରମୁଖ ପୂଜା କମିଟିର ମେଢ଼ । ତେବେ  ପ୍ରଥମାର୍ଦ୍ଧରେ ୧୧ଟି ସୁସଜ୍ଜିତ ମେଢ଼ ସହିଦ ନଗରରେ  ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରେ ସତ୍ୟନଗର  ବନଦୁର୍ଗା ପୂଜା କମିଟି, କଟକ ରୋଡ୍‌ ସ୍ଥିତ ଲକ୍ଷ୍ମୀ  ସାଗର, ୟୁନିଟ-୧ ମହାଦେବ ପୂଜା କମିଟି, ଭୀମଟାଙ୍ଗି  ହାଉସିଂ କଲୋନୀ, ସତ୍ୟନଗର ଦୁର୍ଗାପୂଜା ସମିତି,  ବାଣୀବିହାର ଟ୍ରାଫିକ୍‌  ଛକ, ୟୁନିଟ-୩ ହରପାର୍ବତୀ ପୂଜା  କମିଟି, ବାଙ୍ଗୁଆଳ ଦୁର୍ଗାପୂଜା ସମିତି, ଚକେଇସିହାଣି  ଦୁର୍ଗାପୂଜା ସମିତି, ଶାସ୍ତ୍ରୀନଗର ମହାବୀର ପୂଜା ସମିତି ଓ କେଶୁରା ଦୁର୍ଗାପୂଜା ସମିତିର ମେଢ଼ ସାମିଲ ଥିଲା । ପରେ  ପରେ ନିଜେ ଶହୀଦନଗର, ଭିଏସଏସ ନଗର ଦୁର୍ଗାପୂଜା  କମିଟି, ୟୁନିଟ-୩ ଗିରିଦୁର୍ଗା କ୍ଲବ ପ୍ରମୁଖ ପହଞ୍ଚିଥିଲେ । ନୂର  ବ୍ରାଣ୍ଡ ପାର୍ଟି, ଘୋଡା ନାଚ, ଷଣ୍ଢ, କେଳ କେଲୁଣୀ, ଘୁମୁରା, ଘଣ୍ଟ,  ଦୁଲଦୁଲି, ସିଂହ ବାଜା, ପଞ୍ଜାବି ଢ଼ୋଲ ଭଳି ସମ୍ପୂର୍ଣ୍ଣ ପାରମ୍ପରିକ ବାଜା  ଓ ରୋସଣୀ ସହ ମା’ଙ୍କୁ ମେଲାଣି ଦିଆଯାଇଥିଲା । ପ୍ରକାଶ ଥାଉକି,  ଗତବର୍ଷ ସହିଦ ନଗର ସହ ୩୦ଟି ମେଢ଼ ସାମିଲ ହୋଇଥିବା ବେଳେ  ଚଳିତବର୍ଷ ୧୯ଟି ମେଢ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ହେଲେ ଭସାଣି  ପୂର୍ବରୁ ୬ଟି କମିଟି ଅଲଗା ମେଢ ବୁଲାଇବେ ବୋଲି କହି ଏଥିରୁ ଓହରିଥିଲେ । 

ନୟାପଲ୍ଲୀ ମେଲଣ ପଡ଼ିଆରେ ଏକାଠି ୧୫ ମେଢ

ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି ତଥା ନୂଆପଲ୍ଲୀ ଦୁର୍ଗାପୂଜା ସମିତି  ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଭସାଣୀ ସମାରୋହ । ରାଜଧାନୀର  ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୫ଟି ଦୁର୍ଗା ମଣ୍ଡପ ଏକାଠି ହୋଇଥିଲେ ନୂଆପଲ୍ଲୀରେ ।  ନୟାପଲ୍ଲୀ ମଣ୍ଡପଠାରେ ଏକାଠି ହୋଇଥିବା ଏହି ପୂଜା ମଣ୍ଡପ ଗୁଡ଼ିକ ମଧ୍ୟରୁ  ପ୍ରଥମେ ଝାଡେଶ୍ୱରୀ ମା’ ବାହାରିଥିବା ବେଳେ ସର୍ବ ଶେଷରେ ନୟାପଲ୍ଲୀ ଦୁର୍ଗାପୂଜା  ସମିତି ଭସାଣି ଉତ୍ସବରେ ସାମିଲ ହୋଇଥିଲେ । ଆଇଗିଣିଆ, ଦଧିବାମନ,  ଭଗବାନପୁର ପାତ୍ରପଡ଼ା, ଡୁମୁଡୁମା, ପୋଖରୀପୁଟ, ଗଣ୍ଡମୁଣ୍ଡା, ଶ୍ୟାମପୁର,  ରଣସିଂହପୁର, ଶିରିପୁର, ଗଙ୍ଗନଗର, ରାଜକ୍ଳବ, ନୂଆପଲ୍ଲୀ ନୂଆସାହି, ଜୟଦେବ  ବିହାର,କଳାରାହାଙ୍ଗ, ସାଲିଆସାହି (୨) କମିଟି ପ୍ରମୁଖ ଏକାଠି ହୋଇଥିଲେ । ମା’ଙ୍କ  ମେଢ଼ ବିଭିନ୍ନ ଅଞ୍ଚଳ ବୁଲି ନୂଆପଲ୍ଲୀ ମଣ୍ଡପ ପାଖରେ ପହଞ୍ଚି ଥିଲେ । ଭସାଣୀ ପୂର୍ବରୁ ନୂଆପଲ୍ଲୀ ମେଲଣ ପଡ଼ିଆରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା ।  କୂଆଖାଇ ନଦୀପଠାରେ ପହଞ୍ଚିବା ପରେ ସେଠାରେ ନିର୍ମିତ ହୋଇଥିବା ଅସ୍ଥାୟୀ  ପୋଖରୀରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଗୁଡ଼ିକ ବିସର୍ଜନ କରାଯାଇଥିଲା । ଭସାଣୀ  କମିଟିର ସଭାପତି ନିରଞ୍ଜନ ମିଶ୍ର, ସମ୍ପାଦକ ଦିଲ୍ଲୀପ ମହାନ୍ତି, ଶାନ୍ତି କମିଟି  ସମ୍ପାଦକ ନବକିଶୋର ବେହେରା, ନିତ୍ୟାନନ୍ଦ ବେହେରାଙ୍କ ସମେତ  ନୂଆପଲ୍ଲୀ କମିଟିର ସମସ୍ତ କର୍ମକର୍ତ୍ତା ଓ ବିଭିନ୍ନ ପୂଜା ମଣ୍ଡପର  କର୍ମକର୍ତ୍ତା ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଗତବର୍ଷ  ନୂଆପଲ୍ଲୀ ଭସାଣି ସମାରୋହରେ ରେ ୧୮ଟି ମଣ୍ଡପର  ମେଢ଼ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.