ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଓଡ଼ିଶାର ଶିଳ୍ପାୟନ ଯାତ୍ରାରେ ଯାଜପୁର ହେବ ଅଗ୍ରଣୀ ନାୟକ, ୧ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Published By : Prameya | February 9, 2025 9:51 AM

ଯାଜପୁର,୦୯/୦୨: ଯାଜପୁର ସୁଯୋଗ ଓ ସମ୍ଭାବନାର ଏକ  ସୁବର୍ଣ୍ଣ କ୍ଷେତ୍ର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି -୨୦୨୫'ର ଉଦ୍‌ଘାଟନ କରି ମତବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରାୟ ଏକ  ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଯାଜପୁରରେ ସମୁଦାୟ ୮୨୯ କୋଟି ୭୬ ଲକ୍ଷ ଟଙ୍କାର ୮୩ଟି ପ୍ରକଳ୍ପ  ଉଦ୍‌ଘାଟିତ ହୋଇଥିବା ବେଳେ, ୧୭୦ କୋଟି ଟଙ୍କାର ୭୭ଟି  ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିରେ ସ୍ୱାସ୍ଥ୍ୟ,  ଶିକ୍ଷା, କୃଷି, ଜଳ ସମ୍ପଦ, ବିଦ୍ୟୁତ ପରିବହନ, ସଡ଼କ, ସେତୁ,  କେନାଲ ଆଦି ଭିତ୍ତିଭୂମି ଓ ପର୍ଯ୍ୟଟନ ପ୍ରକଳ୍ପ ରହିଛି  । ଗୁରୁତ୍ୱପୂର୍ଣ୍ଣ  ପ୍ରକଳ୍ପ ମଧ୍ୟରେ ବ୍ୟାସନଗରରେ ପ୍ରାୟ ୭୮ କୋଟି ଟଙ୍କାର ବ୍ୟାସ  ସରୋବର ଓ ଟାଉନ ହଲ୍‌ ଉଦ୍‌ଘାଟିତ ହୋଇଛି । ଯାଜପୁରରେ  ଏକ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି ।  ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଯଯାତି କେଶରୀ ମେଡିକାଲ  କଲେଜ ଓ ହସ୍ପିଟାଲ ଖୋଲାଯାଇଛି । 


ଏହାର ଉଦ୍‌ଘାଟନ ମଧ୍ୟ  କରି ମୁଖ୍ୟମନ୍ତ୍ରୀ ଏହାକୁ ‘ମହାରାଜା ଯଯାତି କେଶରୀ ମେଡିକାଲ୍‌  କଲେଜ୍‌ ଓ ହସ୍ପିଟାଲ' ଭାବରେ ନାମିତ କରାଯାଇଥିବା ଘୋଷଣା  କରିଥିଲେ । ଏହା ଦ୍ୱାରା ମହାରାଜା ଯଯାତି କେଶରୀଙ୍କ ଗୌରବମୟ  କୀର୍ତ୍ତିକୁ ପ୍ରକୃତ ସମ୍ମାନ ଦିଆଯାଇପାରିବ ବୋଲି ସେ କହିଛନ୍ତି ।  ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୫୦୭ କୋଟି ଟଙ୍କାର  ୩୬ଟି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିବା ବେଳେ, ୪୧ କୋଟି  ଟଙ୍କାର ୫୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ପାଇଁ ଅନେକ ନୂତନ  ପ୍ରକଳ୍ପ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମା'  ବିରଜାଙ୍କ ମନ୍ଦିରର ଉନ୍ନତିକରଣ କରାଯିବ । ଏଥିରେ ବଗଳାମୁଖୀ  ମନ୍ଦିର, ଶିବ ମନ୍ଦିର ଓ ବ୍ରହ୍ମାକୁଣ୍ଡର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ  କରାଯିବ । ଏଥିପାଇଁ ୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ । ପୂର୍ବରୁ  ଅନୁମୋଦନ ହୋଇଥିବା ୧୨ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଡିପିଆର୍‌  ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ମା'ଙ୍କ  ମନ୍ଦିର ପାଇଁ ଥିବା ଧର୍ମଶାଳାକୁ ଆହୁରି ଅଧିକ ଭକ୍ତଙ୍କ ରହିବା ପାଇଁ  ସମ୍ପ୍ରସାରଣ କରାଯିବ । ଏଥିପାଇଁ ୧୦କୋଟି ଟଙ୍କା ଖର୍ଚ୍ଚ କରାଯିବ ।  

