କଟକ, ୦୮/୦୨(ଜଗନ୍ନାଥ ରାଉତ): ରାଜ୍ୟର ସମସ୍ତ ଜମାକାରୀଙ୍କ ପୂରା ତାଲିକା ଚିଟ୍ଫଣ୍ଡ୍ ପ୍ରାଧିକୃତ ଅଧିକାରୀ ତଥା କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟକୁ ଆସିବ । ପ୍ରାଧିକୃତ ଅଧିକାରୀଙ୍କ ଯାଞ୍ଚ୍ ପରେ ଚିଟ୍ଫଣ୍ଡ ଜମାକାରୀଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ ହେବ । ଏହି ପ୍ରକ୍ରିୟାରେ ବର୍ଷ ବର୍ଷ ଧରି ଚିଟ୍ଫଣ୍ଡ ଜମାକାରୀଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ ଦିଆଯାଉଛି । କିନ୍ତୁ ରାଜ୍ୟର ସବୁ ଜମାକାରୀଙ୍କ ତାଲିକାକୁ ଟିକ୍ନିକ୍ ଯାଞ୍ଚ୍ ପରେ ଅର୍ଥ ଫେରସ୍ତ ହେଉଥିବାରୁ ବହୁ ସମୟ ଲାଗୁଛି ।
ଅର୍ଥ ଫେରସ୍ତରେ ମାତ୍ରାଧିକ ବିଳମ୍ବ ହେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଚିଟ୍ଫଣ୍ଡ ଜମାକାରୀଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଆଉ ପ୍ରାଧିକୃତ ଅଧିକାରୀ ଟଙ୍କା ଫେରସ୍ତ କରିବେ ନାହିଁ । ଜିଲ୍ଲାପାଳମାନେ ସେମାନଙ୍କ ସ୍ତରରେ ଚିଟ୍ଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ପଦକ୍ଷେପ ନେବେ ବୋଲି ନିକଟରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ଫଳରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ସରଳ ହେବ ଓ ଜମାକାରୀମାନେ ଶୀଘ୍ର ଟଙ୍କା ଫେରସ୍ତ ପାଇବେ ବୋଲି ଆଶା କରାଯାଉଛି ।
ପୂର୍ବ ବ୍ୟବସ୍ଥା ଅନୁସାରେ ଜମାକାରୀମାନେ ଯେଉଁ କମ୍ପାନୀରେ ଟଙ୍କା ଜମା କରିଥିଲେ ତାହାର ସବିଶେଷ ଡକ୍ୟୁମେଣ୍ଟ ସହ ସ୍ଥାନୀୟ ତହସିଲ୍ଦାର ନିକଟରେ ଅଫ୍ଲାଇନ ବା ଅନ୍ଲାଇନ୍ରେ ଆବେଦନ କରିବେ । ଆବେଦନ ଯାଞ୍ଚ୍ ପାଇଁ ସ୍ଥାନୀୟ ଆର୍ଆଇ, ଜଣେ ଥାନା ଅଧିକାରୀ ଏବଂ ଅନ୍ୟ କିଛି ସରକାରୀ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟି ଆବେଦନପତ୍ର ଅନୁସାରେ ସମ୍ପୃକ୍ତ ଜମାକାରୀଙ୍କ ଘରେ ପହଞ୍ଚିବେ । ଆବେଦନକାରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ୍ କରିବା ପରେ ଉକ୍ତ ଜମାକାରୀ ପ୍ରକୃତରେ ଜମା ଅର୍ଥ ପାଇବାକୁ ହକ୍ଦାର୍ କି’ ନୁହେଁ ତାହା ଜିଲ୍ଲାପାଳଙ୍କୁ ଲେଖି ପଠାଇବେ । ଜିଲ୍ଲାପାଳ ଅନୁମୋଦନପତ୍ରକୁ କଟକ ଅତିରିକ୍ତ ଜିଲ୍ଲାପାଳ ତଥା ଚିଟ୍ଫଣ୍ଡ ପ୍ରାଧିକୃତ ଅଧିକାରୀଙ୍କ ନିକଟକୁ ପଠାଯିବ । ପ୍ରାଧିକୃତ ଅଧିକାରୀ ଜମାକାରୀଙ୍କ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ୍ କରିବା ପରେ ତାଙ୍କ ଆକାଉଣ୍ଟରେ ଅର୍ଥ ଫେରସ୍ତ କରିବେ ।
