ନୂଆଦିଲ୍ଲୀ: ଦୀର୍ଘ ଏକ ସପ୍ତାହରୁ ଅଧିକ ସମୟ ଯାଏ ବିଜେପି ସହ ଚାଲିଥିବା ରାଜନୈତିକ ଛକାପଞ୍ଝା ପରେ ଏବେ ବ୍ରେକ ନେଇଛନ୍ତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ତେବେ ରବିବାର ଦିନ ନିଜ ପରିବାର ସହ ଉତ୍ତମ ସମୟ କାଟିବା ପାଇଁ ଗାନ୍ଧୀ ପରିବାର ଦିଲ୍ଲୀର କ୍ୱାଲିଟି ରେସ୍ତାରାଁକୁ ଖାଇବାକୁ ଯାଇଥିଲେ।
ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ମା ସୋନିଆ ଗାନ୍ଧୀ, ପ୍ରିୟଙ୍କାଙ୍କ ସହ ତାଙ୍କ ସ୍ୱାମି ରବର୍ଟ ଭଦ୍ରା, ଝିଅ ମିରାୟା ଭଦ୍ରା ଓ ଶାଶୁ ଏକା ସହିତ ରେସ୍ତାରାଁକୁ ଖାଇବାକୁ ଆସିଥିଲେ। ଗାନ୍ଧୀ ପରିବାର ରେସ୍ତୋରାଁର ପ୍ରସିଦ୍ଧ ଛୋଲେ ଭଟୁରେ ସହିତ ଅନ୍ୟାନ୍ୟ ଖାଦ୍ୟ ମଗାଇଥିଲେ। ରାଜନୈତିକ ଦୃଷ୍ଟିରୁ ଦୂରରେ ରହି, ପରିବାର ସହ ଏହି ମୁହୂର୍ତ୍ତକୁ ଉପଭୋଗ କରିଥିଲେ ଗାନ୍ଧୀ ପରିବାର।
ରାହୁଲ ଗାନ୍ଧୀ ନିଜ ସୋଶିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏନେଇ କିଛି ଫଟୋ ଛାଡ଼ିଥିଲେ। ଏହି ଫଟୋରେ ଉଭୟ ପରିବାର ସାଙ୍ଗ ହୋଇ ବସିଥିବା ବେଳେ ସେମାନଙ୍କ ଖାଦ୍ୟକୁ ଉପଭୋଗ କରୁଥିବା ଦେଖାଦେଇଛି। ଗୋଟିଏ ଫଟୋରେ, ରବର୍ଟ ଭଦ୍ରା ଏକ ବଡ଼ ଭଟୁରାର ସହିତ ଦେଖିବାକୁ ମିଳିଥିବାବେଳେ ଅନ୍ୟଟିରେ ସୋନିଆ ଗାନ୍ଧୀ ମଧ୍ୟ ତାଙ୍କ ସାମ୍ନାରେ ଫୁଲିଥିବା ଏହି ଭଟୁରା ଉପରେ ନଜର ରଖି ହସୁଥିବା ଦେଖାଯାଇଥିଲା।
ଦଶନ୍ଧି ଦଶନ୍ଧି ଧରି କ୍ୱାଲିଟି ରେଷ୍ଟୁରାଣ୍ଟ ଦିଲ୍ଲିର ଏକ ଲୋକପ୍ରିୟ ରେସ୍ତାରାଁ ଭାବେ ପରିଗଣିତ ହୋଇଆସୁଛି। ଏହି ରେସ୍ତରାଁର ଏକ ସମୃଦ୍ଧ ଇତିହାସ ରହିବା ସହ ନିଜ ବହୁ ଦେଶୀୟ ଖାଦ୍ୟ ପାଇଁ ଏହା ବେଶ ଜଣାଶୁଣା। ଏଠାରେ ପରିବେଷିତ ହେଉଥିବା ଛୋଲେଭଟୁରେ ବହୁ ଜନପ୍ରିୟ ହୋଇ ରହିଆସିଛି। ତେବେ ସ୍ୱର୍ଗତ ଅଭିନେତ୍ରୀ ନର୍ଗିସ୍ ଙ୍କ ସମେତ ଅନେକ ସେଲିବ୍ରିଟି ଏହି ଛୋଲେଭଟୁରେ ଖାଇବାକୁ ଏହି ରେସ୍ତାରାଁକୁ ଆସିଥାନ୍ତି।