ନୂଆଦିଲ୍ଲୀ, ୨୨/୦୭ : ବିଶ୍ବର ବୟସ୍କ ରାଷ୍ଟ୍ରପତିଙ୍କ ତୁଟୁନି କ୍ଷମତା ମୋହ । ଏକଛାତ୍ରବାଦ ଶାସନ ଚଳାଇବାକୁ ମସୁଧା । କ୍ଷମତା ଲୋଭରେ ଅନ୍ଧ, ନେଉ ନାହାଁନ୍ତି ଅବସର । ୯୨ ବର୍ଷରେ ପୁଣି ଥରେ ଲଢିବେ ନିର୍ବାଚନ । ୧୦୦ ବର୍ଷ ଯାଏଁ ଶାସନ ଗାଦିରେ ବସିବାକୁ ପ୍ରସ୍ତୁତି । ୪୩ ବର୍ଷ ହେଲା ସମ୍ଭାଳିଛନ୍ତି ଶାସନଭାର । କିଏ ଏହି ରାଷ୍ଟ୍ରାଧ୍ୟକ୍ଷ ?
ଆମେ କହୁଛୁ, କ୍ୟାମରୁନର ୯୨ ବର୍ଷୀୟ ରାଷ୍ଟ୍ରପତି ପଲ୍ ଭିୟାଙ୍କ କଥା । ୧୯୮୨ରେ ଅହମଦୌ ଅହିଦଜୋଙ୍କ ଇସ୍ତଫା ପରେ ରାଷ୍ଟ୍ରପତି ଗାଦିକୁ ଅକ୍ତିଆର କରିଥିଲେ ପଲ। ସେବେଠୁ କ୍ଷମତା ଲୋଭୀ ଶସକ ଚଳାଇଛନ୍ତି ଏକଛତ୍ରବାଦ ଶାସନ । ବିଶ୍ବର ସବୁଠୁ ବୟସ୍କ ଏହି ରାଷ୍ଟ୍ରପତି ପୁଣି ଥରେ ରାଷ୍ଟ୍ରାଧ୍ୟକ୍ଷ ହେବାକୁ ମନ ବଳାଇଛନ୍ତି । ୨୦୨୫ ଅକ୍ଟୋବର ୧୨ରେ କ୍ୟାମରୁନରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପୁଣି ଥରେ ଲଢିବେ ପଲ। ନିଜର ପାର୍ଥୀତ୍ଵ ନେଇ ସୋସିଆଲ୍ ମିଡିଆ ଏକ୍ସରେ ଖୋଦ୍ ଘୋଷଣା କରିଛନ୍ତି ପଲ୍ ଭିୟା । ବାର୍ଦ୍ଧକ୍ୟ ବେଳେ ଲୋକଙ୍କ ସେବା କରିବାକୁ ସଙ୍କଳ୍ପବଦ୍ଧ ହୋଇଛନ୍ତି । ସେପଟେ ପଲଙ୍କ ପ୍ରାର୍ଥୀତ୍ଵ ଘୋଷଣା ପରେ ବିରୋଧୀ ନେତା ମଇଦାନକୁ ଓହ୍ଲାଇଛନ୍ତି। ପଲଙ୍କ ଲମ୍ଵା ଶାସନକୁ ଟାର୍ଗେଟ୍ କରୁଛନ୍ତି। ଶାସନଚକ୍ରର ସୁଧାର ଏବଂ ନିରପେକ୍ଷ ନିର୍ବାଚନ ଦାବି କରିଛନ୍ତି।
ପଲ ଭିୟାଙ୍କ ଶାସନକାଳରେ କ୍ୟାମରୁନରେ ଗମ୍ଭୀର ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି । ଦେଶ ଏକଦଳୀୟ ଶାସନ ବ୍ୟବସ୍ଥାରୁ ବହୁଦଳୀୟ ଶାସନ ବ୍ୟବସ୍ଥା ଆଡ଼କୁ ଗତି କରିଛି । ଭ୍ରଷ୍ଟାଚାର, କୁଚକ୍ରାନ୍ତ, ଅରାଜକତା ଏବଂ ଆଇନଶୃଙ୍ଖଳାର ବିପର୍ଯ୍ୟୟ ଘଟିଛି। ଦେଶରେ ବେରୋଜଗାର, ଦରଦାମ୍ ବୃଦ୍ଧି ଘଟିଛି। ଲୋକଙ୍କୁ ସେବା ଦେବାର ବିଧି ବ୍ୟବସ୍ଥା ଫେଲ୍ ମାରିଛି। ଖାଲି ସେତିକି ନୁହେଁ କ୍ୟାମରୁନରେ ଏକଛତ୍ରବାଦ ଶାସନ ଚଳାଇବାକୁ ପଲ୍ ମସୁଧା କରିଛନ୍ତି। ୨୦୦୮ରେ ପଲ୍ ସାମ୍ଵିଧାନ ସଂଶୋଧନ କରି କାର୍ଯ୍ୟକାଳ ସୀମା ସମାପ୍ତ କରି ଦେଇଛନ୍ତି । ଯେଉଁଥି ପାଇଁ ସେ ଅନିଶ୍ଚିତ କାଳ ପାଇଁ ରାଷ୍ଟ୍ରପତି ପଦରେ ବସିପାରିବେ ।
ବୟସରେ ଅପରାହ୍ନରେ ପହଞ୍ଚିଥିବା ହେତୁ ପଲଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ନେଇ ମଧ୍ୟ ଅନେକ ସମୟରେ ପ୍ରଶ୍ନ ଉଠେ। ଏପରିକି ତାଙ୍କର ମୃତ୍ୟୁ ହୋଇଥିବା ଗୁଜବ ବି ପ୍ରଚାରିତ ହୋଇଛି। ଦେଶ ଏବେ ନୂଆ ନେତୃତ୍ଵ ଚାହୁଁଛି । ହେଲେ କ’ଣ ହେବ କ୍ୟାମରୁନର ବୃଦ୍ଧ ରାଷ୍ଟ୍ରପତିଙ୍କର କ୍ଷମତା ମୋହ ଛାଡ଼ିଲେ ସିନା। ତେବେ ନିର୍ବାଚନ ପୂର୍ବରୁ ପଲ ଯୁବପୀଢିଙ୍କୁ ଆକର୍ଷିତ କରିବାକୁ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହୁଛନ୍ତି । ହେଲେ ଏହି ରଣନୀତି ପ୍ରଭାବୀ ହେବ ନାହିଁ ବୋଲି ଚର୍ଚ୍ଚା ଜୋର୍ ଧରିଛି। ପଲ୍ ଯଦି ନିର୍ବାଚନ ଜିତିବେ ତା’ହେଲେ ୧୦୦ ବର୍ଷ ବୟସରେ ସେ ରାଷ୍ଟ୍ରପତି ଆସନରେ ବସି ଶତାୟୁ ରାଷ୍ଟ୍ରପତିର ରେକର୍ଡ କରିବେ।