ଢେଙ୍କାନାଳ, ୦୯/୦୭ : ଆହାର ଖାଇବାକୁ ହେଲେ ସାଥିରେ ଖଲି ଧରି ଆସିବାକୁ ପଡି଼ବ । ୫ ଟଙ୍କା ଦେଇ ଟୋକନ୍ କରି ଖଲି ଦେଖାଇଲେ ଭାତ, ଡାଲମା ଦିଆଯିବ । ଖାଇସାରି ଅଇଁଠା ହାତରେ ଫେରିବାକୁ ହେବ । ଧୋଇ ହେବାକୁ ପାଣି ନାହିଁ । ମଙ୍ଗଳବାର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍ଏଚ୍) ପରିସରରେ ଥିବା ‘ଆହାର’ କେନ୍ଦ୍ରରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଲୋକେ ସାଥିରେ ଖଲି ଆଣିବା ସହ ହାତ ଧୋଇବାକୁ ପାଣି ନପାଇ ଏଭଳି ହନ୍ତସନ୍ତ ହୋଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଆହାର କେନ୍ଦ୍ର ଖୋଲିବା ପୂର୍ବରୁ ଲୋକଙ୍କର ଭିଡ଼ ଲାଗିଥିଲା । ପ୍ରାୟ ସାଢ଼େ ୧୧ଟାରେ ଆହାର କେନ୍ଦ୍ର ଖୋଲିବା ପରେ ଲୋକେ କାଉଣ୍ଟରରେ ୫ ଟଙ୍କା ଦେଇ ଟୋକନ କାଟି ଖାଇବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ । ଖାଦ୍ୟ ବଢ଼ାଯାଉଥିବା ସ୍ଥାନରେ ଥାଳି ନଥିଲା, ଖଲିପତ୍ର ଆଣି ଆସିଲେ ହିଁ ଖାଇବାକୁ ମିଳିବ ବୋଲି କୁହାଯାଇଥିଲା । ଥାଳି ଯୋଗାଇ ଦେବା ନିୟମ ରହିଥିବା ବେଳେ ତାହା ଦିଆଯାଇନଥିଲା । ଲୋକେ ଖଲି କିଣିବାକୁ ଧାଇଁଥିଲେ । ହସ୍ପିଟାଲ ନିକଟରେ ଥିବା ଦୋକାନ ଗୁଡ଼ିକରୁ ଖଲି ଧରି ଆସିବା ପରେ ଭାଲ, ଡାଲ୍ମା ଦିଆଯାଇଥିଲା । ଏତିକିରେ ଦୁଃଖ ସରିନଥିଲା ଖାଇସାରିବା ପରେ ହାତ ଧୋଇବାକୁ ବି ଟ୍ୟାପ୍ରେ ପାଣି ନଥିବାରୁ ଲୋକେ ହନ୍ତସନ୍ତ ହୋଇଥିଲେ । କିଛି ଲୋକ ସାଥିରେ ଆଣିଥିବା ବୋତଲ୍ ପାଣିରେ କିଛି ହାତ ଧୋଇଥିଲେ । ଅନେକ ଅଇଁଠା ହାତରେ ଫେରିଥିଲେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଅସହାୟଙ୍କ ପାଇଁ ସରକାର ‘ଆହାର’ କେନ୍ଦ୍ର ଖୋଲିବା ସହ ସମସ୍ତ ବ୍ୟବସ୍ଥା କରିଥିବେ ସ୍ଥଳେ ଏଭଳି ସମସ୍ୟା ପାଇଁ ହୀନିମାନ ହେବାକୁ ପଡୁଥିବା ଅଭିଯୋଗ କରିଥିଲେ । ବିଦ୍ୟୁତ୍ କାଟ୍ ଯୋଗୁଁ ଆହାର କେନ୍ଦ୍ରରେ ପାଣି ନଥିବାରୁ ଏପରି ସମସ୍ୟା ଉପୁଜିଥିବା କେନ୍ଦ୍ର ପରିଚାଳିକା ସଫେଇ ଦେଇଥିଲେ ।
ସୋମବାର ରାତିରୁ ବିଦ୍ୟୁତ୍ ସଂଯୋଗ ନଥିବାରୁ ଟାଙ୍କିକୁ ପାଣି ଉଠିପାରିନଥିଲା । ପାଣି ନଥିବାରୁ ରାତିରେ ବ୍ୟବହୃତ ଅଇଁଠା ଥାଳି ଗୁଡି଼କ ଧୁଆ ହୋଇପାରିନଥିଲା । ସକାଳେ ମଧ୍ୟ ବିଦ୍ୟୁତ୍ ସଂଯୋଗ ନଆସିବାରୁ ପାଣି ଆସି ନଥିଲା । ଏଣୁ ବାଧ୍ୟ ହୋଇ ଲୋକଙ୍କୁ ଖଲି ଆଣିବାକୁ କୁହାଯାଇଥିଲା । ମଧ୍ୟାହ୍ନ ୧୨ଟା ପରେ ବିଦ୍ୟୁତ୍ ଆସିବାରୁ ଥାଳି ଧୁଆଯାଇ ଥାଳିରେ ଆହାର ଦିଆଯାଇଥିବା ଆହାର କେନ୍ଦ୍ରର ପରିଚାଳିକା ସସ୍ମିତା ବେହେରା କହିଛନ୍ତି । ପୌରପାଳିକା ପକ୍ଷରୁ ଆହାର କେନ୍ଦ୍ର ଖୋଲା ଯାଇଥିବା ସ୍ଥଳେ ବିଦ୍ୟୁତ୍ ନଥିଲେ ବି କିଭଳି ଡିଜିର ବ୍ୟବସ୍ଥା କରାଯାଇପାରିବ ସେନେଇ ଦୃଷ୍ଟି ଦିଆଯିବା କଥା । ସେହିଭଳି ଛୋଟ ଟାଙ୍କି ଯୋଗୁଁ ପାଣି ସରିଯାଉଛି । ମାତ୍ର ପୌରପାଳିକାର ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଯେବେ ବିଦ୍ୟୁତ୍ ରହୁନାହିଁ, ଏଭଳି ସମସ୍ୟା ଉପୁଜୁଥିବା ଜଣାଯାଇଛି । ପୌର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାସଙ୍କୁ ଯୋଗାଯୋଗ କରିବାରୁ କ’ଣ ସମସ୍ୟା ରହିଛି ଅବଗତ ହୋଇ ତାହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।