ଲାଞ୍ଜିଗଡ଼,୨୬/୬(ଆପ୍ର): ରାଜ୍ୟ ସରକାର ନଦୀ ଆରପାରିରେ ଥିବା ଗାଁ ଗୁଡିକୁ ସଂଯୋଗ କରିବା ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇ ପୋଲ ନିର୍ମାଣ କରୁଛନ୍ତି l ହେଲେ ଦୁର୍ନୀତି ଖୋର ଯନ୍ତ୍ରୀ ଓ ଠିକାଦାର ମାନଙ୍କ ଯୋଗୁଁ ୩ ବର୍ଷ ପରେ ମଧ୍ୟ ବ୍ରିଜ କାମ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ l ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଭାଙ୍ଗି ଯିବାରୁ ୬ଗୋଟି ଗାଁର ୩୫୦ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି l
ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସାହାଜା ପଡ଼ା ନିକଟସ୍ଥ କଲ୍ୟାଣୀ ନଦୀରେ l ଦୀର୍ଘ ବର୍ଷର ଅଭିଯୋଗ ପରେ କଲ୍ୟାଣୀ ନଦୀ ବ୍ରିଜ ନିର୍ମାଣ ପାଇଁ ୨୦୨୩ ମସିହାରେ ମଞ୍ଜୁର ହୋଇଥିଲା ଓ କଳାହାଣ୍ଡିର ଜଣେ ଠିକାଦାର ଏହାର ଠିକା ନେଇଥିବା ବେଳେ ୨୦୨୩ ମସିହା ମେ ମାସରେ କାମ ମଧ୍ୟ ଆରମ୍ଭ ହୋଇଥିଲା l ହେଲେ ଆଜକୁ ୩ ବର୍ଷ ହୋଇଥିଲେ ହେଁ ଏ ଯାଏଁ ବ୍ରିଜ କାମ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ l ଲୋକଙ୍କ ଯିବା ଆସିବା ପାଇଁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା ହେଲେ ପ୍ରବଳ ଲଗାଣ ବର୍ଷା ହେବା ଯୋଗୁଁ ନଦୀର ବନ୍ୟା ପାଣି ଅସ୍ଥାୟୀ ପୋଲକୁ ଭାଙ୍ଗି ଦେଇଛି l
ଅସ୍ଥାୟୀ ପୋଲ ଭାଙ୍ଗିଯିବା ଯୋଗୁଁ ବିଜେପୁର ପଞ୍ଚାୟତର ୬ଖଣ୍ଡ ଗାଁର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କଲ୍ୟାଣୀ ନଦୀ ବ୍ରିଜ ସମ୍ପୂର୍ଣ୍ଣ ନ ହେବା ଯୋଗୁଁ ପୁଣି ୩୫୦ ପରିବାର ଜଳବନ୍ଦୀରେ ରହିଛନ୍ତି l ତେଵେ କେନ୍ଦୁପଡ଼ା ଛକରୁ ସାହାଜପଡ଼ା ଗ୍ରାମକୁ ସଂଯୋଗ କରୁଥିବା ୨ କିମି ରାସ୍ତା ମଝିରେ କଲ୍ୟାଣୀ ନଦୀ ରହିଥିବାବେଳେ ସମ୍ପୂର୍ଣ୍ଣ ଭାବେ ସାହଜପଡ଼ା,ଡୋକରିଗୁଡ଼ା, ବଣ୍ଡେଲ,ଗାଟ୍ରାଗୁଡା,ବାରଗୁଡ଼ା, ଓ ପଣସଗୁଡା ଗାଁ ଲୋକଙ୍କ ପାଇଁ ଏହି ନଦୀ ମୁଖ୍ୟ ସମସ୍ୟା ପାଲଟିଛି । ଲଗାଣ ବର୍ଷା ଯୋଗୁଁ ପଞ୍ଚାୟତ କାର୍ଯ୍ୟାଳୟ ବିଜେପୁର ଓ ବ୍ଳକ୍ କାର୍ଯ୍ୟାଳୟ ବିଶ୍ଵନାଥପୁର କୁ ଯିବା ପାଇଁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି। ସେହିପରି ପଞ୍ଚାୟତରୁ ପିଡିଏସ୍ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଆଣିବା,ଗୋରୁ ଗାଈଙ୍କୁ ନଦୀ ପାର କରିବା, ରୋଗୀ, ଗର୍ଭବତୀ ଓ ପ୍ରସୂତିଙ୍କୁ ଡାକ୍ତରଖାନାକୁ ଖଟିଆରେ ବୋହି ନେବା ଭଳି ଦୃଶ୍ୟ ବର୍ଷ ବର୍ଷ ଧରି ନିତିଦିନିଆ ପାଲଟିଛି l
ତେଵେ ବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଓ ଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୨୦୨୩ ମେ ମାସରେ କାମ ଆରମ୍ଭ କରିଥିଲେ ସୁଦ୍ଧା ଏବେ ଯାଏଁ ବ୍ରିଜ କାମ ସମ୍ପୂର୍ଣ୍ଣ କରି ପାରିନାହାନ୍ତି ବୋଲି ଅଞ୍ଚଳବାସି ଅସନ୍ତୋଷ ପ୍ରକାଶ କରିଛନ୍ତି l ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ କାମକୁ ଠିକ ଭାବରେ ତଦାରଖ କରୁ ନାହାନ୍ତି ଯାହାଦ୍ୱାରା ଅତି ନିମ୍ନମାନର କାମ ଓ ମନ୍ଥନ ଗତିରେ କାମ ଚାଲିଛି ବୋଲି ଗ୍ରାମବାସି ଅଭିଯୋଗ ଆଣିଛନ୍ତି l
ସେହିପରି ଲଗାଣ ବର୍ଷା ଯୋଗୁଁ ବେନଗାଁ ପଞ୍ଚାୟତ ସ୍ଥିତ ବେନଗାଁ ଉପର ପଡ଼ାର ଅନେକ ଘରକୁ ଆଣ୍ଠୁଏ ପାଣି ପଶିଯାଇ ଜମି ରହିଥିବା ବେଳେ ଏଥିପାଇଁ ଲୋକ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଦାୟି କରିଛନ୍ତି l କାରଣ ପୂର୍ତ୍ତ ବିଭାଗର ରାସ୍ତା ଉଚ୍ଚତା ବଡ଼ାଇବା ସହିତ ପାଣି ନିଷ୍କାସିତ ପାଇଁ ଡ୍ରେନର ବ୍ୟବସ୍ଥା କରିବା କଥା କିନ୍ତୁ ପାଣି ନିଷ୍କାସିତ ପାଇଁ କୌଣସି ଡ୍ରେନର ବ୍ୟବସ୍ଥା କରିନାହାନ୍ତି ଯାହାଦ୍ୱାରା ରାସ୍ତା କଡରେ ଥିବା ପ୍ରତ୍ୟେକ ଘରରେ ଆଣ୍ଠୁଏ ପାଣି ଜମି ରହିଛି ବୋଲି ଗ୍ରାମବାସି ଅଭିଯୋଗ ଆଣିଛନ୍ତି l ତେଵେ ଏତି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି l