ଇଂଲଣ୍ଡ: ବୁଧବାର ଅହମଦାବାଦ ବିମାନବନ୍ଦର ନିକଟରେ ଅହମଦାବାଦ-ଲଣ୍ଡନ ଗ୍ୟାଟୱିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କେଇର ଷ୍ଟାରମର। ବିମାନରେ ମୋଟ୍ ୫୩ ଜଣ ବ୍ରିଟିଶ ନାଗରିକ ଯାତ୍ରା କରୁଥିବାରୁ ଇଂଲଣ୍ଡ ଏନେଇ ଚିନ୍ତା ପ୍ରକଟ କରିଛି।
ଷ୍ଟାରମର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ଭାରତୀୟ ସହର ଅହମଦାବାଦରେ ଅନେକ ବ୍ରିଟିଶ ନାଗରିକଙ୍କୁ ନେଇ ଲଣ୍ଡନ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର।” ଏହାସହ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପରିବାର ପ୍ରତି ମଧ୍ୟ ସେ ସମବେଦନା ଜଣାଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ଏହି ଦୁର୍ଘଟଣାର ସବିଶେଷ ତଥ୍ୟ ଉପରେ ନଜର ରଖିଛି। ତେବେ ଏହି ଦୁଃଖଦ ସମୟରେ ବିମାନରେ ଯାତ୍ରା କରୁଥିବା ଯାତ୍ରୀ ଓ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି।” ଏହାସହ ଇଂଲଣ୍ଡର ବୈଦେଶିକ ଏବଂ ରାଜ୍ୟଗୋଷ୍ଠୀ ବ୍ୟାପାର ସଚିବ ଡେଭିଡ ଲାମି ମଧ୍ୟ ଏହି ଦୁର୍ଘଟଣା ପାଇଁ ଚିନ୍ତା ପ୍ରକାଶ କରିଛନ୍ତି।
ଏନେଇ ଡେଭିଡ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ଜାରି କରି ଲେଖିଛନ୍ତି ଯେ “ଭାରତର ଅହମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣା ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ଏହି ଦୁର୍ଘଟମାର ସମ୍ମୁଖିନ ହୋଇଥିବା ସମସ୍ତ ପ୍ରଭାବିତ ଲୋକମାନଙ୍କ ପାଇଁ ମୋର ସମବେଦନା ରହିଛି। ତେବେ ୟୁକେ ଭାରତର ସ୍ଥାନୀୟ ଅଧିକାରିଙ୍କ ସହ ମିଳିତ ଭାବେ ତଥ୍ୟ ଯୋଗାଡ କରିବା ସହ ସହାୟତା ଯୋଗାଇବା ଉପରେ କାମ କରୁଛି।”
ଆପଣଙ୍କୁ ଜଣାଇରଖୁ ଯେ, ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଗୁରୁବାର ଅପରାହ୍ନ ସମୟରେ ସର୍ଦ୍ଦାର ବହ୍ଲଭଭାଇ ପଟେଲ ବିମାନ ବନ୍ଦରଠୁ ଅଳ୍ପ ଦୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବୋଇଂ 787 ଡ୍ରିମଲାଇନର ବିମାନରେ ମୋଟ୍ ୨୪୨ ଜଣ ଯାତ୍ରୀ ରହିଥିଲେ। ଯେଉଁଥିରେ ୧୬୯ ଭାରତୀୟ ଯାତ୍ରୀ ରହିଥିବା ବେଳେ ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୂଗିଜ ନାଗରିକ ଓ ଜଣେ କାନାଡିଆନ ନାଗରିକ ରହିଥିଲେ।