ନୂଆଦିଲ୍ଲୀ ୧୦/୦୬: ଉତ୍ତର ପ୍ରଦେଶ ମୁଜାଫରନଗରର ଏକ ଜଙ୍ଗଲରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବାର ମାମଲାରେ ପୁଲିସ୍ ହାତରେ ସୁରାକ୍ ଲାଗିଛି । ତଦନ୍ତକାରୀ ଟିମ୍ ଏହି ଘଟଣାରେ ମୃତ ମହିଳାଙ୍କ ବାପା ଓ ଭାଇକୁ ହତ୍ୟା ଅଭିଯୋଗରେ ଗିରଫ କରିଛି । ମୃତକ ୨୩ ବର୍ଷିୟା ସରସ୍ୱତୀ ମାଲିଆନା ଗୁଡ଼ଗାଓଁରେ ଏକ ଇ-କମର୍ସ MNCରେ କାମ କରୁଥିଲେ। ସରସ୍ୱତୀ ଗାଁର ଅମିତ ନାମକ ଜଣେ ବ୍ୟକ୍ତିଙ୍କ ସହ ଲିଭ୍-ଇନ୍ ରିଲେସନସିପରେ ରହୁଥିଲେ । ହେଲେ ତାଙ୍କ ବାପା ରାଜବୀର ସିହଂ ଏବଂ ଭାଇ ସୁମିତ ସିଂହ ଏଭଳି ସମ୍ପର୍କକୁ ବିରୋଧ କରୁଥିଲେ । ତେଣୁ ପରିବାର ଲୋକ ସରସ୍ୱତୀଙ୍କୁ ହତ୍ୟା କରିଥିବା ପୁଲସ୍ କହିଛି ।
ପୁଲିସ କହିଛି, ସରସ୍ୱତୀଙ୍କୁ ୨୦୧୯ ମସିହାରେ ଜୋର ଜବରଦସ୍ତ ବିବାହ କରାଯାଇଥିଲା, କିନ୍ତୁ ଦୁଇ ବର୍ଷ ପରେ ସେ ତାଙ୍କ ସ୍ୱାମୀଙ୍କୁ ଛାଡି ଦେଇଥିଲେ। ମାମଲାର ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି, ତାଙ୍କ ପରିବାର ୨୦୨୨ରେ ସରସ୍ବତୀଙ୍କର ଦ୍ୱିତୀୟ ବିବାହ ସ୍ଥିର କରିଥିଲେ, ମାତ୍ର ତାହା ମଧ୍ୟ ସଫଳ ହୋଇନଥିଲା। ପରେ ସେ ଗୁଡ଼ଗାଓଁରେ ଅମିତ ନାମକ ଜଣେ ବ୍ୟକ୍ତିଙ୍କ ସହ ଲିଭଇନ୍ ରିଲେସନସିପରେ ରହିବାକୁ ଲାଗିଲେ ଏବଂ ଉଭୟେ ଏକ ଇ-କମ୍ ଫାର୍ମରେ ଚାକିରି ଆରମ୍ଭ କରିଥିଲେ । ମୃତ ସରସ୍ବତୀଙ୍କ ପରିବାରର ବିରୋଧ ସତ୍ତ୍ୱେ, ଉଭୟଙ୍କ ମଧ୍ୟରେ ସମ୍ପର୍କ ଜାରି ରହିଥିଲା । ବାପାଙ୍କୁ ରାଜି କରାଇବା ପାଇଁ ମେ' ୧୦ ତାରିଖରେ ମୁଜାଫରନଗରରେ ଥିବା ଗାଁକୁ ଫେରି ଆସିଥିଲେ। ଅମିତ୍ ଶେଷ ଥର ପାଇଁ ସରସ୍ୱତୀଙ୍କ ସହିତ ମେ' ୨୬ ତାରିଖରେ କଥା ହୋଇଥିଲେ, ଏବଂ କହିଥିଲେ ଯେ ଏହା ସେମାନଙ୍କୁ ବୁଝାଇବା ପାଇଁ ତାଙ୍କର ଶେଷ ପ୍ରୟାସ ହେବ।"
ଅଧିକାରୀ ଆହୁରି କହିଛନ୍ତି, ହତ୍ୟାକାଣ୍ଡ ମେ' ୨୯ରୁ ୩୦ ତାରିଖ ରାତିରେ ଘଟିଥିଲା। ବାପା ରାଜବୀର ଏବଂ ଭାଇ ସୁମିତ, ସରସ୍ୱତୀଙ୍କୁ ତାଙ୍କ ଘରେ ତଣ୍ଟି ଚିପି ହତ୍ୟା କରିଥିଲେ। ତୃତୀୟ ଅଭିଯୁକ୍ତ ସୁମିତର ବନ୍ଧୁ ଗୁରଦୟାଲ ସିଂହ ଏହି ହତ୍ୟାକାଣ୍ଡ ପାଇଁ ସହଯୋଗ କରିଥିଲ। ତା’ପରେ ତିନିଜଣ ମୃତଦେହକୁ ପ୍ରାୟ ୫ କିଲୋମିଟର ଦୂର ଏକ କେନାଲ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ନେଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଦୁଇ ଦିନ ପରେ, ପରିବାର ଲୋକେ ପୁଲିସକୁ ଭ୍ରମିତ କରିବା ପାଇଁ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଜୁନ୍ ୩ ତାରିଖରେ କାକରୌଲି ଥାନା ଅଞ୍ଚଳର ଜଙ୍ଗଲରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ତଦନ୍ତର ଦିଗ ବଦଳିଗଲା। ମୃତଦେହ ପୋଡିଯାଇଥିବା ଯୋଗୁଁ ଚିହ୍ନଟ କରିବା କଷ୍ଟକର ହୋଇଥିଲା। ମୁଜାଫରନଗର ଏସଏସପି ସଞ୍ଜୟ କୁମାର ବର୍ମା କହିଛନ୍ତି, ଏସଏଚଓ ଯୋଗିନ୍ଦର ସିଂହ ଏବଂ କନଷ୍ଟେବଳ ଲଳିତ ମୋରାଲ ମହିଳାଙ୍କ ହାତରେ ଥିବା ଚୁଡ଼ିକୁ ଦେଖି ସୋସିଆଲ ମିଡିଆରେ ଏକ ପୋଷ୍ଟ ସହିତ ମେଳ କରିଥିଲେ। ଯାହା ତାଙ୍କ ପରିଚୟକୁ ନିଶ୍ଚିତ କରିବାରେ ସାହାଯ୍ୟ କରିଥିଲା।
ତେବେ ରାଜବୀର ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି କାରଣ ସେ ତାଙ୍କ ଝିଅର ସମ୍ପର୍କକୁ ନେଇ ସନ୍ତୁଷ୍ଟ ନଥିଲେ। ତୃତୀୟ ଅଭିଯୁକ୍ତ ଗୁରଦୟାଲ ସିଂହ ଫେରାର୍ ଅଛି ଏବଂ ଆମେ ତାଙ୍କୁ ଗିରଫ କରିବା ପାଇଁ ଚଢ଼ାଉ କରୁଛୁ ବୋଲି ବର୍ମା କହିଛନ୍ତି।