ବ୍ରହ୍ମାକୁଣ୍ଡ ପୁନରୁଦ୍ଧାର ପାଇଁ ୧୨ କୋଟି ଅନୁଦାନ ଯୋଗାଇ ଦିଆଯିବ ।  ବିରଜା ଆଗ୍ନେଶ୍ୱର ହାଟର ମଧ୍ୟ ଉନ୍ନତିକରଣ କରାଯିବ । ଏଥିପାଇଁ  ଅଧିକ ଜମି ଅଧିଗ୍ରହଣ କରାଯିବା ସହ ୨୧କୋଟି ୪୩ ଲକ୍ଷ  ଟଙ୍କା ବିନିଯୋଗରେ ଯାଜପୁରବାସୀଙ୍କ ସୁବିଧା ପାଇଁ ଏକ ସୁନ୍ଦର ଆଧୁନିକ ହାଟର ନିର୍ମାଣ କରାଯିବ । ୩୦ କୋଟି ଟଙ୍କା ବ୍ୟୟରେ  ଯାଜପୁରରେ ଏକ ନୂଆ ବସ୍‌ ଟର୍ମିନାଲ୍‌ ମଧ୍ୟ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ । ଏହା ସହିତ ଯାଜପୁରରେ ଏକ ହଜାର  ଆସନ ବିଶିଷ୍ଟ ଏକ ନୂଆ ଟାଉନ୍‌ ହଲ୍‌ ମଧ୍ୟ ନିର୍ମାଣ କରାଯିବ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଯାଜପୁର  ମହୋତ୍ସବକୁ ସେ ଅନେକ ଥର ଦର୍ଶକ ଭାବେ ଆସି ଦେଖିଛନ୍ତି ।  କିନ୍ତୁ ଏଥର କିଛି ନୂତନତ୍ୱ ଅନୁଭବ ହେଉଛି । ବାତାବରଣରେ  ଏକ ଅପୂର୍ବ ଆଧ୍ୟାତ୍ମିକତା ଏବଂ ଐଶ୍ୱରୀୟ ଶକ୍ତିର ସଞ୍ଚରଣ  ହୋଇଛି । ବର୍ତ୍ତମାନ ମହାକୁମ୍ଭ ମେଳା ଚାଲିଛି । ଓଡ଼ିଶାରେ  ଚାଲିଛି ସଂସ୍କୃତି ଓ କଳାର ମହାପର୍ବ ଖଣ୍ଡଗିରି ମେଳା । ଏହି  ପରିପ୍ରେକ୍ଷୀରେ ଯାଜପୁର ମହୋତ୍ସବ ସମସ୍ତଙ୍କ ମନକୁ  ଆଧ୍ୟାତ୍ମିକତାରେ ଭରିଦେଇଛି । ସୋମବଂଶର ମହାନ ନରପତି  ଯଯାତି କେଶରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଯାଜପୁର ପ୍ରାଚୀନ ଓଡ଼ିଶାର  ରାଜଧାନୀ ଯଯାତିନଗରଭାବେ ଖ୍ୟାତ ଥିଲା । ପୁରାତନ ଓ  ନୂତନ ସଂସ୍କୃତିର ସମାହାର ହୋଇଛି ଏହି ଭୂଖଣ୍ଡରେ ।  ଏହି ପୁଣ୍ୟ ମାଟିରୁ ଦିନେ ଗୁଞ୍ଜରିତ ହୋଇଥିଲା ଗୌତମ  ବୁଦ୍ଧଙ୍କ ଶାନ୍ତିର ସ୍ତୁତି ସଙ୍ଗୀତ । ସଂପ୍ରୀତି ଓ ମାନବିକତାର  ଦୀକ୍ଷାରେ ଦୀକ୍ଷିତ ହୋଇଥିଲେ ସମସ୍ତେ । ପ୍ରାଚୀନ ବୌଦ୍ଧ  ସଭ୍ୟତାର ଅମର ଭୂମି ରତ୍ନଗିରି, ଲଳିତଗିରି ଓ ଉଦୟଗିରି  ଏହାର ଜ୍ୱଳନ୍ତ ନିଦର୍ଶନ । ଲାଙ୍ଗୁଡି ଓ କାଏମା ରାଧାନଗରର  ବିକଶିତ ବୌଦ୍ଧ ସଭ୍ୟତା ଆମ ସମୃଦ୍ଧ ସାଂସ୍କୃତିକ ବିଭବର  ପ୍ରାମାଣିକ ତଥ୍ୟ ବୋଲି ସେ କହିଥିଲେ । 

ଯାଜପୁରବାସୀଙ୍କ  ପାଇଁ ସବୁବେଳେ ବରଦାନ ସଦୃଶ ଅମୃତମୟୀ ପାପନାଶିନୀ  ବୈତରିଣୀ ପ୍ରବାହିତ ହେଉଛି ଏବଂ ରାଜ୍ୟବାସୀଙ୍କୁ ଅଭୟବାଣୀ  ଦେଉଛନ୍ତି ମା' ବିରଜା । ଉଭୟଙ୍କ ଆଶୀର୍ବାଦରୁ କାହିଁ କେତେ  କାଳରୁ ଏହି ଅଞ୍ଚଳ ହୃଷ୍ଟପୃଷ୍ଟ ହୋଇଛି ଏବଂ ଆଜି ରାଜ୍ୟର  ସବୁଠାରୁ ବିକଶିତ ଅଞ୍ଚଳ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ  ଅଧିକାର କରିଛି । ପୁଣ୍ୟତୋୟା ବୈତରଣୀ ତଟରେ ଅବସ୍ଥିତ  ଶ୍ରୀ ବରାହକ୍ଷେତ୍ର, ଦଶାଶ୍ୱମେଧ ଘାଟ, ନାଭିଗୟା, ବ୍ରହ୍ମାକୁଣ୍ଡ,  ଗୋକର୍ଣ୍ଣେଶ୍ୱର ମନ୍ଦିର ଆଦି ଅନେକ ପବିତ୍ର କ୍ଷେତ୍ର ଏ ମାଟିର  ମହାର୍ଘ୍ୟ ଆଧ୍ୟାତ୍ମିକତାର ବଳିଷ୍ଠ ସ୍ୱାକ୍ଷର । ସ୍ୱାଧୀନତା ସଂଗ୍ରାମରେ  ଯାଜପୁରର ବଳିଷ୍ଠ ଅବଦାନକୁ ସେ ସ୍ମରଣ କରିଥିଲେ ।  ଯାଜପୁର ଲୋକଙ୍କ କଠିନ ପରିଶ୍ରମ ଏବଂ ଉଦ୍ୟମିତା ଯୋଗୁ  ଶିଳ୍ପ ମାନଚିତ୍ରରେ ଏହାର ସ୍ଥାନ ସ୍ୱତନ୍ତ୍ର । ରାଜ୍ୟର ଶିଳ୍ପ ବିକାଶର  ଅନ୍ତୁଡ଼ିଶାଳ ହେଉଛି ଶିଳ୍ପ ସମୃଦ୍ଧ କଳିଙ୍ଗନଗର । ଦେଶ ତଥା  ଦେଶ ବାହାରକୁ କଞ୍ଚାମାଲ ରପ୍ତାନି କ୍ଷେତ୍ରରେ ଯାଜପୁର ଅଞ୍ଚଳ  ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଛି  । ବିକାଶ ପାଇଁ ଜିଲ୍ଲାରେ  ରହିଛି ଅପାର ସମ୍ଭାବନା । ଯାଜପୁର ସିନା ଥିଲା ପୁରାତନ  ଉତ୍କଳର ରାଜଧାନୀ, କିନ୍ତୁ ଆଜି ସାରା ଦେଶରେ ଏହା ଇସ୍ପାତ  ରାଜଧାନୀ ଭାବେ ଖ୍ୟାତି ଲାଭ କରିଛି । ଆଗାମୀ ଦିନରେ ଏହା  ରାଜ୍ୟର ଶିଳ୍ପ ରାଜଧାନୀଭାବେ ନିଜର ପ୍ରତିଷ୍ଠା ଲାଭ କରିବ  ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । 

ଉତ୍କର୍ଷ ଓଡ଼ିଶା  କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ  ଯେ, ପୂର୍ବର ସବୁ ରେକର୍ଡ ଭାଙ୍ଗି ଏଥର ଓଡ଼ିଶା ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ପାଇଛି । ୧୩ ଲକ୍ଷ  କୋଟି ଟଙ୍କାର ନିବେଶ ପାଇଁ ଏମ୍‌ଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଛି । ଓଡ଼ିଶାରେ ୧୩ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଜିଲ୍ଲାରେ  ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ପାଇଁ ନିବେଶକମାନେ ଆଗ୍ରହ  ପ୍ରକାଶ କରିଛନ୍ତି । ଏଥିରେ ୨୩ଟି ପ୍ରକଳ୍ପ କରାଯିବ । ଓଡ଼ିଶାର  ଶିଳ୍ପାୟନର ଯାତ୍ରାରେ ଯାଜପୁର ହେବ ଅଗ୍ରଣୀ ନାୟକ । ଡଙ୍କାରୀ  ପାହାଡ଼ ତଳେ ଏକ କ୍ରୁଡ୍‌ ଅଏଲ୍‌ ଷ୍ଟୋରେଜ୍‌ ଫାସିଲିଟି ନିର୍ମାଣ  ହେବ । ଇଣ୍ଡିଆନ୍‌ ଷ୍ଟ୍ରାଟେଜିକ୍‌ ପେଟ୍ରୋଲିଅମ୍‌ ରିଜର୍ଭ ଲିମିଟେଡ୍‌  ପକ୍ଷରୁ ଏହାକୁ ୮,୭୪୩ କୋଟି ଟଙ୍କା ବିନିଯୋଗରେ ନିର୍ମାଣ  କରାଯିବ । ଏହାଦ୍ୱାରା ପ୍ରାୟ ୫ହଜାରରୁ ଅଧିକ ନିଯୁକ୍ତି ସୁଯୋଗ  ସୃଷ୍ଟି ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦଗ୍ଧ କବି  ଅଭିମନ୍ୟୁ ସାମନ୍ତସିଂହାର ଓ ତାଙ୍କ ରଚିତ "ବିଦଗ୍ଧ ଚିନ୍ତାମଣି'  ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପତ୍ତି ବୋଲି ମତ ଦେଇ  ଯାଜପୁର ମାଟିର ସାରସ୍ୱତ ସାଧକଙ୍କୁ ସମ୍ମାନ ଜଣାଇଥିଲେ ।  

