ନୂଆଦିଲ୍ଲୀ ୩୦/୦୪: ପାକିସ୍ତାନରେ ବେନଜୀର ଭୁଟ୍ଟୋଙ୍କ ସରକାରରେ ସାଂସଦ ଥିବା ଦିବାୟା ରାମ ହରିଆଣାର ଫତେହାବାଦରେ ଆଇସ୍କ୍ରିମ୍ ବିକ୍ରି କରୁଛନ୍ତି । ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରରେ ବ୍ୟଥିତ ହୋଇ ତାଙ୍କ ପରିବାର ୨୫ ବର୍ଷ ତଳେ ପର୍ଯ୍ୟଟନ ଭିସାରେ ପାକିସ୍ତାନରୁ ଭାରତ ଚାଲିଆସିଥିଲା । ଦିବାୟା ରାମଙ୍କ ପରିବାରରେ ଏବେ ୩୦ ସଦସ୍ୟ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨ ମହିଳାଙ୍କ ସମେତ ୬ ଜଣଙ୍କୁ ଭାରତର ନାଗରିକତା ମିଳିସାରିଛି । ଅନ୍ୟମାନେ ନାଗରିକତା ପାଇଁ ଆବେଦନ କରିଛନ୍ତି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ୮୦ ବର୍ଷୀୟ ଦିବାୟା ରାମ କହିଛନ୍ତି ‘ଆମେ ଭାରତରେ ରହି ବାକି ଜୀବନ ବିତାଇବାକୁ ଚାହୁଁଛୁ । ଯଦି ପାକିସ୍ତାନ ବିରୋଧରେ ଲଢ଼ିବାକୁ ମଉକା ମିଳିବ, ତେବେ ସର୍ବପ୍ରଥମେ ମୁଁ ଅସ୍ତ୍ର ଉଠାଇବି ।’
ଫତେହାବାଦ ଏସ୍ପି ସିଦ୍ଧାର୍ଥ ଜୈନ କହିଛନ୍ତି, ଜିଲ୍ଲାରେ କିଛି ଲୋକ ପାକିସ୍ତାନରୁ ଆସି ରହୁଛନ୍ତି । ନାଗରିକତା ସଂଶୋଧନ ଆଇନ ଆସିବା ପରେ ଭାରତର ନାଗରିକତା ପାଇଁ ସେମାନେ ଆବେଦନ କରିଛନ୍ତି । ଆବେଦନଗୁଡ଼ିକର ଯାଞ୍ଚ୍ ଚାଲିଛି । ନିୟମ ଅନ୍ତର୍ଗତ ଏବେ କାହାକୁ ପାକିସ୍ତାନ ପଠାଯିବ ନାହିଁ । ଦିବାୟା ରାମ କହିଛନ୍ତି, ପାକ୍ ସଂସଦରେ ଅଳ୍ପସଂଖ୍ୟକଙ୍କ ପାଇଁ କିଛି ପଦ ଆରକ୍ଷିତ ଥାଏ । ସେଥିପାଇଁ ୧୯୮୯ରେ ତାଙ୍କୁ ସାଂସଦ କରାଯାଇଥିଲା । କିନ୍ତୁ ସାଂସଦ ହେବା ପରେ ସେଠାକାର ଗୁଣ୍ଡାମାନେ ଜଣେ ଝିଅକୁ ଉଠାଇନେଲେ । ସରକାରରେ ଥାଇ ମଧ୍ୟ ସେ କିଛି କରିପାରିଲେ ନାହିଁ । ଏହି ଘଟଣାରେ ବ୍ୟଥିତ ହୋଇ କିଛି ଦିନ ମଧ୍ୟରେ ସେ ନିଜ ପଦରୁ ଇସ୍ତଫା ଦେଲେ । ପାକିସ୍ତାନରେ ପ୍ରତିଦିନ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର ବଢୁଥିଲା । ଏହି ସ୍ଥିତିରେ ଦିବାୟା ରାମ ୨୦୦୦ ମସିହାରେ ପରିବାର ସହ ଭାରତରେ ରହିବାକୁ ନିଷ୍ପତ୍ତି ନେଲେ ।
ଭାରତ ଆସିବା ବେଳେ ତାଙ୍କ ପାଖରେ କେବଳ ଗୋଟିଏ ମାସର ଭିସା ଥିଲା । ୨୦୧୮ ପର୍ଯ୍ୟନ୍ତ ସେ ପରିବାରର ଭିସା ବଢ଼ାଇଲେ । ଭାରତ ଆସିବା ସମୟରେ ତାଙ୍କ ସହ ପରିବାରର ୧୩ ଜଣ ସାଙ୍ଗରେ ଆସିଥିଲେ । ଏବେ ତାଙ୍କ ପରିବାର ସଦସ୍ୟଙ୍କ ସଂଖ୍ୟା ବଢ଼ି ୩୦ ହୋଇଛି । ପ୍ରଥମେ ସେମାନେ ରୋହତକର ମଦୀନା ଗାଁରେ ରହିଲେ । ତା’ପରେ ୨୦୦୮ରେ ରତିୟାର ରତନଗଡ଼ରେ ସ୍ଥାୟୀ ଭାବେ ରହିଲେ । ଇତିମଧ୍ୟରେ ସେ ୩ ଝିଅ ଓ ୮ ପୁଅଙ୍କ ବିବାହ କରାଇଛନ୍ତି । ଦିବାୟା ରାମ କହନ୍ତି, ତାଙ୍କ ଜେଜେଙ୍କର ପାକିସ୍ତାନରେ ଏବେ ବି ୨୫ ଏକର ଜମି ଅଛି । ଭାରତରେ ରହୁଥିବାରୁ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ଓ ଅନ୍ୟ ପ୍ରମାଣ ପତ୍ର ଭାରତର ହୋଇସାରିଛି । ଖୁବ୍ଶୀଘ୍ର ତାଙ୍କୁ ଭାରତର ନାଗରିକତା ମିଳିବ ବୋଲି ସେ ଆଶା କରୁଛନ୍ତି । ତାଙ୍କ ଚାଚା ପୁଅ ମଧ୍ୟ ପରିବାର ସହ ୨୦୦୬ ମସିହାରେ ପାକିସ୍ତାନରୁ ରତିୟା ଚାଲିଆସିଥିଲେ । ତାଙ୍କ ପରିବାରର ୬ ସଦସ୍ୟଙ୍କୁ ଭାରତୀୟ ନାଗରିକତା ମିଳିଛି ।