ନୂଆଦିଲ୍ଲୀ: ଆମେରିକାର ଉତ୍ତର ଟେକ୍ସାସରେ ୧୦୦ ରୁ ଅଧିକ ଲୋକଙ୍କୁ ଚୂନ ଲଗାଇଛନ୍ତି ଏକ ଭାରତୀୟ ବଂଶୋଦ୍ଭବ ଦମ୍ପତି। ଏହି ଦମ୍ପତ୍ତି ବିଭିନ୍ନ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଏବଂ ବଲିଉଡ୍ ଶୈଳୀର ପ୍ରଦର୍ଶନ ପାଇଁ ବେଶ୍ ସୁନାମ ଅର୍ଜନ ମଧ୍ୟ କରିସାରିଛନ୍ତି। ଏବେ ଏହି ଦମ୍ପତ୍ତି ଏକ ବଡ଼ ରିଅଲ୍ ଇଷ୍ଟେଟ୍ ଠକେଇର କେନ୍ଦ୍ରରେ ଅଛନ୍ତି । ଏମାନେ ହେଲେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ଜଣାଶୁଣା ଚେହେରା ସିଦ୍ଧାର୍ଥ "ସାମି" ମୁଖାର୍ଜୀ ଏବଂ ତାଙ୍କ ପତ୍ନୀ ସୁନିତା । ଉଭୟ ଦମ୍ପତ୍ତିଙ୍କୁ ୧୦୦ ରୁ ଅଧିକ ଲୋକଙ୍କୁ ୪୦ ଲକ୍ଷ ଡଲାର ବା ୩୩ କୋଟିରୁ ଅଧିକ ଠକେଇ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କୁ ବର୍ତ୍ତମାନ ଆମେରିକାର ଇମିଗ୍ରେସନ୍ ଏବଂ କଷ୍ଟମ୍ସ ପ୍ରବର୍ତ୍ତନ (ICE) ଅଟକ କେନ୍ଦ୍ରରେ ରଖାଯାଇଛି,ଯେଉଁଠାରେ ସେମାନେ ପ୍ରଥମ ଶ୍ରେଣୀ ଅପରାଧ ଚୋରୀ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି।
ତଦନ୍ତକାରୀ ମାନେ କହିଛନ୍ତି ଯେ,ମୁଖାର୍ଜୀ ଦମ୍ପତି ନକଲି ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପରେ ଉଚ୍ଚ ଲାଭ ଦେଇ ନିବେଶକ ମାନଙ୍କୁ ପ୍ରଲୋଭିତ କରିଥିଲେ। ପୀଡିତ ମାନଙ୍କୁ ଡଲାସ୍ ହାଉସିଂ ଅଥରିଟିରୁ ଆସିଥିବା ପରି ମନେ ହେଉଥିବା ନକଲି ବିଲ୍ ଏବଂ ଚୁକ୍ତିନାମା ସମେତ ବିଶ୍ୱାସଯୋଗ୍ୟ ଡକ୍ୟୁମେଣ୍ଟ ଦେଖାଯାଇଥିଲା।
ତେବେ CBS ନ୍ୟୁଜ୍ ଅନୁସାରେ, ନିବେଶକ ମାନେ ସେତେବେଳେ ଏହି ଠକେଇ ବାବଦରେ ଜାଣିବାକୁ ପାଇଥିଲେ, ଯେତେବେଳେ "ଡିଭିଡେଣ୍ଡ ଚେକ୍ ବାଉନ୍ସ ହେବା ଆରମ୍ଭ ହୋଇଥିଲା । ଏହି ମାମଲାଟି ପ୍ରଥମେ ୨୦୨୪ ମସିହାରେ ସାମ୍ନାକୁ ଆସିଥିଲା, ଯେତେବେଳେ ଏକ ଦମ୍ପତି ୩୨୫,୦୦୦ ଡଲାରର କ୍ଷତି ରିପୋର୍ଟ କରିଥିଲେ। ୟୁଲେସ୍ ପୋଲିସ ଗୁଇନ୍ଦା ବ୍ରାଏନ୍ ବ୍ରେନାନ୍ ଏକ ତଦନ୍ତ ଆରମ୍ଭ କରିଥିଲେ, ଯେଉଁଥିରେ ପରେ FBI ଯୋଗ ଦେଇଥିଲେ।
ବ୍ରେନାନ୍ ସାମି ମୁଖାର୍ଜୀ ଏହି ଠକେଇକୁ ତାଙ୍କ କ୍ୟାରିୟରର ସବୁଠାରୁ ବଡ ଠକେଇ ବୋଲି ବର୍ଣ୍ଣନା କରିଛନ୍ତି ।"ମୁଁ ୨୩ ବର୍ଷ ମଧ୍ୟରେ ସାମି ମୁଖାର୍ଜୀଙ୍କ ପରି ଠକ କେବେ ଦେଖିନାହିଁ," ବୋଲି ସେ CBS କୁ କହିଛନ୍ତି । ସେ ଏହା ମଧ୍ୟ ଦର୍ଶାଇଥିଲେ ଯେ ଡାଲାସ୍ ହାଉସିଂ ଅଥରିଟିର ନକଲି ବିଲ୍ ପ୍ରମାଣିତ କରିଛି ଯେ ଏହି ପ୍ରକଳ୍ପ ଗୁଡ଼ିକ କେବେ ବି ଅସ୍ତିତ୍ୱରେ ନାହିଁ।
ଠକେଇର ଶିକାର ହୋଇଥିବା ପୀଡିତ ମାନେ କହିଛନ୍ତି ଯେ, ଦମ୍ପତି ସେମାନଙ୍କୁ ଠକିବା ପୂର୍ବରୁ ବିଶ୍ୱାସ ହାସଲ କରିବା ପାଇଁ ସେମାନଙ୍କର ସାର୍ବଜନୀନ ପ୍ରତିଛବି ବ୍ୟବହାର କରିଥିଲେ। "ସେମାନେ ଆପଣଙ୍କୁ ବିଶ୍ୱାସ କରାଇବେ ଯେ ସେମାନେ ବହୁତ ସଫଳ ବ୍ୟବସାୟିକ ଲୋକ।ହେଲେ ଏପର୍ଯ୍ୟନ୍ତ କେବଳ ୨୦ ଜଣ ପୀଡିତ ଆନୁଷ୍ଠାନିକ ଭାବରେ ସାମ୍ନାକୁ ଆସିଛନ୍ତି, କିନ୍ତୁ କର୍ତ୍ତୃପକ୍ଷ ବିଶ୍ୱାସ କରନ୍ତି ଯେ ମୋଟ ସଂଖ୍ୟା ୧୦୦ ରୁ ଅଧିକ ହୋଇପାରେ।
ମୁଖାର୍ଜୀ ପରିବାର ରିଅଲ୍ ଇଷ୍ଟେଟ୍ ଠକେଇ ବ୍ୟତୀତ ଅନେକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। କର୍ତ୍ତୃପକ୍ଷ ଦାବି କରୁଛନ୍ତି ଯେ ଦମ୍ପତି ବୟସ୍କ ପୀଡିତ ମାନଙ୍କୁ ଇମେଲ୍ ପଠାଇ ତୁରନ୍ତ ଦେୟ ନ ଦେଲେ ଗିରଫ ହେବାର ଧମକ ଦେଇଥିଲେ।