ନୂଆଦିଲ୍ଲୀ,୧୨/୦୬: ଗୁଜୁରାଟର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ AI-171 ଜୁନ୍ ୧୨ ତାରିଖ, ଗୁରୁବାର ଦିନ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବିମାନରେ ୨୪୨ ଜଣ ଥିଲେ। ଏମାନଙ୍କ ମଧ୍ୟରୁ ୨୩୦ ଯାତ୍ରୀ, ୧୦ ଜଣ କ୍ୟାବିନ କ୍ରୁ ଏବଂ ଦୁଇ ଜଣ ପାଇଲଟ ଥିଲେ। ବୋଇଂ କମ୍ପାନୀ ଦ୍ୱାରା ନିର୍ମିତ ଏହି ବିମାନଟି 787-8 ଡ୍ରିମଲାଇନର୍ ମଡେଲର ଥିଲା, ଯାହାକି ଉଡ଼ାଣ ଭରିବାର କିଛି ସମୟ ପରେ ଖସିପଡ଼ିଥିଲା। ଏହା ପରେ ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ ଥିବା ବିଜେ ମେଡିକାଲ୍ କଲେଜର ଡାକ୍ତରଙ୍କ ଆବାସିକ କ୍ୱାର୍ଟର୍ସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା କ୍ୟାମ୍ପସରେ ଥିବା କୋଠାଗୁଡ଼ିକୁ ଗୁରୁତର କ୍ଷତି ପହଞ୍ଚାଇଥିଲା। ଦୁର୍ଘଟଣା ସମୟର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଉଛି ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ଏକ ବିରାଟ ନିଆଁ ପିଣ୍ଡୁଳାରେ ପରିଣତ ହୋଇଗଲା। ପ୍ରଶ୍ନ ହେଉଛି ଦୁର୍ଘଟଣା ସମୟରେ ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହେବାର କାରଣ କ'ଣ ? ବିଶେଷଜ୍ଞମାନେ ଦୁର୍ଘଟଣାର ସମୟ ଏବଂ ଏଥିରେ ଥିବା ଇନ୍ଧନକୁ ନେଇ କେଉଁଠି ନା କେଉଁଠି ଏହାର ଉତ୍ତର ଖୋଜୁଛନ୍ତି।
କାହିଁକି ନିଆଁପିଣ୍ଡରେ ପରିଣତ ହୋଇଗଲା ବିମାନ?
ପ୍ରଥମତଃ, ଏହି ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା, ଅର୍ଥାତ୍ ଏହାକୁ ବହୁତ ଦୂରତା ଅତିକ୍ରମ କରିବାର ଥିଲା ଏବଂ ଏଥିପାଇଁ ଏହାକୁ ଏହାର ଇନ୍ଧନ ଟାଙ୍କି ସମ୍ପୁର୍ଣ୍ଣ ଭାବରେ ଭରି ଉଡ଼ାଣ କରିବାର ଆବଶ୍ୟକତା ଥିଲା। ଏହି ବିମାନଟି ବୋଇଂର 787-8 ଡ୍ରିମଲାଇନର୍ ମଡେଲର ଥିଲା। ବୋଇଂର ୱେବସାଇଟ୍ ଅନୁଯାୟୀ, ଏହି ବିମାନଟି ଥରକରେ ୧୩,୬୨୦ କିଲୋମିଟର ପର୍ଯ୍ୟନ୍ତ ଯିବାର କ୍ଷମତା ରଖିଥାଏ ଏବଂ ଏଥିରେ GEnx-1B / Trent 1000 ଇଞ୍ଜିନ୍ ଲାଗିଛି। ଗ୍ଳୋବାଲ ଏୟାର ଡଟ୍ କମ୍ ଏବଂ ଆଇସିକ୍ସ ଗ୍ରୁପ୍ ରିପୋର୍ଟ ଅନୁଯାୟୀ, ଏହି ମଡେଲର ଇନ୍ଧନ କ୍ଷମତା ପ୍ରାୟ ୧୨୬ ରୁ ୧୨୭ ହଜାର ଲିଟର ଅଟେ। ଉଡ଼ାଣ ସମୟରେ ଏହି ବିମାନରେ ୧,୨୫,୦୦୦ ଲିଟର ଜେଟ୍ ଫୁଏଲ୍ ଥିଲା।
