ନୂଆଦିଲ୍ଲୀ: ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ବୁଡ ପକାଇବା ବେଳେ ହୋଇଥିବା ଦଳାଚକଟାକୁ ନେଇ ଆସିଲା ବଡ ତଥ୍ୟ। ବୁଧବାର ବିଳମ୍ବିତ ରାତିରେ ହୋଇଥିବା ଏହି ଅଘଟଣରେ ଖବର ଲେଖାହେବାଯାଏ ୩୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ମୌନୀ ଅମାବାସ୍ୟାରେ ଅମୃତ ସ୍ନାନପାଇଁ ଲାକ୍ଷାଧିକ ଭକ୍ତ ପ୍ରବଳ ଭିଡ ଜମେଇଥିଲେ। ଚଳିତ ମହାକୁମ୍ଭରେ ଏହା ଦ୍ୱୀତିୟ ଅମୃତ ସ୍ନାନର ଯୋଗ ରହିଥିଲା। ହେଲେ ବିଳମ୍ବିତ ରାତି ପ୍ରାୟ ୧ଟାରୁ ୨ଟା ମଧ୍ୟରେ ପ୍ରବଳ ଜନ ସମାଗମ ଯୋଗୁଁ ଏହି ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି।
ସୂଚନା ମୁତାବକ, ବୁଧବାର ରାତି ପ୍ରାୟ ୨ଟା ସୁଧା ପବିତ୍ର ମୌନୀ ଅମାବାସ୍ୟାରେ ଅମୃତ ସ୍ନାନପାଇଁ ଲାକ୍ଷାଧିକ ଭକ୍ତ ତ୍ରିବେଣା ସଙ୍ଗମରେ ଭିଡ ଜମେଇ ଥିଲେ। ହେଲେ ହଠାତ ଭିଡ ମଧ୍ୟରେ ଠେଲାପେଲା ଆରମ୍ଭ ହେବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ପବିତ୍ର ସଂଯୋଗରେ ଅମୃତ ବୁଡ ପକାଇବା ପାଇଁ ବ୍ୟରିକେଡ ବାହାରେ ଥିବା ଲୋକମାନେ ଠେଲାପେଲା ଆରମ୍ଭ କରିଥିଲେ। ଯାହାଫଳରେ ବ୍ୟରିକେଡ ଭୁସୁଡି ପଡିଥିଲା। ବ୍ୟରିକେଡ ଭୁସୁଡି ପଡିବାରୁ ସାମ୍ନାରେ ଥିବା ଅନେକ ଲୋକ ତଳେ ପଡିଯାଇଥିଲେ। ତାଙ୍କ ପଛରେ ଥିବା ଲୋକମାନେ ତଳେ ପଡିଯାଇଥିବା ଲୋକ ମାନଙ୍କ ଉପରେ ଚଢି ସ୍ନାନ ପାଇଁ ଆଗକୁ ବଢିଥିଲେ। ଏଣୁ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦଳାଚକଟାରେ ଅନେକ ଲୋକ ନିଜ ପରିବାରଠୁ ଅଲଗା ହୋଇଯାଇଥିବା ବେଳେ ଅନେକ ଲୋକ ଗୁରୁତର ଆହାତ ହୋଇଛନ୍ତି।
ଦୁର୍ଘଟଣା ଘଟିବା ପରେ ମହାକୁମ୍ଭରେ ନିୟୋଜିତ ହୋଇଥିବା ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଆହତ ମାନଙ୍କୁ ତୁରନ୍ତ ନିକଟସ୍ତ ଚିକିତ୍ସାଳୟକୁ ନିଆଯାଇଥିଲା। ଏହି ଦୁର୍ଘଟଣାପରେ ଅମୃତସ୍ନାନ ସାରିବା ପରେ ସଙ୍ଗେସଙ୍ଗେ ଜାଗା ଖାଲି କରିବାକୁ ବୋଲି ପ୍ରଶାସନ ଭକ୍ତମାନଙ୍କୁ ନିବେଦନ କରିଛି। ଏହି ଦୁର୍ଘଟଣା ଘଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣା ପାଇଁ ଶୋକ ବ୍ୟକ୍ତ କରିଛନ୍ତି। ଆହାତ ମାନଙ୍କ ଆଶୁ ଆରୋଗ୍ୟ କାମନା ସହ ଏହି ମାମଲା ସମ୍ପର୍କରେ ଯୋଗି ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି।
ବୁଧବାର ଘଟିଥିବା ଦୁର୍ଘଟଣାପରେ ମହାକୁମ୍ଭରେ ଯୋଗଦେଇଥିବା ବିଭିନ୍ନ ଆଖଡା ଗୁଡିକ ବୁଧବାର ଦିନ ଅମୃତ ସ୍ନାନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଆଉ ଯଦି କେଉଁ ଆଖଡା ସ୍ନାନ କରିବାକୁ ଚାହାନ୍ତି ତେବେ ଭିଡ କମିବା ପରେ ଅଳ୍ପ ସଂଖ୍ୟରେ ଯାଇ ସ୍ନାନ କରିବାକୁ ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ରବିନ୍ଦ୍ର ପୁରୀ ଆଖଡା ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହି ଦୁର୍ଘଟଣା ପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି ବୋଲି ସୂଚନା ପ୍ରଦାନ କରିଛନ୍ତି।
ପବିତ୍ର ମୌନୀ ଅମାବାସ୍ୟାରେ ୧୦ କୋଟି ଲୋକ ତ୍ରିବେଣୀ ସଙ୍ଗମରେ ବୁଡ ପକେଇବେ ବୋଲି ଆଶା କରାଯାଉଥିଲା। ମହାକୁମ୍ଭରେ ପଡୁଥିବା ସବୁ ଅମୃତ ସ୍ନାନ ସଂଯୋଗ ମଧ୍ୟରୁ ମୌନୀ ଅମାବାସ୍ୟାର ଅମୃତ ସ୍ନାନ ସର୍ବୋତ୍ତମ ବୋଲି ଧାରଣା ରହିଛି। ତେବେ ଏହି ଦିନରେ ଅତ୍ୟଧିକ ଭିଡ ପରିଲକ୍ଷିତ ହେବାକୁ ଥିବାରୁ ଉତ୍ତରପ୍ରଦେଶ ସରକାର ଭିଡ ନିୟନ୍ତ୍ରଣ ପାଇଁ କଠୋର ପଦକ୍ଷେପ ନେଇଥିଲେ। ଉକ୍ତ ଅଞ୍ଚଳକୁ ନୋ-ଭେଇକୁଲାର ଜୋନ ଘୋଷଣା କରାଯିବା ସହ ସେକ୍ଟର-ସ୍ତରିୟ ପ୍ରତିବନ୍ଧ ଲଗାଯାଇଥିଲା। କିନ୍ତୁ ଭକ୍ତମାନଙ୍କର ଅସମ୍ଭାଳ ଭିଡ ପ୍ରଶାସନର ଅଙ୍କ ବିଗାଡି ଦେଇଥିଲା।