ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ମସ୍କୋରେ ମେ ୯ ତାରିଖରେ ଆୟୋଜିତ ହେବାକୁ ଥିବା ବିଜୟ ଦିବସ ଉତ୍ସବରେ ଭାଗ ନେବେ ନାହିଁ ବୋଲି କ୍ରେମଲିନ ପକ୍ଷରୁ ଘୋଷଣା କରାଯାଇଛି। ଏହି ଉତ୍ସବ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ସୋଭିଏତ୍ ସଂଘର ନାଜୀ ଜର୍ମାନୀ ଉପରେ ବିଜୟର ୮୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ହେଉଛି। କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି ଯେ, ଭାରତ ପକ୍ଷରୁ ଏକ ପ୍ରତିନିଧି ଦଳ ଏହି ଉତ୍ସବରେ ଅଂଶଗ୍ରହଣ କରିବେ। କିନ୍ତୁ ଏଥିରେ ସର୍ବୋଚ୍ଚ ନେତୃତ୍ତ୍ୱ ଯୋଗ ଦେବେ ନାହିଁ। ସୂଚନା ଅନୁଯାୟୀ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କାର୍ଯ୍ୟକ୍ରମରେ ଭାରତର ପ୍ରତିନିଧିତ୍ଵ କରିପାରନ୍ତି।
ଏହି ନିଷ୍ପତ୍ତି ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଇଥିବା ଉତ୍ତେଜନା ମଧ୍ୟରେ ଆସିଛି। ଉକ୍ତ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ ଏହି ଗସ୍ତ ବାତିଲ କରିଥିବା ଜଣାପଡ଼ିଛି।
ଏପ୍ରିଲ ଆରମ୍ଭରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଉତ୍ସବରେ ଅଂଶଗ୍ରହଣ ପାଇଁ ଔପଚାରିକ ନିମନ୍ତ୍ରଣ ପଠାଇଥିଲେ। ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ସମେତ ପ୍ରାୟ ୨୦ ଜଣ ବିଦେଶୀ ନେତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।
ପିଏମ ମୋଦୀଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ବିବୃତି ଜାରି କରାଯାଇନାହିଁ। ତେବେ, ଭାରତ-ରୁଷ ସମ୍ପର୍କରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କ୍ରେମଲିନ ପକ୍ଷରୁ ଘୋଷଣା କରାଯାଇଛି। କାରଣ ରୁଷିୟ ରାଷ୍ଟ୍ରପତି ପୁଟିନ ଚଳିତ ବର୍ଷ ଭାରତ ଗସ୍ତ ପାଇଁ ମୋଦୀଙ୍କ ନିମନ୍ତ୍ରଣ ଗ୍ରହଣ କରିସାରିଛନ୍ତି।