ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ବଢ଼ିବ କି ନାହିଁ, ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ଦ୍ବିତୀୟ ତ୍ରୈମାସରେ ଜିଡିପି ହ୍ରାସ ଶକ୍ତିକାନ୍ତଙ୍କ ଆଗାମୀ କାର୍ଯ୍ୟକାଳ ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି । ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ରହିବ ବୋଲି ଆରବିଆଇର ଆକଳନ ଭୁଲ ପ୍ରମାଣିତ ହୋଇଛି । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି ହାର ୫.୪% ରହିଛି ।
ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହରେ ଶେଷ ହେବାକୁ ଯାଉଛି । ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବାର ସମ୍ଭାବନା ରହିଛି । କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ତା ପୂର୍ବରୁ ତାଙ୍କର ସେବା ବିସ୍ତାର ନେଇ କୌଣସି ଘୋଷଣା ହୋଇନାହିଁ । ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୬ ବର୍ଷ ଧରି ଆରବିଆଇର ଗଭର୍ଣ୍ଣର ଥିବା ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ କି ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବ୍ଲମବର୍ଗ ରିପୋର୍ଟ ଅନୁସାରେ, ୪୩ ଅର୍ଥଶାସ୍ତ୍ରୀଙ୍କ ମଧ୍ୟରୁ ସାତ ଜଣଙ୍କ ବ୍ୟତୀତ ଅନ୍ୟମାନେ ଆକଳନ କରିଛନ୍ତି ଯେ, ଶୁକ୍ରବାର କେନ୍ଦ୍ରୀୟ ବ୍ୟାଙ୍କ ନିଜର ରେପୋ ରେଟ୍ ୬.୫ ପ୍ରତିଶତରେ ବଜାୟ ରଖିବ । ଏହି ରେପୋ ରେଟ୍ ଗତ ଦୁଇ ବର୍ଷ ହେଲା ଅପରିବର୍ତ୍ତିତ ରହିଛି । କେତେକ ଅର୍ଥଶାସ୍ତ୍ରୀଙ୍କ ଅନୁସାରେ, ଲୋକଙ୍କ ଖର୍ଚ୍ଚ କରିବାର କ୍ଷମତା ହ୍ରାସ ଆରବିଆଇ ପାଇଁ ସତର୍କ ଘଣ୍ଟି । ଡିଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍ ସହ ଜଡ଼ିତ ଜଣେ ଅର୍ଥନୀତିଜ୍ଞ ରାଧିକା ପିପଲାଣୀ କହିଛନ୍ତି ଯେ, ଆଗାମୀ ନୀତିଗତ ନିର୍ଣ୍ଣୟ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଜିଡିପି ହ୍ରାସ ପଛର ଥିବା କାରଣ ସଂପର୍କରେ ସମୀକ୍ଷା ହେବ ।
ସେପଟେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁଧହାର କମ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଅର୍ଥଶାସ୍ତ୍ରୀଙ୍କ କହିବା କଥା ଆରବିଆଇ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଋଣ ଯୋଗାଇବା ପରିମାଣକୁ ଆହୁରି ବଢାଇପାରେ । ଗତ ମାସରେ ଆରବିଆଇ ଦ୍ଵାରା ସ୍ଥିର ନୀତିଗତ ଆଭିମୁଖ୍ୟ ଆପଣାଇବା ପରେ ତତ୍କାଳ ସୁଧହାର ହ୍ରାସ କରିବାକୁ ଶକ୍ତିକାନ୍ତ ଦାସ ମନା କରି ଦେଇଥିଲେ । ସେ କହିଥିଲେ, ବୈଶ୍ଵିକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଓ ଭୂ ରାଜନୈତିକ ସଂଘର୍ଷ ଜାରି ରହିବାରୁ ଏହାର ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡୁଛି । ତଥାପି ଭାରତୀୟ ଅର୍ଥବ୍ୟବସ୍ଥା ବାକି ଦୁନିଆ ତୁଳନାରେ ସୂଚାରୁ ରୂପେ ଆଗକୁ ବଢୁଛି।
ସେ ଯାହା ହେଉ ନା କାହିଁକି, ଶକ୍ତିକାନ୍ତ ଦାସଙ୍କ ସେବା ବିସ୍ତାରକୁ ନେଇ ଚର୍ଚ୍ଚା ଜାରି ରହିଛି । ଯଦି ଶକ୍ତିକାନ୍ତ ଦାସଙ୍କ କାର୍ଯକାଳ ବୃଦ୍ଧି ନହୁଏ ତେବେ ତାଙ୍କ ପରେ କିଏ ଏହି ଗୁରୁଦାୟିତ୍ବ ନେବେ ? ଡିସେମ୍ବର ୧୦ରେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ସରୁଛି । ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଶେଷ ଥର ବୃଦ୍ଧି ଘଟିଥିଲା। ପୁଣି ଡେପୁଟୀ ଗଭର୍ଣ୍ଣର ମାଇକେଲ୍ ପାତ୍ରଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେଉଛି । ମାଇକେଲ୍ ୨୦୧୬ରୁ ଦର ନିର୍ଦ୍ଧାରଣ ପ୍ୟାନେଲରେ ରହି ଆସିଛନ୍ତି । ଅକ୍ଟୋବରରେ ସରକାର ମୁଦ୍ରାନୀତି ସମୀକ୍ଷା କମିଟିରେ ତିନି ନୂଆ ସଦସ୍ୟଙ୍କୁ ନିଯୁକ୍ତ କରିଛନ୍ତି । ଯଦି ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ନ ବଢେ ତେବେ କିଏ ଆରବିଆଇ ଗଭର୍ଣ୍ଣର ପଦ ସମ୍ଭାଳିବେ ତାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି ।