ବେଜିଂ,୧୦/୦୯: ଚୀନ୍ର ଜଣେ ଚିତ୍ରକର କେବଳ ଗୋଟିଏ ଦିନ ଛୁଟି ନେଇ ଲଗାତର ୧୦୪ ଦିନ କାମ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଅତ୍ୟଧିକ କାମ କରିବା ତାଙ୍କ ମୃତ୍ୟୁର କାରଣ ହୋଇଥିବା ତାଙ୍କ ମାଲିକ କହିଛନ୍ତି । ଯୁବକ ଜଣକଙ୍କ ବୟସ ୩୦ ବର୍ଷ ହେବ । ଦୀର୍ଘ ଦିନ ଧରି ଅନବରତ କାମ କରିବାରୁ ତାଙ୍କର ଶରୀରର ଅଙ୍ଗ ଅକାମୀ ହୋଇଯାଇଥିଲା । ଫଳରେ ଗତ ଜୁନ୍ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ଆବାଓ ନାମକ ଏହି ଯୁବକ ଜଣକ ୨୦୨୩ ଫେବ୍ରୁଆରୀରୁ ଏକ କଠୋର ଚୁକ୍ତିନାମାରେ ରାଜି ହୋଇ ଝେଜିଆଙ୍ଗ ପ୍ରଦେଶର ଝୋଉଶାନ୍ ସହରରେ ଏକ ପ୍ରୋଜେକ୍ଟରେ କାମ କରିବା ଆରମ୍ଭ କରିଥିଲେ । କେବଳ ଏପ୍ରିଲ ୬ରେ ସେ ଗୋଟିଏ ଦିନ ଛୁଟି ନେଇଥିଲେ । ଧୀରେ ଧୀରେ ତାଙ୍କ ଶରୀର ନ୍ୟୁମୋନିକାଲ ଇନ୍ଫେକ୍ସନ (ଏକ ପ୍ରକାର ବ୍ୟାକ୍ଟେରିଆ ସଂକ୍ରମଣ)ରେ ସଂକ୍ରମିତ ହୋଇଥିଲା । ମେ’ ୨୫ରେ ସେ ଅସୁସ୍ଥ ହୋଇଯାଇଥିଲେ । ଏହା ପରଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା। ତାଙ୍କ ଫୁସ୍ଫୁସ୍ କାମ କରିବା ବନ୍ଦ କରିଦେଇଥିଲା । ନିଃଶ୍ୱାସ ପ୍ରଶ୍ୱାସ ନେଇ ନ ପାରି ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି । ଆବାଓଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ନ୍ୟାୟ ଦାବି କରିଛନ୍ତି । କମ୍ପାନୀ ମାଲିକଙ୍କ ଅବହେଳା ଯୋଗୁ ଆବାଓଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ବିନା ବ୍ରେକ୍ରେ ଆବାଓଙ୍କ ଦ୍ୱାରା କମ୍ପାନୀ କାମ କରାଇଥିଲା ଏବଂ ଏହା ହିଁ ତାଙ୍କ ଜୀବନ ନେଇଥିବା ସେମାନେ କହିଛନ୍ତି ।