କିନ୍ତୁ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଥିପାଇଁ ମାତ୍ର ଦୁଇଜଣ କର୍ମଚାରୀ ଦାୟିତ୍ୱରେ ରହିଥିଲେ । ଫଳରେ ସମସ୍ତ ଡକ୍ୟୁମେଣ୍ଟକୁ ଯାଞ୍ଚ୍ କରି ଟଙ୍କା ଫେରସ୍ତ କରିବାକୁ ବହୁ ସମୟ ଲାଗି ଯାଉଥିଲା । ଯାହାଦ୍ୱାରା ଅଦାଲତଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଜମାକାରୀମାନେ ଆବେଦନ କରି ମଧ୍ୟ ବର୍ଷବର୍ଷ ଧରି ସେମାନଙ୍କ ଟଙ୍କା ଫେରିପାଇପାରୁନଥିଲେ । ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କଟକ ପ୍ରାଧିକୃତ ଅଧିକାରୀ ରାଜ୍ୟ ଅର୍ଥ ବିଭାଗକୁ ଚିଠି ଲେଖି ଅନୁରୋଧ କରିଥିଲେ । ରାଜ୍ୟ ଅର୍ଥ ବିଭାଗ ଏହି ସମସ୍ୟାକୁ ହୃଦବୋଧ କରି ନୂତନ ବିଜ୍ଞପ୍ତି ଜାରି କରିଛନ୍ତି ।
ବିଜ୍ଞପ୍ତିରେ କୁହାଯାଇଛି ଯେ, ପ୍ରାଧିକୃତ ଅଧିକାରୀ ପ୍ରତ୍ୟେକ ଜିଲ୍ଲାକୁ ଆବଶ୍ୟକ ଅର୍ଥ ପଠାଇବେ । ଏଥିପାଇଁ ଜିଲ୍ଲାପାଳମାନେ ଆକାଉଣ୍ଟ୍ ଖୋଲିବେ । ଏଥିସହ ଜମାକାରୀଙ୍କ ଆବେଦନପତ୍ରକୁ ମଧ୍ୟ ପ୍ରାଧିକୃତ ଅଧିକାରୀ ଜିଲ୍ଲା ଆଧାରରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ପଠାଇବେ । ଜିଲ୍ଲାପାଳମାନେ ତାହାକୁ ତହସିଲ୍ଦାର ଏବଂ ଆରଆଇଙ୍କୁ ପଠାଇବେ । ଆର୍ଆଇମାନେ ସମ୍ପୃକ୍ତ ଜମାକାରୀମାନଙ୍କୁ ସେମାନଙ୍କ ଜମାର ଡକ୍ୟୁମେଣ୍ଟ୍ ସହ ତଥ୍ୟ ପ୍ରଦାନ କରିବେ । ତାହାକୁ ତର୍ଜମା କରିବା ପରେ ଆରଆଇ ଅର୍ଥ ପ୍ରଦାନ କରିବେ । ଜମାକାରୀଙ୍କ ନିକଟରେ ଥିବା ଡିପୋଜିଟ୍ ସ୍ଲିପ୍କୁ ବାତିଲ୍ କରାଯାଇ ତାହାକୁ ଚିଟ୍ଫଣ୍ଡ ପାଇଁ ନିର୍ମିତ ସ୍ୱତନ୍ତ୍ର ପୋର୍ଟାଲରେ ଅପ୍ଲୋଡ୍ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ୬୭ଟି ଚିଟ୍ଫଣ୍ଡ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସ୍ୱତନ୍ତ୍ର ଅଦାଲତରେ ମାମଲା ରୁଜୁ କରିବା ପାଇଁ ରାଜ୍ୟ ସରକାର କଟକ ଅତିରିକ୍ତ ଜିଲ୍ଲାପାଳ ତଥା ଚିଟ୍ଫଣ୍ଡ ପ୍ରାଧିକୃତ ଅଧକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚିଟ୍ଫଣ୍ଡ ସ୍ୱତନ୍ତ୍ର ଅଦାଲତରେ ୬୭ଟି କମ୍ପାନୀ ବିରୋଧରେ ରୁଜୁ ମାମଲା କରାଯାଇଥିଲାବେଳେ ସେଥିରୁ ୨୬ଟି ମାମଲାର ଇତିମଧ୍ୟରେ ସମାଧାନ ହୋଇଛି । ଅର୍ଥାତ ଏହି ୨୬ଟି କମ୍ପାନୀର ସମ୍ପତ୍ତି ନିଲାମ ପାଇଁ ସ୍ୱତନ୍ତ୍ର ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେଥିରୁ ଲବ୍ଧ ଅର୍ଥ ବିଭିନ୍ନ କମ୍ପାନୀର ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବ । ୨୬ଟି କମ୍ପାନୀ ମଧ୍ୟରୁ ୪ଟି କମ୍ପାନୀ ଚିଟ୍ଫଣ୍ଡ ଅଦାଲତଙ୍କ ଆଦେଶ ବିରୋଧରେ ହାଇକୋର୍ଟକୁ ଯାଇଛନ୍ତି । ଏହି ଚାରିଟି କମ୍ପାନୀର ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି । ବାକି ୨୨ଟି କମ୍ପାନୀରୁ ମାତ୍ର ୩ଟି କମ୍ପାନୀର ସମ୍ପତ୍ତି ନିଲାମ ପରେ ସେଥିରୁ ଲବ୍ଧ ଅର୍ଥ ଏହାର ଜମାକାରୀଙ୍କ ମଧ୍ୟରେ ବଣ୍ଟା ଚାଲିଛି ।