ନୂଆଦିଲ୍ଲୀ, ୨୧/୦୭ : ଜାତିସଙ୍ଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ମିଳିବା ପରେ ମନେ ମନେ ଉଡ଼ୁଛି ପାକିସ୍ତାନ। ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଜର ଛବି ସୁଧାରିବାକୁ ଲଗାଇଛି ଜୋର୍। ଭାରତ ବିରୋଧୀ ଷଡ଼ଯନ୍ତ୍ର ଯୋଜନାରେ ରହିଛି ପଡ଼ୋଶୀ ଦେଶ । ଖାଲି ସେତିକି ନୁହେଁ ମୁସଲିମ୍ ଦେଶଗୁଡ଼ିକୁ ଜାତିସଙ୍ଘ ମଞ୍ଚରେ ମଜବୁତ କରିବାକୁ ଚଳାଇଛି ଚେଷ୍ଟା। ୟୁଏନରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚଳାଇଛି ପ୍ରସ୍ତୁତି। ଯଦି ପାକିସ୍ତାନ ଏଭଳି କରେ ତାହେଲେ ଭାରତ ମଧ୍ୟ ଏହାର କଡ଼ା ଜବାବ ଦେବ।
ପାକିସ୍ତାନ ଏବେ ଜାତିସଙ୍ଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ। ଚଳିତ ସପ୍ତାହରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶକ ଡାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ଓପନ ଡିବେଟ୍ ହେବ । ଏହି ଆଲୋଚନାରେ ଅନ୍ତରାଷ୍ଟ୍ରୀୟ କଳିକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରାଯିବ। ଏହି ସମୟରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇବ। ଏତଦ୍ ବ୍ୟତୀତ ପାକିସ୍ତାନ ଇସଲାମିକ ସହଯୋଗ ସଙ୍ଗଠନକୁ ମିଳିତ ଜାତିସଙ୍ଘରେ ମଜବୁତ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ଡାରଙ୍କ ଅଧ୍ୟକ୍ଷତାରେ ଆଉ ଏକ ବୈଠକ କରାଯିବ ବୋଲି ସୂଚନା ମିଳିଛି ।
୧୯୬୯ରେ ଅର୍ଗାନାଇଜେସନ ଅଫ ଇସଲାମିକ କୋଅପରେସନ (ଓଆଇସି) ଗଠନ କରାଯାଇଥିଲା। ଏଥିରେ ପଶ୍ଚିମ ଏସିଆ, ଆଫ୍ରିକା ଏବଂ ଏସିଆର ମୋଟ ୫୭ ଦେଶ ସଦସ୍ୟ ଅଛନ୍ତି। ଏହି ଗ୍ରୁପ୍ ଲଗାତର କାଶ୍ମୀର ପ୍ରସଙ୍ଗରେ ବିଷ ଓଗାଳୁଛନ୍ତି। ବିଶେଷ କରି ୨୦୧୯ରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଲଗାତର ଭାରତ ଉପରେ ପ୍ରଶ୍ନ ଉଠାଉଛନ୍ତି।