ଅନୁଗୁଳ,୦୫/୦୬(ଲିଟୁନ୍ କୁମାର ସାହୁ): ଅନୁଗୁଳ ସହରରେ ବଢ଼ି ଚାଲିଛି ବ୍ରାଉନସୁଗର କାରବାର । ଅନୁଗୁଳ ଥାନା ପୁଲିସ୍ ଟାଉନ୍ ହାଇସ୍କୁଲ ସାମ୍ନା ପରିତ୍ୟକ୍ତ ଭେଣ୍ଡିଂ ଜୋନ୍ରେ ଚଢ଼ାଉ କରି ୮ ଗ୍ରାମ୍ ବ୍ରାଉନସୁଗ ଜବତ କରିଛି । ଏଥି ସହିତ ଏହି ଚୋରା କାରବାରର ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରାଜକିଶୋରପଡ଼ାର କହୁଲୁ ନାଏକ(୬୦ ବର୍ଷ) ଓ ତାଙ୍କ ସ୍ତ୍ରୀ ଚତୁରୀ ନାଏକ(୫୫ ବର୍ଷ) । ବ୍ରାଉନସୁଗର ସହିତ ପୁଲିସ ସେମାନଙ୍କ ଠାରୁ ୨ଟି ମୋବାଇଲ୍ ଓ ନଗଦ ୩୬ ହଜାର ଟଙ୍କା ଜବତ କରିଛି।
ସୂଚନା ମୁତାବକ, ନହୁଲ ଓ ଚତୁରୀ ଦୀର୍ଘଦିନ ହେଲା ବ୍ରାଉନସୁଗର କାରବାର କରି ଆସୁଥିଲେ । ଛୋଟ ଛୋଟ ପୁଡ଼ିଆ କରି ବିକ୍ରି କରୁଥିଲେ । ପୁଲିସ୍ ଉଭୟଙ୍କ ଉପରେ ନଜର ରଖିଥିଲା । ଉଭୟ ବୁଧବାର ଅପରାହ୍ଣରେ ଟାଉନ୍ ହାଇସ୍କୁଲ ସାମ୍ନା ଭେଣ୍ଡିଂ ଜୋନ୍ରେ ବ୍ରାଉନସୁଗର କାରବାର କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଖବର ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ଚଢାଉ କରିଥିଲା । ପୁଲିସକୁ ଦେଖି ସେଠାରେ ଥିବା କିଛି ଲୋକ ଛତ୍ରଭଙ୍ଗ ଦେଇଥିଲେ। ମାତ୍ର ପୁଲିସ୍ ଉଭୟ କହୁଲୁ ଓ ଚତୁରୀଙ୍କୁ କାବୁ କରି ନେଇଥିଲା । ଛୋଟ ଛୋଟ ପୁଡ଼ିଆ କରୁଥିବା ବେଳେ ପୁଲିସ ସେମାନଙ୍କୁ ମାଡ଼ି ବସିଥିଲା। ସେମାନଙ୍କ ଠାରୁ ବ୍ରାଉନସୁଗର ସହିତ ମୋବାଇଲ ଓ ନଗଦ ୩୬ ହଜାର ଟଙ୍କା ଜବତ କରିଥିଲା । ରାଜକିଶୋରପଡ଼ାର ଜଣେ ଯୁବକଠାରୁ ସେମାନେ ବ୍ରାଉନସୁଗର ଆଣି ବ୍ୟବସାୟ କରୁଥିବା ପୁଲିସ ଜେରା ବେଳେ ସ୍ୱୀକାର କରିଛନ୍ତି ଦମ୍ପତି । ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।