ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନବିସ; ଅଜିତ, ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ

Published By : Prameya | December 5, 2024 8:01 AM

ମୁମ୍ବାଇ,୦୫/୧୨: ଆଜି  ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ସରକାର କ୍ଷମତାସୀନ ହେବ । ମୁଖ୍ୟମନ୍ତ୍ରୀ  ଭାବେ ଦେବେନ୍ଦ୍ର ଫଡ଼ନବିସ ଶପଥ ନେବେ । ଉପ ମୁଖ୍ୟମନ୍ତ୍ରୀ ହେବେ  ଶିବସେନା ନେତା ଏକନାଥ ସିନ୍ଦେ  ଓ ଏନ୍‌ସିପି ନେତା ଅଜିତ ପାୱାର ।  ମହାୟୁତି ମେଣ୍ଟର ଏହି ୩ ପ୍ରମୁଖ ନେତା ବୁଧବାର ରାଜ୍ୟପାଳ ସି ପି  ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ  ପାଇଁ ଦାବି କରିଛନ୍ତି । ଏହି ସମୟରେ ସେମାନଙ୍କ ସହ ବିଜେପି ପର୍ଯ୍ୟବେକ୍ଷକ  ବିଜୟ ରୁପାନି ଓ ନିର୍ମଳା ସୀତାରମଣ  ଉପସ୍ଥିତ ଥିଲେ । ଏହାପରେ ରାଜ୍ୟପାଳ  ସରକାର ଗଢ଼ିବାକୁ ମହାୟୁତିକୁ  ଆମନ୍ତ୍ରଣ କରିଛନ୍ତି । ସରକାର ଗଠନ ଦାବି ପରେ  ଫଡ଼ନବିସ, ସିନ୍ଦେ ଓ ଅଜିତ  ମୁମ୍ବାଇରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । 

ମହାୟୁତ କ୍ୟାବିନେଟ୍‌ରେ କେତେ ଓ କେଉଁମାନଙ୍କୁ ସାମିଲ କରାଯିବ, ତାହା ନେଇ ପରେ  ସୂଚନା ଦିଆଯିବ । ଶପଥ ଗ୍ରହଣ ସମାରୋହ ଗୁରୁବାର ସନ୍ଧ୍ୟା ୫ଟା ୩୦ରେ  ଆଜାଦ ମଇଦାନରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ  ସାମିଲ ହେବେ । ତେବେ ଉପ ମୁଖ୍ୟମନ୍ତ୍ରୀଙ୍କ ଶପଥ ନେଇ ସାମ୍ବାଦିକମାନେ ପ୍ରଶ୍ନ  ପଚାରିବାରୁ ଜବାବରେ ଅଜିତ କହିଥିଲେ, କିଏ ନିଅନ୍ତୁ କି ନାହିଁ ତାହା ଭିନ୍ନ  କଥା । ମୁଁ କିନ୍ତୁ କାଲି ନିଶ୍ଚିତ ଶପଥ ନେବି । ଏହା ଉପରେ ସିନ୍ଦେ କହିଥିଲେ,  ଦିନରେ ଓ ସନ୍ଧ୍ୟାରେ ଶପଥ ନେବାର ଅଭିଜ୍ଞତା ଅଜିତ ଦାଦାଙ୍କର ରହିଛି ।  ଫଡ଼ନବିସ କହିଥିଲେ, ଆମେ ତିନି ଜଣ ଏକ । ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ  କେବଳ ଟେକ୍ନିକାଲ ପଦବୀ । ମୁଁ ଏକନାଥ ଜୀଙ୍କୁ ସରକାରରେ ସାମିଲ ହେବା  ପାଇଁ ଅନୁରୋଧ କରିଛି । ସେ ଆମ ସହ ରହିବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ।  

ସିନ୍ଦେ କହିଥିଲେ, ମୋତେ କ’ଣ ମିଳିଲା ତାହା ପ୍ରଶ୍ନ ନୁହେଁ । ବରଂ ମହାରାଷ୍ଟ୍ରକୁ  କ’ଣ ମିଳିଲା, ସେହି ଭାବନା ଆମ ମନରେ ରହିଛି । ମହାୟୁତିରେ କୌଣସି  ମତଭେଦ ନାହିଁ । ଗତ ଥର ଫଡ଼ନବିସ ମୋ ନାମକୁ ନେଇ ସୁପାରିସ କରିଥିଲେ ।  ଏଥର ମୁଁ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ନେଉଛି । 

ସାମ୍ବାଦିକ ସମ୍ମିଳନୀ ପରେ ବିଜେପି ନେତା ଫଡ଼ନବିସ କାମଚଳା  ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଉଭୟ ନେତା  ୪୫ ମିନିଟ ପର୍ଯ୍ୟନ୍ତ ବୈଠକ କରିଥିଲେ । ସୂତ୍ର ମୁତାବକ, ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସିନ୍ଦେ ରାଜି ହୋଇଛନ୍ତି । କିନ୍ତୁ ଗୃହ ମନ୍ତ୍ରଣାଳୟକୁ  ନେଇ ସେ ଅଡ଼ିବସିଛନ୍ତି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଫଡ଼ନବିସଙ୍କ ନାମ ଚୂଡ଼ାନ୍ତ ହେବା ପରେ ସେ ବିଧାନ ଭବନ ପରିସରରେ ଥିବା ଛତ୍ରପତି ଶିବାଜୀ  ମହାରାଜଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ବିଜେପି ନେତା  ଓ କର୍ମକର୍ତ୍ତାମାନେ ଉତ୍ସବ ମନାଇଥିଲେ । 

