ପ୍ରମୂଖ ଖବର
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଶ୍ରୀମନ୍ଦିରରେ କଠୋର ହେବ ଆଇନ, ବଢ଼ିବ ସୁରକ୍ଷା ବ୍ୟବସ୍ଥା: ରାଜ୍ୟ ସରକାରଙ୍କୁ ୪ ପ୍ରସ୍ତାବ ଦେଲେ ଶ୍ରୀମନ୍ଦିର ପ୍ରଶାସନ

Published By : Manoj | August 6, 2025 11:17 AM

ପୁରୀ,୦୬/୦୮: ଶ୍ରୀମନ୍ଦିରରେ ଭିଡିଓ ଓ ଫଟୋ  ଉଠାଇ ଭାଇରାଲ କରିବା ଏବଂ ଶ୍ରୀମନ୍ଦିର ସୁରକ୍ଷା  ପ୍ରତି ବିପଦ ସୃଷ୍ଟି କରିବା ଭଳି ଘଟଣାରେ କଡ଼ା  କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । ବଦଳିବ ଶ୍ରୀମନ୍ଦିର ପୁରୁଣା ଆଇନ । ଆହୁରି କଠୋର ହେବା ନିୟମ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ରେ ସଂଶୋଧନ ପାଇଁ ୪ ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି । 

ମଙ୍ଗଳବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ  ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଶ୍ରୀଜଗନ୍ନାଥ ମନ୍ଦିର  କାର୍ଯ୍ୟାଳୟରେ ହୋଇଥିଲା । ବୈଠକ ପରେ ମୁଖ୍ୟ  ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ କହିଥିଲେ, ଶ୍ରୀମନ୍ଦିର  ପରିସରରେ ଡ୍ରୋନ୍‌, ଚଷମା, ମୋବାଇଲ ବ୍ୟବହାର  ସହିତ ଭିଡିଓ ଓ ଫଟୋ ଉଠାଇବା ଭଳି ନିଷିଦ୍ଧ  ପ୍ରସଙ୍ଗ ଉପରେ ଭାବେ ବିସ୍ତୃତ ଭାବେ ଆଲୋଚନା  ହୋଇଥିଲା । ବର୍ତ୍ତମାନ ପ୍ରଚଳିତ ନିୟମ ମୁତାବକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇପାରୁନି । ଶ୍ରୀମନ୍ଦିର  ଭିତରେ ଶ୍ରୀଜିଉଙ୍କ ଭିଡିଓ ଏବଂ ଫଟୋ ଉଠାଇବାର  ଅଧିକାର କାହାରି ନାହିଁ । ଏବେ ବେଢ଼ା ଭିତରେ  ଭିଡିଓ ପ୍ରଭୃତି ଉତ୍ତୋଳନ କଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ  ଜରିମାନା ବ୍ୟବସ୍ଥା ରହିଛି । ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଏହାକୁ ଉଲ୍ଲଂଘନ କରାଯାଉଛି ।  

ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌ରେ ଆବଶ୍ୟକ  ସଂଶୋଧନ ଆଣିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ  ଦିଆଯାଇଛି । ଏନେଇ ଆଗକୁ ଶ୍ରୀମନ୍ଦିର ପରିଚାଳନା  କମିଟି ବୈଠକରେ ମଧ୍ୟ ଆଲୋଚନା ହେବ । ଶ୍ରୀମନ୍ଦିର  ଆଇନରେ ସଂଶୋଧନ ପାଇଁ ୪ ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି । 

ପ୍ରଥମତଃ କୌଣସି ବ୍ୟକ୍ତି ଅନଧିକୃତ ଭାବେ  ମୋବାଇଲ ଫୋନ୍‌ ଜାଣତରେ ଶ୍ରୀମନ୍ଦିର ଭିତରେ  ବ୍ୟବହାର କଲେ କଠୋର ଦଣ୍ଡବିଧାନ କରାଯିବ ।  ଏହି କ୍ଷେତ୍ରରେ ଜାମିନ୍‌ ଓ ଜାମିନ୍‌ ବିହୀନ ଅପରାଧକୁ  ଗୁରୁତ୍ୱ ଦିଆଯିବ । କେଉଁ କୋର୍ଟ ଏହାର ବିଚାର କରିବେ  ସେନେଇ ପ୍ରସ୍ତାବ ପ୍ରସ୍ତୁତ ହୋଇଛି । 

ଦ୍ୱିତୀୟତଃ କୌଣସି  ହିସାବରେ ମହାପ୍ରଭୁଙ୍କ ସଂସ୍କୃତି ଗାରିମା ଜାଣତରେ  କେହିବି କ୍ଷୁଣ୍ଣ କରିବେନି । ସୋସିଆଲ ମିଡିଆରେ  ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଭଳି କୌଣସି ପୋଷ୍ଟ କଲେ କଠୋର ଦଣ୍ଡବିଧାନ ହେବ । ଜାମିନ୍‌  ବିହୀନ ଗିରଫ ପରୱାନା ସହ ୭ ବର୍ଷ ପର୍ଯ୍ୟନ୍ତ ଜେଲ  ୫୦ ହଜାର ଟଙ୍କା ଯାଏଁ ଜରିମାନା ପ୍ରସ୍ତାବ ରହିଛି । ତୃତୀୟତଃ ଅନଧିକୃତ ଭାବେ ଡ୍ରୋନ୍‌ ଶ୍ରୀମନ୍ଦିର ଭିତରେ  ବା ଉପରେ ଉଡାଇଲେ କଠୋର ଦଣ୍ଡବିଧାନ ସହ ଜାମିନ୍‌ ବିହୀନ ଗିରଫ ପରୱାନା ପ୍ରସ୍ତାବ ଦିଆଯାଇଛି ।  

ଚତୁର୍ଥରେ ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ  କ୍ରମେ ଶ୍ରୀମନ୍ଦିର ଆଇନ୍‌ ଶ୍ରୀଜଗନ୍ନାଥ ମନ୍ଦିର ଆଇନ- ୧୯୫୫ର ଧାରା ୩୦(କ)ର ଉପଧାରା ୬ରୁ ୯ ପର୍ଯ୍ୟନ୍ତ  ସଂଶୋଧନ ପାଇଁ ପ୍ରସ୍ତାବ ରହିଛି । ପ୍ରସ୍ତାବ ଅନୁସାରେ,  ଶ୍ରୀମନ୍ଦିର ଭିତର ଫଟୋ କିମ୍ବା ଭିଡିଓ ଉତ୍ତୋଳନ ପାଇଁ ମୋବାଇଲ ତଥା କୌଣସି ଇଲେକ୍ଟ୍ରୋନିକ ଜିନିଷ  ନେବା ପାଇଁ ୩ ବର୍ଷ କାରାଦଣ୍ଡ କିମ୍ବା ୨୦ ହଜାର ଟଙ୍କା  ଜରିମାନା କିମ୍ବା ଉଭୟ ବ୍ୟବସ୍ଥାର ପ୍ରସ୍ତାବ ରହିଛି । 

ଏହି ୪ ବିନ୍ଦୁ ଉପରେ ବୈଠକରେ ବିସ୍ତୃତ ଆଲୋଚନା  କରାଯାଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ,  ନୀତି ପ୍ରଶାସକ, ସୁରକ୍ଷା ପ୍ରଶାସକ, ଶ୍ରୀଜଗନ୍ନାଥ  ସ୍ୱତନ୍ତ୍ର ବାଟାଲିୟନ କମାଣ୍ଡାଣ୍ଟ ଓ ଶ୍ରୀମନ୍ଦିର  ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.