ନୂଆଦିଲ୍ଲୀ ୦୨/୦୩: କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ପୋଷ୍ଟଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବା ଚୀନ୍ର ଜଣେ ଯୁବତୀ ମା ୟା ନିକଟରେ ସାଂଘାଇ ଚିଡି଼ଆଖାନାରେ କାମ କରିବା ଲାଗି ଏକ ବାୟୋଫାର୍ମାସ୍ୟୁଟିକାଲ୍ କଂପାନିରେ ମୋଟା ଅଙ୍କର ଦରମାର ଚାକିରି ଅଫର୍କୁ ହାତଛଡ଼ା କରିଛନ୍ତି । ୨୫ ବର୍ଷୀୟା ମା ୟା ଜିଆଙ୍ଗସୁ ପ୍ରଦେଶର ବାସିନ୍ଦା । ଗତବର୍ଷ ଫେବ୍ରୁଆରୀ ମାସରୁ ସାଂଘାଇ ଚିଡି଼ଆଖାନାରେ କାମ କରିଆସୁଛନ୍ତି ସେ । ନିକଟରେ ତାଙ୍କୁ ଏକ ପ୍ରତିଷ୍ଠିତ ବାୟୋଫାର୍ମାସ୍ୟୁଟିକାଲ୍ କଂପାନିରୁ ଚାକିରି ଅଫର୍ ଆସିଥିଲା । ସେହି କଂପାନିରେ ତାଙ୍କୁ ମାସିକ ଯେତିକି ଟଙ୍କା ମିଳିବାକୁ ଥିଲା ଚିଡି଼ଆଖାନାରେ ତାର ଅଧା ଦରମା ମିଳୁଛି । ଏହାସତ୍ତେ୍ୱ ତାଙ୍କର କୌଣସି ପ୍ରକାର ଅବସୋସ ନଥିବା ସେ ପ୍ରକାଶ କରିଛନ୍ତି ।
ମା ୟା କହିଛନ୍ତି, ଦରମା କମ୍ ମିଳୁଥିଲେ ବି ତାଙ୍କ ମନରେ କୌଣସି ଦୁଃଖ ନାହିଁ । କାରଣ ଚିଡ଼ିଆଖାନାରେ କାମ କରିବା ସମୟରେ ସେ ପଶୁମାନଙ୍କୁ ଅନୁଧ୍ୟାନ କରିବାର ସୁଯୋଗ ପାଉଛନ୍ତି । ଏହାଦ୍ୱାରା ପଶୁଙ୍କର ଡାଏଟ୍ ଓ ବିଭିନ୍ନ ରୋଗର ଚିକିତ୍ସା ନେଇ ସେ କରୁଥିବା ଗବେଷଣାରେ ସହାୟତା ମିଳୁଛି । ଏହାଛଡ଼ା ଚିଡି଼ଆଖାନାରେ କାମ କରିବା ତାଙ୍କ ଲାଗି ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ମଧ୍ୟ ଭଲ । କାରଣ ତାଙ୍କୁ ଅଫିସ୍ ପରିବେଶ ମଧ୍ୟରେ ବାନ୍ଧି ହେବାକୁ ପଡୁନାହିଁ ।
ସେ ଲଣ୍ଡନର ଇମ୍ପେରିଆଲ୍ କଲେଜରୁ ବାୟୋଲୋଜିକାଲ୍ ସାଇନ୍ସରେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି । ଏହାପରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଭେଟେନାରୀ ସାଇନ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ସାଂଘାଇ ଚିଡ଼ିଆଖାନାରେ ସେ ହାତୀ, ମାଙ୍କଡ଼, ବାଘ, ପାଣ୍ଡା ଭଳି ବିଭିନ୍ନ ଜୀବଜନ୍ତୁଙ୍କର ଦାୟିତ୍ୱରେ ଥିଲେ । ଏବେ ହରିଣ ଓ ଛେଳିଙ୍କ ଖୁଆଡ଼ କଥା ବୁଝୁଛନ୍ତି । ଜୀବଜନ୍ତୁଙ୍କୁ ଖୁଆଇବା ବ୍ୟତୀତ ମା ୟା ସେମାନଙ୍କୁ ହେଉଥିବା ବିଭିନ୍ନ ରୋଗ ନେଇ ମଧ୍ୟ ଗବେଷଣା କରୁଛନ୍ତି ।