ମହାରାଷ୍ଟ୍ରରେ ଗୁରୁବାର ନୂଆ ସରକାରର ଶପଥ ସମାରୋହ ପରେ ୭  ତାରିଖରୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ଏହା ୩ ଦିନ  ଧରି ଚାଲିବ । ଏହି ସମୟରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେବେ ।  ବିଧାନସଭା ବାଚସ୍ପତି ନିର୍ବାଚନ ବି ହେବ । ଏହାପରେ ଡିସେମ୍ବର୧୬ରୁ ୨୧  ପର୍ଯ୍ୟନ୍ତ ନାଗପୁରରେ ବିଧାନସଭାର ଶୀତ ଅଧିବେଶନ ହେବ । 

ନୂଆ ସରକାରର ଶପଥ ଗ୍ରହଣ ସମାରୋହ ପାଇଁ ଦକ୍ଷିଣ ମୁମ୍ବାଇରେ  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୪ ହଜାରରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି । ଶପଥ ଉତ୍ସବରେ ମହାୟୁତିର ପ୍ରମୁଖ ଦଳ ବିଜେପି, ଶିବସେନା  ସିନ୍ଦେ ଗୋଷ୍ଠୀ ଏବଂ ଏନ୍‌ସିପି ଅଜିତ ଗୋଷ୍ଠୀ ପକ୍ଷରୁ ବିପୁଳ ସଂଖ୍ୟାରେ ସମର୍ଥକମାନେ ସାମିଲ ହେବେ । ବିଜେପି ପକ୍ଷରୁ ୪୦ ହଜାର ଦଳୀୟ ସମର୍ଥକଙ୍କ ନିମନ୍ତେ ବସିବା ବ୍ୟବସ୍ଥା କରାଯାଇଛି। ୨ ହଜାର ଭିଭିଆଇପିଙ୍କ ପାଇଁ ଆସନ  ସଂରକ୍ଷିତ ରହିଛି । ୫୨୦ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । 

ଶିବସେନା ନେତା ଉଦୟ ସାମନ୍ତଙ୍କ ମୁତାବକ, ଗୁରୁବାର କେବଳ ମୁଖ୍ୟମନ୍ତ୍ରୀ ଓ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ । ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାବିନେଟ୍‌ ଗଠନ ଓ ବିଭାଗ ଆବଣ୍ଟନ ନେଇ ନିଷ୍ପତ୍ତି ନିଆଯିବ । 

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୩ରେ ମହାରାଷ୍ଟ୍ର ଭୋଟ ଫଳ ସାମ୍ନାକୁ  ଆସିଥିଲା । ଭୋଟ ଫଳ ଆସିବାର ୧୨ ଦିନ ପରେ ବି ସରକାର ଗଠନ  ହୋଇପାରି ନାହିଁ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ମହାୟୁତି ବୈଠକରେ ଅନେକ  ଥର ଚର୍ଚ୍ଚା ହୋଇଥିଲା । ହେଲେ ସମାଧାନ ବାହାରି ପାରି ନ ଥିଲା । ସିନ୍ଦେ  ଉପ ମୁଖ୍ୟମନ୍ତ୍ରୀ ପଦ ନେବା ପାଇଁ ରାଜି ହୋଇ ନ ଥିଲେ । ଏହାପରେ  ଫଡ଼ନବିସଙ୍କ ସହ ସାକ୍ଷାତ ପରେ ବିବାଦ ଟଳିଛି । ମହାରାଷ୍ଟ୍ର ନିର୍ବାଚନରେ  ମୋଟ ୨୮୮ ଆସନରୁ ବିଜେପି ସର୍ବାଧିକ ୧୩୨ ପାଇଥିଲା ବେଳେ ଶିବସେନା  ସିନ୍ଦେ ୫୭ ଓ ଏନ୍‌ସିପି ଅଜିତ ୪୧ ଆସନ ପାଇଥିଲା । ସେପଟେ ମହା  ବିକାଶ ଅଘାଡ଼ିର ୩ ପ୍ରମୁଖ ଦଳ ଥିବା ଯଥା ଶିବସେନା ଉଦ୍ଧବ ଗୋଷ୍ଠୀ ୨୦  ଆସନ ପାଇଥିଲା ବେଳେ କଂଗ୍ରେସ ୧୬ ଓ ଏନ୍‌ସିପି ଶରଦ ଗୋଷ୍ଠୀ ୧୦  ଆସନ ପାଇଥିଲା । ସରକାର ଗଢ଼ିବା ପାଇଁ ବହୁମତ ଅଙ୍କ ୧୪୫ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.