ଏବେ ଏହି ଦୁର୍ଘଟଣାର ସମୟ ବିଷୟରେ ବିଚାର କରନ୍ତୁ। ଅଧିକାରୀମାନେ କହିଛନ୍ତି ଯେ ବୋଇଂ ଡ୍ରିମଲାଇନର ବିମାନଟି ଅପରାହ୍ନ ପ୍ରାୟ ୧.୪୭ ରେ ଉଡ଼ାଣ ଆରମ୍ଭ କରିଥିଲା ଏବଂ ଉଡ଼ାଣ ପାଇଁ ଅନୁମତି ପାଇବାର ୯ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରକୃତରେ, ଏହି ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ପହଞ୍ଚିବାକୁ ୫ ଘଣ୍ଟା ସମୟ ନିଏ କିନ୍ତୁ ଏହା ମାତ୍ର ୯ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାର ଅର୍ଥ ଏଥିରେ ଥିବା ସମସ୍ତ ଜେଟ୍ ଫୁଏଲ୍ ପରିପୂର୍ଣ୍ଣ ହୋଇ ରହିଥିଲା।
* ଏପରି ପରିସ୍ଥିତିରେ, ଏହା ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହେବାର ସବୁଠାରୁ ବଡ଼ କାରଣ ପରି ମନେ ହେଉଛି। ତଥାପି, ବ୍ଲାକ୍ ବକ୍ସର ଆନୁଷ୍ଠାନିକ ତଦନ୍ତ ପରେ ହିଁ ଏହା କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା ତାହାର କାରଣ ଜଣାପଡ଼ିବ।
ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ଡିଜିସିଏ:
ଗୁରୁବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ଯେ, ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଡିଜିସିଏର ଜଣେ ମୁଖପାତ୍ର କହିଛନ୍ତି, "ଏହି ସମୟରେ ଦୁର୍ଘଟଣାର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। ଏକ ବିସ୍ତୃତ ତଦନ୍ତ ଆରମ୍ଭ ହୋଇଛି।" ସେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ସମ୍ପୃକ୍ତ ଏଜେନ୍ସି ଏହି ତଦନ୍ତରେ ସାମିଲ ଅଛନ୍ତି।
ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ୨୩ ରୁ ୧୩.୩୯ ଆଇଏସପିରେ ଉଡ଼ାଣ ଆରମ୍ଭ କରିଥିଲା। ଏହାର କିଛି ସମୟ ପରେ କକ୍ପିଟ୍ରୁ ଏକ ମେଡେ କଲ୍ ଜାରି କରାଯାଇଥିଲା, କିନ୍ତୁ ପାଇଲଟ୍ଙ୍କ ଠାରୁ ଆଉ କୌଣସି ପ୍ରତିକ୍ରିୟା ମିଳିନଥିଲା। ବିମାନଟି କ୍ୟାପ୍ଟେନ ସୁମିତ ସବରୱାଲଙ୍କ ଦ୍ୱାରା ପରିଚାଳିତ ହୋଇଥିଲା, ଯିଏକି ଏୟାର ଇଣ୍ଡିଆର ଦୀର୍ଘ ସମୟ ଧରି ପାଇଲଟ ଏବଂ ୮,୨୦୦ ଘଣ୍ଟାରୁ ଅଧିକ ଉଡ଼ାଣର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ଏହି ପରିପ୍ରେକ୍ଷୀରେ ଫାର୍ଷ୍ଟ ଅଫିସର କ୍ଲାଇଭ କୁନ୍ଦରଙ୍କର ମଧ୍ୟ ୧୧୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ରହିଥିଲା। ତଦନ୍ତ ପରେ ହିଁ ତମାମ ଘଟଣାକ୍ରମ ଏବଂ ରହସ୍ୟ ଉପରୁ ପରଦା ହଟିବ।