ମୁଖ୍ୟମନ୍ତ୍ରୀ ରାଜନୀତିରେ ପରିବାରବାଦର ସମାଲୋଚନା  କରି କହିଥିଲେ ଯେ, ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସାରା ଦେଶରେ ପରିବାରବାଦ ବିରୋଧରେ ସଂଗ୍ରାମ ଜାରି  ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ସହାୟତାରେ  ରାଜ୍ୟରେ ବିକାଶର ଧାରା ପୁନର୍ବାର ପ୍ରବାହିତ ହେବାକୁ  ଆରମ୍ଭ ହେଲାଣି । ଏହି ଧାରା ଯାଜପୁର ଜିଲ୍ଲାକୁ ମଧ୍ୟ ପ୍ଲାବିତ  କରୁଛି । ଓଡ଼ିଆ ଅସ୍ମିତା, ଭାଷା, ସାହିତ୍ୟ, ସଂସ୍କୃତି ଓ  ପରମ୍ପରାକୁ ପାଥେୟ କରି ନୂତନ ଓଡ଼ିଶା ନିର୍ମାଣ କରିବାର  ଯେଉଁ ମହାଯଜ୍ଞ ଆରମ୍ଭ ହୋଇଛି, ସେଥିପାଇଁ ଆପଣ ସମସ୍ତଙ୍କ  ଅକୁଣ୍ଠ ସମର୍ଥନ ଆବଶ୍ୟକ । ଯାଜପୁର ଜିଲ୍ଲାକୁ ରାଜ୍ୟର  ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢ଼ି ତୋଳିବା ପାଇଁ  ଆମର ଉଦ୍ୟମ ଜାରି ରହିଛି ବୋଲି ପ୍ରକାଶ କରିଥିଲେ । ଯାଜପୁରବାସୀ ଆଗାମୀ ଦିନରେ ଶିଳ୍ପାୟନର ନୂତନ ଶିଖର  ଦେଖିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ,  ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସାଂସଦ ଡ. ରବିନ୍ଦ୍ର  ନାରାୟଣ ବେହେରା, ବିରୋଧୀ ଦଳ ମୁଖ୍ୟ ସଚେତକ ତଥା  ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, କୋରେଇ ବିଧାୟକ  ଆକାଶ ଦାସନାୟକ, ବଡ଼ଚଣା ବିଧାୟକ ଅମର ନାୟକ,  ଯାଜପୁର ବିଧାୟିକା ସୁଜାତା ସାହୁ, ଧର୍ମଶାଳା ବିଧାୟକ  ହିମାଂଶୁ ଶେଖର ସାହୁ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ,  ଜିଲ୍ଲା ପରିଷଦ ସଭାପତି ନଳିନୀପ୍ରଭା ଜେନା, ପୂର୍ବତନ ଜିଲ୍ଲା  ପରିଷଦ ସଭାପତି ଗୌତମ ରାୟ ପ୍ରମୁଖ ମଞ୍ଚାସିନ ଥିଲେ ।  କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସ୍ୱାଗତ  ଭାଷଣ ଦେଇଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ  ଅଧିକାରୀ ଅଶୋକ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ।  

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦୀନେଶ  ମଲ୍ଲିକଙ୍କ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀମାନେ ସ୍ୱାଗତ ସଙ୍ଗୀତ  ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ସମସ୍ତ ଅତିଥିଙ୍କୁ ସ୍ୱାଗତ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ପୁଲିସ ପ୍ରଶାସନ ପକ୍ଷରୁ  ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ  ସିଂହ ମୀନା, ଏସ୍‌ପି ୟଶ୍‌ପ୍ରତାପ ଶ୍ରୀମାଲଙ୍କ ସମେତ ବରିଷ୍ଠ  ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ  ସଫଳ ରୂପାୟନରେ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.