ଦାରିଙ୍ଗବାଡି,୨୪/୧ : ଦାରିଙ୍ଗବାଡ଼ି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ନାଏବ ସରପଞ୍ଚଙ୍କ ସମେତ ୱାର୍ଡ଼ ମେମ୍ବର। ଏଭଳି କିଛି ଅଭିଯୋଗ ଆସିଛି ଦାରିଙ୍ଗବାଡ଼ି ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ । ଦାରିଙ୍ଗବାଡି ପଞ୍ଚାୟତ ସରପଞ୍ଚ ଚନ୍ଦ୍ରିକା ମଲିକ ୱାର୍ଡ ମେମ୍ବରମାନଙ୍କୁ ଗୁରୁତ୍ବ ଦେଉନଥିବାବେଳେ କିଛି ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ କାର୍ଯ୍ୟ ଦେବା, ପ୍ରତ୍ୟେକ ମାସରେ ବୈଠକ ନ କରିବା, ପଞ୍ଚାୟତ ନୀତି ନିୟମ ପ୍ରକାରେ ଗ୍ରାମସଭା ଓ ପଲ୍ଲୀ ସଭା ଆୟୋଜନ ନ କରିବା, ପଞ୍ଚାୟତ ଅନୁଦାନକୁ ମନ ମୁତାବକ ମନ ଇଚ୍ଛା ଖର୍ଚ୍ଚ କରିବା, କିଛି ଲୋକ କମ ମୂଲ୍ୟରେ ମାର୍କେଟ କମ୍ପ୍ଲେକ୍ସ ଭଡାରେ ନେଇ ଅନ୍ୟମାନଙ୍କୁ ଅଧିକ ମୂଲ୍ୟରେ ଭଡ଼ା ଦେବା ଲୋକଙ୍କ ସହ ସଲାସୁତରା କରିବା, ଗ୍ରାମ ପଞ୍ଚାୟତ ଭଡ଼ା ଗୃହ ଭଡା ଆଦାୟରେ ଚଞ୍ଚକତା କରିବା, ବେଆଇନ ଭାବେ ସରକାରୀ ଗୃହକୁ ଗୋଦାମ ଘର କରିବା ସହ ପରିବାର ବସବାସ କରିବା ପାଇଁ ଦେଉଥିବା ଭଳି ଅନେକ ବେଆଇନ କାର୍ଯ୍ୟ କରୁଛନ୍ତି ସରପଞ୍ଚ ଚନ୍ଦ୍ରିକା ମଲିକ ।
ସରପଞ୍ଚଙ୍କ ଏଭଳି ବେଆଇନ କାର୍ଯ୍ୟରେ ନାଏବ ସରପଞ୍ଚ ଦୀପକ ପ୍ରଧାନ ଓ ୧୫ଜଣ ୱାର୍ଡ ମେମ୍ବର ଅତିଷ୍ଟ ହୋଇ ବାଲିଗୁଡା ଉପ ଜିଲ୍ଲାପାଳ ଡାକ୍ତର ରୀନା ପ୍ରଧାନଙ୍କୁ ଅନାସ୍ଥା ପ୍ରସ୍ତାବ ନେଇ ଦାବିପତ୍ର ପ୍ରଦାନ କରିଥିଲେ । ଦାରିଙ୍ଗବାଡି ପଞ୍ଚାୟତରେ ୨୨ଟି ୱାର୍ଡ ରହିଥିବାବେଳେ ୧୬ଟି ୱାର୍ଡର ସଭ୍ୟ/ସଭ୍ୟା ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିବା ସହ ଉପ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।