ୱାଶିଂଟନ ଡିସି, ୦୨/୦୩: ବିଶ୍ୱର ପ୍ରମୁଖ ବ୍ୟବସାୟୀ ଏଲନ ମସ୍କ ୧୪ତମ ସନ୍ତାନର ପିତା ହୋଇଛନ୍ତି । ନିଜ କମ୍ପାନି ୟୁରାଲିଙ୍କ୍ର ଏକ୍ଜିକ୍ୟୁଟିଭ୍ ଶିୱାନ ଜିଲିସ୍ ହେଉଛନ୍ତି ଏହି ପୁତ୍ର ସନ୍ତାନର ମା । ପିଲାର ନାମ ସେଲ୍ଡନ ଲାଇକୁର୍ଗସ ରଖାଯାଇଛି । ଶିୱାନ ଜିଲିସ ଶୁକ୍ରବାର ସନ୍ତାନ ଜନ୍ମ ସମ୍ପର୍କରେ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ।
ସେଥିରେ ସେ ଲେଖିଛନ୍ତି ମସ୍କଙ୍କ ସହ କଥାବାର୍ତ୍ତା କରିବା ପରେ ସନ୍ତାନ ବିଷୟରେ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପୁତ୍ର ସନ୍ତାନର ଜନ୍ମ କେବେ ହୋଇଛି ତାହା ସେ ପ୍ରକାଶ କରିନାହାନ୍ତି । ପୂର୍ବରୁ ଶିୱାନ ଓ ମସ୍କଙ୍କର ୩ ସନ୍ତାନ ଅଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ଯମଜ ସନ୍ତାନ ଷ୍ଟ୍ରାଇଡର ଓ ଏଜ୍ୟୋର ଏବଂ ଏକ କନ୍ୟା ସନ୍ତାନ ଅର୍କାଡିଆ ଅଛନ୍ତି । ୨୦୨୧ ନଭେମ୍ବରରେ ମସ୍କ ଓ ଶିୱାନ ସେମାନଙ୍କ ଘରେ ଯମଜ ସନ୍ତାନ ଜନ୍ମ ନେଇଥିବା ସମ୍ପର୍କରେ ସୂଚନା ଦେଇଥିଲେ ।
ଗତବର୍ଷ ଅର୍କାଡିଆ ଜନ୍ମ ଗ୍ରହଣ କରିଥିଲେ । ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ବେଳେ ମସ୍କଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ମସ୍କ ତାଙ୍କ ସାଥୀରେ ଶିୱାନ ଓ ପିଲାମାନଙ୍କୁ ଧରି ଆସିଥିଲେ । ସେହିଭଳି ଗତମାସରେ ଆମେରିକାର ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ତଥା ଲେଖିକା ଆସ୍ଲେ ସେଣ୍ଟ କ୍ଲେୟାର ଦାବି କରିଥିଲେ କି ତାଙ୍କ ସନ୍ତାନର ପିତା ହେଉଛନ୍ତି ଟେସ୍ଲା କମ୍ପାନିର ମାଲିକ ମସ୍କ । ୫ ମାସ ପୂର୍ବରୁ ଗୋପନୀୟ ଭାବେ ସେ ଏହି ସନ୍ତାନକୁ ଜନ୍ମ ଦେଇଛନ୍ତି ।