ଭୁବନେଶ୍ଵର, ୨୪/୧୨ : ରାଜଧାନୀରେ ଖୁବ୍ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ। ମେନକା ଗାନ୍ଧୀ ବିଏମସି ଉପରେ କରିଥିବା କେସ୍ ପାଇଁ ଅଟକି ରହିଥିଲା ବନ୍ଧ୍ୟାକରଣ ପକ୍ରିୟା। ଯାହାଫଳରେ ରାଜଧାନୀର ଗଳିକନ୍ଦିରେ ବୃଦ୍ଧି ପାଇଛି କୁକୁରଙ୍କ ସଂଖ୍ୟା। ଏନେଇ ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ।
ସୂଚନାନୁଯାୟୀ, ହାଇକୋର୍ଟରେ ଥିବା ଷ୍ଟେ ଅର୍ଡର୍ ପାଇଁ ବନ୍ଦ ରହିଥିଲା ବନ୍ଧ୍ୟାକରଣ ବ୍ୟବସ୍ଥା। ଅତ୍ୟାଧୁନିକ ହସ୍ପିଟାଲ କରାଯାଇଥିଲେ ବି ବନ୍ଦଥିଲା ବନ୍ଧ୍ୟାକରଣ। ବର୍ତ୍ତମାନ ମାମଲାଟି ସରିଥିବାରୁ ଅଳ୍ପ ଦିନ ଭିତରେ କୁକୁର ବନ୍ଧ୍ୟାକରଣ ପୁଣି ଥରେ ଆରମ୍ଭ ହେବ। ସ୍ୱତନ୍ତ୍ର ଡାକ୍ତରମାନଙ୍କୁ ନେଇ ଆରମ୍ଭ କରାଯିବ ବୋଲି ସୂଚନା ଦେଲେ ମେୟର ସୁଲୋଚନା ଦାସ।
ଦୀର୍ଘଦିନ ହେବ ରାଜଧାନୀରେ ବନ୍ଧ୍ୟାକରଣ ବନ୍ଦଥିବାରୁ ଗଳିକନ୍ଦିରେ କୁକୁରଙ୍କ ସଂଖ୍ୟା ବଢିଚାଲିଛି। କୁକୁରଙ୍କ ଉପଦ୍ରବ ବୃଦ୍ଧି ପାଇଛି। ଲୋକମାନଙ୍କୁ ଗୋଡାଇ ଗୋଡାଇ କାମୁଡୁଛନ୍ତି। ଯାହାଫଳରେ ବିଏମସି ହସ୍ପିଟାଲରେ ଦିଆଯାଇଥିବା କୁକୁର କାମୁଡ଼ା ଟୀକା ଦେଢ଼ ମାସ ଭିତରେ ୫୦୦ ସରିଛି।