ଭୁବନେଶ୍ଵର, ୩୦/୦୪ : ଅକ୍ଷୟ ତୃତୀୟାରୁ ଆରମ୍ଭ ହେଲା ଚାରିଧାମ ଯାତ୍ରା। ବୈଦିକ ମନ୍ତ୍ର ଉଚ୍ଚାରଣ ଏବଂ ଗଙ୍ଗା ସହସ୍ରନାମ ପାଠ ସହ ସକାଳ ସାଢେ ୧୦ଟାରେ ଖୋଲିଲା ଗଙ୍ଗୋତ୍ରୀ ଧାମର କବାଟ। ହର ହର ଗଙ୍ଗେ ଧ୍ଵନିରେ ପ୍ରକମ୍ପିତ ହେଲା ଚତୁର୍ଦ୍ଦିଗ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ହେଲା ପ୍ରଥମ ପୂଜା। ଆଜିଠାରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗଙ୍ଗୋତ୍ରୀ ଧାମରେ ପହଞ୍ଚି ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ପବିତ୍ର ଅକ୍ଷୟ ତୃତୀୟାରେ ଭକ୍ତମାନଙ୍କ ପାଇଁ ବିଶ୍ୱ ପ୍ରସିଦ୍ଧ ଗଙ୍ଗୋତ୍ରୀ ଧାମର ଦ୍ୱାର ଖୋଲାଯାଇଛି। ଆଜିଠାରୁ ଛଅ ମାସ ଯାଏଁ ନିରନ୍ତର ଗଙ୍ଗା ମାତାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।
ସେପଟେ ୧୧ଟା ୫୫ରେ ବିଧି ବିଧାନର ସହ ଯମୁନେତ୍ରୀ ଧାମର କବାଟ ଖୋଲିଛି। ଦେଶ ବିଦେଶରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏହାପରେ ମେ ୨ ତାରିଖରେ କେଦାରନାଥ ଏବଂ ୪ ତାରିଖରେ ବଦ୍ରିନାଥଙ୍କ କବାଟ ଖୋଲିବ। ଏଥିପାଇଁ ମନ୍ଦିର ସାଜସଜ୍ଜା କାମ ଆରମ୍ଭ ହୋଇଯାଇଛି।
ଚଳିତ ବର୍ଷ ଚାରିଧାମ ଯାତ୍ରା ପାଇଁ ପ୍ଲାନ ଏ, ବି ଏବଂ ସି ପ୍ରସ୍ତୁତ କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିକଳ୍ପ ମାର୍ଗ ଚିହ୍ନଟ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ସବୁ ମାର୍ଗରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଚାରିଧାମ ଯାତ୍ରା ମାର୍ଗକୁ ୧୫ ସୁପର ଜୋନ୍, ୪୧ ଜୋନ୍ ଏବଂ ୨୧୭ ସେକ୍ଟରରେ ବଣ୍ଟା ଯାଇଛି। ଏଥର ୬୨୪ଟି ସିସିଟିଭି କ୍ୟାମେରା ଇନଷ୍ଟଲ କରାଯାଇଛି। ଏଏସପି ଏବଂ ଡିଏସପି ସ୍ତରୀୟ ଅଧିକାରୀଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ କ୍ୟାମ୍ପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।