ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଦାର ସଂସଦରେ ଭାଷଣ ଦେବା ସମୟରେ ଆତଙ୍କବାଦୀ ସଂଗଠନ 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ'କୁ ଖୋଲାଖୋଲି ସମର୍ଥନ କରିଛନ୍ତି । ସମ୍ପ୍ରତି ଏହି ସଂଗଠନକୁ ଆମେରିକା ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି । ଏହି ସଂଗଠନ ପାକିସ୍ତାନରେ ସକ୍ରିୟ ଲସ୍କର-ଏ-ତୋଇବାର ଏକ ଅଂଶ । ଏପ୍ରିଲ ୨୦୨୫ ରେ ଜମ୍ମୁକାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ଏହାର ହାତ ଥିଲା । ଯେଉଁଥିରେ ୨୬ ଜଣ ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଥିଲେ ।
ବୈଦେଶିକ ମନ୍ତ୍ରୀ ଦାର ସଂସଦରେ ସ୍ୱୀକାର କରିଛନ୍ତି ଯେ, ପାକିସ୍ତାନ ୨୨ ଏପ୍ରିଲ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରୁଥିବା ଜାତିସଂଘ ସୁରକ୍ଷା ପରିଷଦ (UNSC) ବିବୃତ୍ତିରୁ TRFର ନାମ ହଟାଇବା ପାଇଁ ହସ୍ତକ୍ଷେପ କରିଥିଲା । ସେ କହିଛନ୍ତି, ‘ଆମେ UNSC ବିବୃତ୍ତିରେ TRFର ନାମ ଯୋଡିବାକୁ ବିରୋଧ କରିଥିଲୁ। ମୋତେ ଅନେକ ଦେଶରୁ ଫୋନ୍ ଆସିଥିଲା, କିନ୍ତୁ ଆମେ ଶୁଣି ନଥିଲୁ ଏବଂ TRFର ନାମ ହଟାଇ ଦିଆଯାଇଥିଲା।’
ସେ ଆହୁରି କହିଛନ୍ତି, ‘ଆମେ ଟିଆରଏଫକୁ ବେଆଇନ ବୋଲି ଭାବୁନାହୁଁ। ସେମାନେ ଆକ୍ରମଣ କରିଥିବାର କୌଣସି ପ୍ରମାଣ ଦିଅ । ଯେପର୍ଯ୍ୟନ୍ତ ଟିଆରଫ ନିଜେ ଦାୟିତ୍ୱ ଗ୍ରହଣ କରିନାହିଁ, ଆମେ ଏହାକୁ ଦୋଷୀ ବୋଲି ଭାବୁନାହୁଁ।’ ଟିଆରଏଫ ନିଜେ ସାର୍ବଜନୀନ ଭାବରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଆମେରିକା ଏବଂ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ LeT ସହିତ ଏହାର ସମ୍ପର୍କକୁ ନିଶ୍ଚିତ କରିଛନ୍ତି ।
ଜୁଲାଇ ୧୮ରେ ଆମେରିକା ଟିଆରଏଫକୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା । ଏନଇେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଘୋଷଣା କରିଥିଲେ । ସେ କହିଥିଲେ, ‘ଲସ୍କର-ଏ-ତୋଇବାର ଏକ ସଂଗଠନ ଟିଆରଏଫ ଏପ୍ରିଲ ୨୨, ୨୦୨୫ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଏହି ଆକ୍ରମଣ ୨୦୦୮ ପରଠାରୁ ଭାରତରେ ସାଧାରଣ ନାଗରିକଙ୍କ ଉପରେ ସବୁଠାରୁ ମାରାତ୍ମକ ଆକ୍ରମଣ ଥିଲା । ଟିଆରଏଫକୁ ବର୍ତ୍ତମାନ ଆମେରିକା ଅଧିକାର କ୍ଷେତ୍ର ଅଧୀନରେ ଥିବା ବ୍ୟକ୍ତି ଏବଂ ସଂସ୍ଥାଗୁଡ଼ିକଠାରୁ ଆର୍ଥିକ ସହାୟତା ପାଇବାରୁ ନିଷେଧ କରାଯାଇଛି ।